ସଂଜର ସଂଳାପ
ସଂଜର ସଂଳାପ
ସ୍ବପ୍ନ ଅନନ୍ତ, ସ୍ମୃତି ଅସରନ୍ତି
ତଥାପି ଏଠି ପ୍ରେମ ପ୍ରତାରଣା;
ଜହ୍ନ ତାରା ଆଉ ଆକାଶକୁ ନେଇ
ମୋ ପାଇଁ ସଂଜର ସଂଳାପ ଅଗଣତି ।
ଅଂଧାରର ପାହାଚରେ
ସଂତର୍ପଣରେ ପାଦ ଥାପି ଥାପି
ଏବେ ବି ତାହାରି ପ୍ରତିଧ୍ଵନିରେ
ଜୀବନ କରୁଅଛି ନୀରବରେ ଗତି ।
ଭାରି ନିବିଡ଼ ଏ ମୂହୁର୍ତ୍ତ
ମୋ ଲାଗି ଜୀଇଁବାର ରାହା
ପ୍ରାପ୍ତିର ପରମ ତୃପ୍ତିରେ
ଆଜିଯାଏଁ ସାଇତି ରଖିଛି ଯାହା ।
ସତେ ଅବା ମଳୟର ସତେଜ ସମ୍ଭାର
ମହମହ ମହକର ଛିଟାଧାର
କୁଳୁକୁଳୁ ଝରଣାର ମଧୁର ସଙ୍ଗୀତ
ପୁଣି କେବେ ବୈଶାଖର ମୂର୍ଚ୍ଛିତ ପ୍ରହର ।
ସବୁ କିଛି କାହାଣୀ ପରି
ନାଭିରୁ ନକ୍ଷତ୍ର ଯାଏ
ତାଳୁ ତଳିପା ଯାଏ,
ହଁ ଏ ସଂଜର ସଂଳାପ
ଯେ ତାରୁଣ୍ଯର ଢେଉକୁ ସମୟ କ୍ରମେ
ଆବଦ୍ଧର କାରୁଣ୍ଯରେ ବଦଳାଏ ।