ଜୀବନ୍ତ ଅନ୍ୱେଷଣ
ଜୀବନ୍ତ ଅନ୍ୱେଷଣ
ଏ ସ୍ୱପ୍ନ ମାନେ ହିଁ ମତେ
ଜୀବିତ କରି ଦିଅନ୍ତି
ପ୍ରତ୍ୟୁଷାର ପ୍ରଥମ ପାଦରେ ।
କାହାର ଭାବନାରେ ଖୋଲୁଥିବା
ଶିଥିଳ ଆଖିଟେ
ତନ୍ଦ୍ରାହୀନ ପୂର୍ଵ ରାତ୍ରୀର ଚିତ୍ର କୁ
ପୁଣିଥରେ ଦୋହରାଇ ଦିଏ ।
ମୁଁ ଯେ ସେଇ ଶରଧାବାଲି ରେ
ଗଡୁଥିବା ସ୍ୱପ୍ନ ଶାମୁକା
ନିଜ ଭିତରେ ମୁକ୍ତା ଟିଏ ଧରି
ଭବିଷ୍ୟତ ର କାମନା କରେ ।
ଜାଣିଛି ଭବିଷ୍ୟତ ଏକ ପ୍ରଶ୍ନ
ତେବେ ବି ଅନ୍ୱେଷଣ କରେ
ଦୀର୍ଘ ସମୟ ର ପ୍ରତି ମୁହୂର୍ତ୍ତକୁ ।
ମୋ ଚିବୁକ କୁ ଛୁଇଁ ଚାଲି ଯାଇଥିବା
ହାତ ର ସ୍ପର୍ଶ
ଏକ ଜୀବନ୍ତ ଅନୁଭଵ,
ଆକାଂକ୍ଷା ର ନିସୃତ ପ୍ରହରେ
ପୂର୍ବ ରାଗ କୁ ନେଇ
ଆଂଶିକ କବିତା ଟେ ଲେଖେ ।
ଆଜି ବି ତୁମେ
ନିଶିଗନ୍ଧା ହୋଇ ଝରି ଯାଉଛ
ସେଇ ନିଶବ୍ଦ ପ୍ରହରେ,
ଅନ୍ଧକାରର ଗାଢ଼ତା ଭିତରେ
ଧୀରେ ଧୀରେ ଲୁଚି ଯାଉଛି ମୁଁ ।
ସେଇ ନୀଳ ଆକାଶ ,
ସ୍ୱଚ୍ଛ ପବନ,
ଡିମ ଡିମା ତାରା ପୁଣି କିଛି
ମୋ ମନର ପ୍ରେମାନୁରାଗ
ଆଉ ତୁମେ ରହି ଯାଇଛ
ମୋ କଥାକୁହା ଓଠର ନୀରବତା ରେ ।