ସେ ମତେ ତମ ଭଳି ଦିଶେ
ସେ ମତେ ତମ ଭଳି ଦିଶେ
ସେ ମତେ ତମ ଭଳି ଦିଶେ .....
ଦୂର ଛାତରେ ଛିଡା, ଧଳା ସାର୍ଟ ପିନ୍ଧା,ସେଇ ପତଳା ଝିଅଟି
ଯାହାର ଚଷମାରେ ସାରା ଦୁନିଆ ଟିକେ ଅଧିକା ସ୍ପଷ୍ଟ ଓ ଉଜ୍ଜ୍ୱଳ
ବୀରହି ଅପରାହ୍ନ ର ଅନୁରୋଧ ରେ, ଯେବେ ସେ ଛାତ ଉପରକୁ ଆସେ ,
ସେ ମତେ ତମ ଭଳି ଦିଶେ ।
ସାଇକେଲ ଚଢି ଯାଉଥିବା ସେ କଲେଜ ପଢୁଆ ଝିଅ ।
ଯିଏ କେବଳ ଆଖିରେ କଥା ହୁଏ ,
ଯାହାର କଥା ଝରଣା ର ମୂର୍ଚ୍ଚନା ,ମେଘର ମଲ୍ହାର
ଛକରେ ମୋ ସିଗାରେଟ ଗନ୍ଧ ଓ ବେପରୁଆ ହସକୁ ଯାହାର ଖୁବ ଘୃଣା ।
ସାମାନ୍ୟ ବର୍ଷାକୁ ଡରି, ସେ ଯେବେ ଫିକା ନୀଳ ରେନ କୋଟ ପିନ୍ଧେ.....
ସେ ମତେ ତମ ଭଳି ଦିଶେ ।
ମୁଁ ପଢ଼ାଉଥିବା କ୍ଲାସ ରେ ,ଯେଉଁ ଝିଅଟି ମତେ ନ ଦେଖି ପାରିମୁହଁ ତଳକୁ କରେ ।
ଯିଏ ଦିନେ ଧୀରେ କହିଥିଲା ,ତାର ନାଁ କୁଆଡେ ବର୍ଷା
ଯିଏ ଆଙ୍କିପାରେ ଛବି ,ଗୋଟେ ନିରାବତାର ଆଉ ଲୁହର ...
ମୋ କଥାରେ ଯିଏ, ବୋଧେ ସବୁଠୁ ଅଧିକା ମୁରୁକି ହସେ
ସେ ମତେ ତମ ଭଳି ଦିଶେ ।
ମୋ ଘର କାନ୍ଥରେ ମୁହଁ ଲୁଚେଇ ଲଟକି ଥିବା କାଟ୍ରିନା ।
ଯିଏ ଖାଲି ମୋ ଆଡେ ଦେଖେ ବୋଲି ଦାବି କରେ
ଯିଏ ଖୁବ କଥା କହେ ସାରା ରବିବାରରେ ।
କହେ ମତେ, କେମିତି ଅଛ ବିପ୍ଳବ ?....
ଶେଷରେ ମୋତେ ଅଭିନେତା ବୋଲି ଆକ୍ଷେପ କରି,
ଚୁପଚାପ ହୋଇଯାଏ ଯେବେ ଏପ୍ରିଲ ର ରାତ୍ରିରେ
ସେ ମତେ ତମ ଭଳି ଦିଶେ ।
କବାଟ ନଥିବା ମୋ ପଞ୍ଜୁରୀର ସେଇ ଶୁଆ
ଯେଉଁ ଦିନ ନିଷ୍ଠୁର ହେଇ କହିଥିଲା ....,
ଆକାଶ ଖୁବ ନୀଳ, ଅନ୍ତତଃ ତମ ଆଖି ଠାରୁ ।
ବିପ୍ଳବ.... ବିଦାୟ....ତୁମକୁ ସବୁଠୁ ଅଧିକା ଘୃଣା କରେ ।
ଯେତେବେଳେ ଅନ୍ତରୀକ୍ଷ ଆଡ଼କୁ ଯାଉଥିଲା ଉଡି
ତା କଣ୍ଠ ମତେ ,ସେଦିନ ତମ ଭଳି ଶୁଭିଥିଲା ।