ଶେଷ ଦିନର କବିତା
ଶେଷ ଦିନର କବିତା
ମତେ ଫେରି ହୁଏ ସେଇ ରାସ୍ତା ଆଡେ
ଯେଉଁଟା ତମ ସହରର ବିପରୀତରେ ।
ସମୟ କୁଆଡେ ସବୁ ଠିକ କରିଦିଏ
ନିଜକୁ ଏ ମିଛ କହିବାକୁ ପଡେ ।।
ଆହୁରି ଭାଙ୍ଗିବାକୁ ପଡେ ନିଜ ହାତରେ
ଉଜୁଡି ଯାଉଥିବା ମୋ ନିଜ ଘର
ଯେଉଁଠି ଆଜି ବି ଅଛି ,ତମ ହସର ସବୁ ତକ ରଙ୍ଗ
ତମ କଥାର ସ୍ୱର ।
ଭୁଲିବାକୁ ପଡେ ମତେ
ତମ ଯିବା ରାସ୍ତାରେ ଗଛଟିଏ ହବାର ପ୍ରତିଜ୍ଞା
ତମର ସବୁ ଫଟୋର ଭୟରେ ଅନ୍ଧ ହବାକୁ ପଡେ ।।
ତମ ଦେହର ବାସ୍ନାର ସୃତିର ଭୟରେ
ନିଶ୍ୱାସକୁ ପର କରିବାକୁ ପଡେ ।
ତମର ପୁରୁଣା ସ୍ପର୍ଶକଥା ଭାବି
ନିଜକୁ ଆହୁରି ପଥର କରିବାକୁ ପଡେ ।।
ମତେ ଶୋଇବାକୁ ହୁଏ ସମସ୍ତଙ୍କୁ ଠକି ଦେଇ
ସବୁ ଦିନକୁ ଅନ୍ଧକାର କରିବାକୁ ପଡେ ।
ନିର୍ବିକାରତାର ବିଷକୁ ପାନକରି
ଶେଷ କଥା କହିବା ପୂର୍ବରୁ
ମତେ ଚୁପ ହବାକୁ ପଡେ ।।