ନୈଶ୍ୟ ସୁନ୍ଦରୀ
ନୈଶ୍ୟ ସୁନ୍ଦରୀ
ସତରେ ତ ଆସିଲନି କେବେ, ସ୍ଵପ୍ନରେ ହେଲେ ଆସ
ଚାହିଁକି ରହିବ ଏ ଦୁଇ ନୟନ, ଅଧରେ ଫୁଟିବ ହସ ।
ଜହ୍ନକୁ ତୁମ ହାତରେ ମୁଁ ଦେବି , ଗହଣା ହେବ ତାରା ରେ
ସନ୍ଧ୍ୟାର ସୁରୁଜ ଦେବ ନାଲି ରଙ୍ଗ , ଅଳତା ପାଇଁ ପାଦରେ।।
ମେଘମାଳା ଆସି ଧୋଇବେ ଲାବଣ୍ୟ, ପାଦ ଧୋଇବ ସାଗର
ମଳୟ ବିଞ୍ଚିବ ବନ୍ୟ ଯୌବନକୁ, ଭ୍ରମର ଦେବ ଅତର ।
ସହସ୍ର କୋକିଳ ଗାଇବେ ସଙ୍ଗୀତ, ନାଚିବେ ଶତ ମୟୁର
ଲକ୍ଷେ ଗୋଲାପର ଶେଯ ତୋଳିଦେବି, ରଜନୀଗନ୍ଧାରେ ଘର ।।
ଅନ୍ଧକାର ହେବ କଜଳର ଗାର, ଫଗୁଣ ତୁମର ଶାଢ଼ୀ
ଗଜ ମୋତିରେ ମୁଁ ପାଉଁଜି କରିବି , ଆକାଶକୁ ମଥାମଣି ।
ତବ ଅଧରରେ ଲେଖିବି କବିତା , ବସି ଯମୁନା କୂଳରେ
ମୋ ବାହୁ ବକ୍ଷରେ ଅଭୟ ମୁଁ ଦେବି , ଚୁମ୍ବି ପ୍ରଣୟ ରାଗରେ ।
ଲଜ୍ଜାରେ ତୁମେ ନୟନ ମୁଦିବ, ଥରି ଉଠୁଥିବ ଅଙ୍ଗ ପଲ୍ଲବ
ମୋ ଉଷ୍ମ ସ୍ପର୍ଶରେ ଭୁଲିବ ସଂସାର, ରାତ୍ରି ସରି ଆସୁଥିବ ।।
ଚାଲିଗଲା ବେଳେ ମଉନ ରହିବି, କହିବିନି କଥା ପଦେ
ତବ ବିରହରେ ମୋ ରକ୍ତ ରଙ୍ଗରେ, ଲେଖିବି କବିତା ଅଧେ।
ଧନ୍ୟ ହୋଇବ ପ୍ରେମିକ ଜୀବନ, ଯଦି ଆଉ କେବେ ଆସ
ପୂର୍ଣ୍ଣ ହୋଇବ ଏ ପ୍ରାଣ ସ୍ପନ୍ଦନ, କାହାଣୀର ହେବ ଶେଷ।।
ରାକେଶ ରଞ୍ଜନ ବିଶ୍ୱାଳ