ଅନ୍ଧକାର
ଅନ୍ଧକାର
ରାତ୍ରିର ପ୍ରଥମ ପ୍ରହରେ
ଅଗଣିତ ତାରକାଙ୍କୁ ଅବହେଳା କରି
କାଳୀ ବୋହୁ ପରି ଅନ୍ଧକାର, ଆସେ ଧୀରେ ଧୀରେ
ଲୁଚି ଲୁଚି ଅଭିଆଡ଼ି ସନ୍ଧ୍ୟାର ପଛରେ ।
ରାତ୍ରିର ଦ୍ୱିତୀୟ ପ୍ରହର
ବିଜୟ ଅନ୍ଧକାରର
ଏଠି ହୁଏ ଚୋରି,ପାପ ପୀରତି, ଅଣଚାଶ କଳା ବଜାରୀ
ସହରର ଶେଷ ବତୀ ଖୁଣ୍ଟ ନିକଟରେ ହୁଏ ପ୍ରେମ ବିକ୍ରି ।।
ଏହି ଅନ୍ଧକାର ହିଁ ଲୁଚାଇ ରଖିଛି ଅସରନ୍ତି ପାପ ଓ ପ୍ରଣୟ
ଅନ୍ଧକାର ହେଲେ ବେଳବେଳେ ,ମୋ ପଡ଼ୋଶୀନୀର ମୁଁ ମନେପଡେ ।
କେବେକେବେ ମୁଁ ବି କହିଛି ଅଳସୀ ସନ୍ଧ୍ୟାକୁ
ଆସ ଆଜି ଥରେ... ରାତ୍ରିର ଅନ୍ଧକାରରେ ।
ଲାଜକୁଳୀ ବୋହୂ ବି ସାଜନ୍ତି, ରତି ଶାସ୍ତ୍ରର ନିର୍ଲଜ ନାୟିକା
ଏ ଘନ ଅନ୍ଧକାରର ମାଦକତାରେ..... ।।
କେବେ କେହି କେହି ଦିନରେ ବନ୍ଦ ଝର୍କାର ପଛରେ....
ଖୋଜନ୍ତି ଅନ୍ଧକାରର ନିବିଡ ଆଲିଙ୍ଗନ
କିଏ ଜଣେ କହୁଥିଲା ପ୍ରେମର ଇତି ହୁଏ ଅନ୍ଧକାରରେ ।।
କିନ୍ତୁ ମୋ ଛାତ ତଳେ, ଏହି ଯୋଉ ଅନ୍ଧକାର
ତା ସହ ମୋ ବନ୍ଧୁତା କାହିଁ କେତେ ଗଭୀର ।
ସେ ହିଁ ଆଙ୍କିଥାଏ ମୋ ପାଇଁ କିଛି ପ୍ରିୟ ଛବି କେଉଁ ଶ୍ୟାମଳି ମେଘର ,
ରାତ୍ରିର ତୃତୀୟ ପ୍ରହରେ,....
ସେ ହିଁ କେବଳ ଦେଖିଛି ମୋ ଭିତରେ ଗୋଟିଏ ନିରୀହ ବାଧ୍ୟ ଶିଶୁ
ଶାନ୍ତ ମୂର୍ତ୍ତି ପରି ଚୁପଚାପ ଛିଡା ଅତୀତ ସାମ୍ନାରେ ।
କେତେ ଅଭିମାନ ଓ ଅଭିଯୋଗର ମଳିନ ପୃଷ୍ଠା ହାତରେ ଧରି
ନିରସ ଓଠ ଓ ଉଦାସ ଆଖିରେ ନିଜର ଭୁଲର ଅଙ୍କ କଷିବାରେ ।।