ସେପ୍ଟେମ୍ବର ର ପ୍ରେମିକା
ସେପ୍ଟେମ୍ବର ର ପ୍ରେମିକା
ମାଗିନି ତ କେବେ ତମ ଅଧରର ମଧୁ,
କି ମାଗିନି ତୁମ ଶରୀରର ଉଷ୍ମତା,
ମୋର ସବୁକିଛିର ପ୍ରତିଦାନରେ,
ଇଛା କରିନି ପ୍ରଣୟ ର ରାତ୍ରୀ ।।
କେବେ କହିନି ପରୋକ୍ଷରେ,
ଚାହେଁ ମୁଁ ତୁମକୁ ଏକାନ୍ତରେ କି ବନ୍ଦ କୋଠରୀରେ ।
ବଢାଇନି କେବେ ହାତ ତୁମ ହାତ କୁ ଛୁଇଁବାକୁ,ବାର୍ତ୍ତାଳାପ ବେଳେ ।
ତଥାପି କଣ ପାଇଁ ଏତେ ଅଭିଯୋଗ ମୋ ନାଁରେ,
କାହିଁକି ବିଦ୍ୱେଷ, ଦୋଷାରୋପ ଚାରିତ୍ରହୀନର,
ମୋ ଆଖିକୁ ନ ଦେଖିବା ପର ଠାରୁ,
କହିଛ ସଭିଙ୍କୁ ,ମୋ ଆଖିରେ କୁଆଡେ ଖାଲି କାମନାର ବାସନା,
ମୋ ଉଚ୍ଚ ସ୍ୱର କେବେ ନ ଶୁଣି,
ଦେଇଛ ମୋତେ ରାବଣର ଆଖ୍ୟା ।
ତୁମ ଗାଳିକୁ ଚୁପ ହୋଇ ଶୁଣିଥିବା ପରେ ମଧ୍ୟ,
ମୋ ଗର୍ବ ଅଭିମାନର କରିଛ ଅସରନ୍ତି ବ୍ୟାଖ୍ୟା ।।
ମାଗିନି ବି ତୁମ ଠାରୁ ସମୟ,
ଖାଲି ଚାହିଁଥିଲି ତୁମ ଅକ୍ଷୟ ହୃଦୟ ।
ଯେଉଁ ହୃଦୟ .....କହୁଥିଲା ଅସରନ୍ତି କଥା,
ଏମିତି ଗୋଟେ ଛୋଟ ସେପ୍ଟେମ୍ବରରେ,
ଘରେ କେହି ନଥିଲା ବେଳେ ।
କିମ୍ବା ମୋ ବେପରୁଆ ଜୀବନକୁ ସଜାଡୁଥିଲା...,
ନଭେମ୍ବର ଶୀତର କମ୍ବଳ ଭିତରେ ।।
ତମେ ଚାଲି ଯିବାର ଏତେ ବର୍ଷ ପରେ,
ଯୌବନ ର ଚତୁର୍ମାସର ଶେଷ ପକ୍ଷରେ,
ପର୍ବତ ପ୍ରମାଣ ଏ ଜୀବନ ର ବୋଝ ବୋହି ଚାଲୁଥିବା ବେଳେ,
ଏ କ୍ଲାନ୍ତ ଯାଯାବର ମଣିଷ ଟି ଚାହେଁ କେବେକେବେ... ,
କିଛି କ୍ଷଣ ପାଇଁ ହେଉ ପଛେ
ଖାଲି ଶୋଇଯାଆନ୍ତା ଟିକେ ତୁମରି କୋଳରେ .........।।। RB