ଏଞ୍ଜେଲ
ଏଞ୍ଜେଲ
ଏଞ୍ଜେଲ୍
------------
ସେ ଏଞ୍ଜେଲଙ୍କର ମର୍ତ୍ତ୍ୟ ପୁରୀରେ
କର୍ମ ଶେଷ ହେବାପରେ
ସ୍ୱର୍ଗର ରାସ୍ତାକୁ ଦେଖିଥିଲେ ଥରେ
ସ୍ୱର୍ଗର ରାସ୍ତାଟାବି ଖୋଲାଥିଲା ସେଦିନ
ମା' ଆଦିଶକ୍ତି ଯେ ଓହ୍ଲାଇ ଆସିଥିଲେ,
ଆଶ୍ୱିନର ଆବାହନରେ ।
ତର୍ପଣ ପରେ ଅର୍ପଣର ଅର୍ଘ୍ୟ ଥିଲା
ଜୀବନର ଦର୍ପଣରେ
ସିନ୍ଦୁରୀତ ସନ୍ଧ୍ୟାଟିଏ ଥିଲା,
ପଣତ କାନୀରେ ଘୋଡେ଼ଇ ଦେଇଥିଲା
ରାତ୍ରୀ ପୃଥିବୀକୁ
ହେଲେ କୃଷ୍ଣକାୟାରେ ପରିଣତ
ହୋଇ ପାରୁନଥିଲା ରାତ୍ରୀ
ଆଲୋକର ବିଚ୍ଛୁରିତ ତରଙ୍ଗମାଳାରେ ।
ରକ୍ତବର୍ଣ୍ଣରେ ବିଭୂଷିତ ପାଦଚିହ୍ନ
ପଡ଼ି ପଡ଼ି ଆସିଥିଲା ସ୍ୱର୍ଗରୁ ମର୍ତ୍ତ୍ୟକୁ
ସେଇ ପାଦଚିହ୍ନର ଅନୁସରଣରେ
ଏଞ୍ଜେଲ ଜଣକ
ଧୀରେ ଧୀରେ ସିଡ଼ି ଚଢ଼ୁଥିଲେ
ଉପରକୁ ଉପରକୁ ଖୁବ୍ ଉପରକୁ
ଯେଉଁଠି ରହି ସେ ଦେଖିପାରିବେ
ତାଙ୍କ ହାତଗଢ଼ା ସାମ୍ରାଜ୍ୟକୁ।
ଆକାଶ ତଳେ କୋଟି କୋଟି
ଲୁହବତୁରା ଆଖିଙ୍କର ଗୁଞ୍ଜରିତ ହେଉଥିଲା
କୋହଭରା ଶବ୍ଦ,
" ଫେରିଆସ ଏଞ୍ଜେଲ୍
ଏ ପୃଥିବୀ ପୁଣିଥରେ ତୁମକୁ ଖୋଜୁଛି"
ତୁମ ସମର୍ପଣରେ ବଞ୍ଚିବାର ଅଭ୍ୟାସରେ
ଏ ଜଗତ ପଡିସାରିଛି
ଆଗକୁ ବଢୁଥିବା ପାଦ
ପଛକୁ ଫେରିନଥିଲା ସେଦିନ।
ଏଞ୍ଜେଲ ଜଣକ ପୃଥିବୀ ଲୋକରୁ ଯାଇ
ସ୍ୱର୍ଗ ଲୋକରେ ପହଞ୍ଚିଲା ପରେ
ସ୍ୱର୍ଗଲୋକ ସପ୍ତବର୍ଣ୍ଣ ଆଲୋକରେ
ଝଲସି ଉଠିଲା,
ଈଶ୍ୱର ସିଂହାସନରୁ ଉଠିଆସି
ପାଛୋଟି ନେଇଥିଲେ ସ୍ୱର୍ଗଦୂତଙ୍କୁ,
କର୍ମ ଯାହାର ଆରାଧ୍ୟ କାମନା
ବଞ୍ଚିବାଟା ବ୍ୟର୍ଥ ନୁହେଁ ସେଇଠି।
ଏକାନ୍ତର ମୋହ ଯେ ସ୍ୱପ୍ନର ପୂର୍ଣ୍ଣତା
ସେ ତୃପ୍ତିର ଉଦାହରଣ
ଜୀବନ ଅନୁକମ୍ପାର ଦାସତ୍ୱ ସ୍ୱୀକାର କରେନା
ସେ ଦିବ୍ୟଜ୍ଞାନର ପରିପ୍ରକାଶରେ ।
ଏଞ୍ଜେଲ ଥିଲେ ସ୍ୱଦେହୀ ଏକାତ୍ମା
କରୁଣାରେ ଅଶ୍ରୁକୁ ପୋଛିଦେଉଥିବା ହାତ,
ସେ ହାତକୁ ଛୁଇଁବାଇ ଭାଗ୍ୟଥିଲା
କଥାକହିପାରୁନଥିବା ଜୀବନର ।
ପୋଷ୍ୟ ଜୀବନ "ଗୋଆ"
ସେଦିନ କରିଥିଲା ଶେଷ ଦର୍ଶନ
ଉପବାସରେ ଥାଇ ସେ ପ୍ରଭୂଭକ୍ତିର
ପରିଚୟ ଦେଇଥିଲା ସେଦିନ
ଷଷ୍ଠ ଇନ୍ଦ୍ରିୟର ଆଶୀର୍ବାଦରେ
ସେ ସ୍ୱଚକ୍ଷୁରେ ଦେଖିଥିଲା ଦିବ୍ୟପୁରୁଷଙ୍କୁ ।
ଧନ୍ୟ ସେ ପ୍ରଭୂଭକ୍ତ ' ଗୋଆ'ର ଜୀବନ
ଏଞ୍ଜେଲଙ୍କ ହାତସ୍ପର୍ଶରେ
ପ୍ରାରବ୍ଧର ପାପ ତା'ର ଧୋଇ ଦେଇଥିଲା
ଫୁଲର ଅର୍ଘ୍ୟରେ ବସି
ବିଦାୟର ବେଳେ ଯନ୍ତ୍ରଣାରେ ସେ
ତଳେ ଲୋଟି ପଡ଼ିଥିଲା।
ଏକାନ୍ତରେ ଅନ୍ଧକାର ରାତ୍ରିରେ
ଜୀବନସାରାର ଖୋଜ୍ ମୋର
ଦିନେ ଏଞ୍ଜେଲଙ୍କୁ ଭେଟିବି
ଯେଉଁଦିନ ଭେଟିବି
ଏ ଜୀବନରେ ମୋକ୍ଷର
ଆଶୀର୍ବାଦ ଟିଏ ନିଶ୍ଚିତ ମାଗିବି।
