STORYMIRROR

Gargi Mishra

Romance Inspirational

3  

Gargi Mishra

Romance Inspirational

ବୃକ୍ଷ

ବୃକ୍ଷ

1 min
190

ମାଟି ପାଣି ଆଉ ସୂର୍ଯ୍ୟାଲୋକେ ହୁଏ ବୀଜ ଅଙ୍କୁରୋଦଗମ..

ଆଜି ଥିଲା ଯିଏ କ୍ଷୁଦ୍ର ଗଜାଟିଏ କାଲି ହୁଏ ମହାଦ୍ରୁମ

ଶାଖା ପ୍ରଶାଖାରେ ମେଲିଥାଏ ତାର ଆଶା ଆଉ ପ୍ରତିଶୃତି

କୀଟ ପତଙ୍ଗ ସରୀସୃପ ପଶୁ ପକ୍ଷୀ ଆଉ ଏ ମାନବ ଜାତି

ସଭିଙ୍କର ହିତ ଚାହୁଁଥାଏ ସେତ ଆଶା ତ କରେନି ତିଳେ

ପ୍ରକୃତି ପରଶେ ହରଷ ଉଲ୍ଲାସେ ଠିଆହୁଏ ନିଜ ବଳେ

ହେନା ଜୁଇ ଜାଇ ଗୋଲାପ ତରାଟ ଶୋଭା ସୁଗନ୍ଧ ବିସ୍ତାରେ

ଆମ୍ବ ପଣସ ଓ ସପୁରି କଦଳୀ କ୍ଷୁଧା ପ୍ରଶମିତ କରେ

ମାଟିରେ ଜନମି ମାଟିକୁ ଜାବୁଡି ହେବାକୁ ନଦିଏ କ୍ଷୟ

ଶାଳ ପିଆଶାଳ ଶିଶୁ ଶାଗୁଆନ ଲୋଭେ ଜଙ୍ଗଲ ବିଲୟ

ଆଶ୍ରୟ ନପାଇ ପଶୁପକ୍ଷୀ ମାନେ ମରଣ ନିଅନ୍ତୁ ଆବୋରି 

ପୃଥିବୀ ଗୋଟାକ କବ୍ଜା କରିବା ମଣିଷକୁ ପଡେ ଭାରି l

ବିନା ଭାବିଚିନ୍ତି ଗଛ କାଟିବାକୁ ଲାଗେ ମାତ୍ର ଏକ କ୍ଷଣ l

ବୃକ୍ଷଟିଏ ପରା ବଡ଼ ଦ୍ରୁମ ହେବା ବର୍ଷ ବର୍ଷର ସାଧନ l

ଜାଳ ଔଷଧ ବକଳ ପରିବା ପବନ ଓ ଅମ୍ଳଜାନ

ପ୍ରକୃତିର ଭାରସାମ୍ୟ ରଖି ଯେକରେ ପାଣିପାଗ ସମାଧାନ l

ବୃକ୍ଷ ବୃଦ୍ଧିକରେ ବୃଷ୍ଟି ଧରାବକ୍ଷେ ମରୁଡି ନପଡେ କେବେ

ନବୀନ ନିର୍ମଳ ପରିବେଶଟିଏ ସବୁଜିମାରେଯେ ଶୋଭେ 

ପାଦପ କେବେହେଁ ପାଟିତ ନଖୋଲେ ସହେ ଦୁଃଖ ଆଉ କଷ୍ଟ 

ବୃକ୍ଷଟିଏ ପରା ସାକ୍ଷାତ ଈଶ୍ୱର ବୃକ୍ଷ ବିନା ସୃଷ୍ଟି ନଷ୍ଟ 

ଜିଁ ଥାଉଁ ଥାଉଁ ଅହରହ କରେ ଜଗତର ଉପକାର 

ପର ସେବା ପରାଏ ଜୀବନ ବ୍ରତ ପତ୍ରେ ପତ୍ରେ ତା ସ୍ଵାକ୍ଷର

ଶିଖିବା ବୃକ୍ଷଠୁଁ କର୍ତ୍ତବ୍ୟ କରିବା ହୋଇ ଯେ ନିସ୍ଵାର୍ଥପର

ପର ଜନ୍ମ ଯଦି ଥାଏ ମୋର ଭାଗ୍ୟେ ବୃକ୍ଷଟିଏ ପ୍ରଭୁକର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance