ପ୍ରେମିକାର ମିଛ
ପ୍ରେମିକାର ମିଛ
ମଳିନ ପୃଷ୍ଠା, ପୁରୁଣା ଡାଏରି , ଶେଷ ହେଇଛି ଖାଲି ମିଛରେ
ମନେ ନାହିଁ ସେ ମିଛ ଗୁଡାକ କାହାର ।
କେଉଁ ବର୍ଷା ରାତ୍ରିର କି କେଉଁ ଅଳସ ଅପରାହ୍ନର ।
ଦୁନିଆର ସବୁ ମିଛ, କରିଛି କାହାକୁ ଉଦାସ
ଦେଇଛି ଅସରନ୍ତି ଦୁଃଖ ,ମୃତ୍ୟୁ କି ନିର୍ବାସନ
ଦେଇଛି ବି ସୀମାହୀନ ମୁକ୍ତାକାଶ, ଲୋହିତ ଭୋଗ ବିଳାସ
ଦେଇଛି ଜୀବନ ବା ଅସରନ୍ତି ଆଲିଙ୍ଗନ ।
କିନ୍ତୁ ମିଛକୁ ସମସ୍ତେ କରିଛନ୍ତି ଘୃଣା, ଯଦିଓ କରିଛନ୍ତି ଆପଣାର ।
ରଖିଛନ୍ତି ନିଜର ସମ୍ମାନ କରିଛନ୍ତି ସମ୍ପର୍କ ସୁନ୍ଦର
ମିଛଟା ଖୁବ ପ୍ରଭାବଶାଳୀ, ଯାଇପାରେ ଖୁବ ଦୂର ।
ସତ ର କୋଣାର୍କ କୁ କରିପାରେ ଚୁରମାର
କିନ୍ତୁ ଏ ଯେଉଁ ମିଛ ଲେଖା ହେଇଛି ମୋ ଡାଏରି ରେ
କେଉଁ ଏକ ହଜିଯାଇଥିବା ଅତୀତରେ
ଧରିରଖିଛି ଶୂନ୍ୟ କାଳର ଅନ୍ଧାର ।
ଏକାକୀ ବେଳାରେ ସେଇ ଅନ୍ଧାରରେ ଶୁଭେ କାହା ସ୍ୱର ଧୀରେ ଧୀରେ ......
ଭାବେ ଏ କଣ ସେହି ପନ୍ଦର ବର୍ଷ ତଳେ ଛାଡି ଆସିଥିବା ତୁମ ଛୋଟ ସହର ..?ହଷ୍ଟେଲ ର ଶେଷ ରାତ୍ରି...?
ସରି ଆସୁଥିବା ଗୋଟେ ସମ୍ପର୍କର କଦାକାର ଛବି ?
ନା ଅନାରକଲିର ଶେଷ ଚିତ୍କାର ?
ନା ମୋ ଜୀବନକୁ ବିପର୍ଯ୍ୟସ୍ତ କରିଥିବା ଗୋଟେ ଅଦିନ ଝଡ ?
ସେ ଯାହା ହେଉ ବିଶ୍ୱାସ କର ଖୁବ ଭଲ ପାଏ ତମ ମିଛ ଗୁଡାକୁ
ସତ କହୁଛି ପଢେ ମୁଁ ବାରମ୍ବାର ।
ହେଉ ପଛେ ମିଛ, କୁହନ୍ତ ହେଲେ ଆଉ ଥରେ
ମୋ ହୃଦୟରେ ବେଳେବେଳେ ଶୁଭେ ଏ ପ୍ରାର୍ଥନା ର ସ୍ୱର ।
ଛାଡ । ତୁମେ ଯାହାର ହେଉଛ ହୁଅ ।
କିନ୍ତୁ ତମର ଏ ମିଛ ଗୁଡାକ କେବଳ ମୋର।।।