ମନ କଥା,,
ମନ କଥା,,
ତୁ ଏମିତିକା
ମିଠା ସମ୍ପର୍କଟେ
ହୃଦୟର ସ୍ପନ୍ଦନରେ
ଶବ୍ଦ ହୋଇ ଝରେ
ପ୍ରତି ମୁହୂର୍ତ୍ତରେ
ନିତି ନୂଆ କଳ୍ପନାରେ।
ତୁ ଏମିତିକା
ମିଠା ଫୁଲଟିଏ
ମୋ ହୃଦୟ କୁଞ୍ଜବନେ
ମହକେ ଜୀବନ
ତୋ ମିଠା ମହକେ
ବିଭୋର ମୁଁ ନିଶିଦିନ।
ତୁ ଏମିତିକା
ମଧୁର ସ୍ପର୍ଶଟେ
ବସନ୍ତ ମଳୟ ପରି
ମତୁଆଲା ହୁଏ
ମୋ ମନ ଯମୁନା
ଅହରହ ହୁଏ ଝୁରି।
ତୁ ଏମିତିକା
ମିଠା କବିତାଟେ
ପଢିଲେ ଭରେନି ମନ
ଶବ୍ଦ ମହଲର
ସୁନେଲି କାନ୍ଥରେ
ନୀଳ ନୀଳ ସମ୍ମୋହନ।
ତୁ ଏମିତିକା
ରୁପସୀ ଜହ୍ନଟେ
ମିଠା ଜୋଛନାରେ ଭରା
ପ୍ରୀତିର ସରସୀ
ଅମୃତ କଳସୀ
ଅନୁରାଗ ଅପାଶୋରା।
ତୁ ଏମିତିକା
ମିଠା ରାଗିଣୀଟେ
ମୋ ମନ ବଇଁଶୀ ସୂରେ
ନିତି ଝରିପଡ଼ୁ
ମୋ ଅଧର ଛୁଇଁ
ସ୍ମିତ ହସି ଗୋପନରେ।
ତୁ ଏମିତିକା
ଚିତ୍ରପଟ୍ଟଟିଏ
ମୋ ଆଖି ପଲକ ତଳେ
ଉଦାସୀ ମନରେ
ଭରିଯାଏ ଖୁସି
ସପ୍ତରଙ୍ଗୀ ଶବ୍ଦ ମେଳେ।
ତୁ ଏମିତିକା
ଉଜ୍ବଳ ଶିଖାଟେ
ମୋ ହୃଦୟ ମନ୍ଦିରରେ
ଅଖଣ୍ଡ ଜ୍ୟୋତି ସେ
ପବିତ୍ର ପ୍ରୀତିର
ଐଶ୍ଵରିକ ଇସାରାରେ।

