ପ୍ରୀତିମଗ୍ନା
ପ୍ରୀତିମଗ୍ନା
ଆନନ୍ଦର ସମୁଦ୍ରେ ବିଶାଳ ବକ୍ଷ
ତିନ୍ତିଯିବାକୁ ତାର ଦୁଇପଦ ସଚ୍ଚୋଟ
ବାସ୍ତବିକତାଭରା କଥା
ହଜିଯିବାକୁ ତା' ଆଖିରେ ଭାବନାର ସୁଅ
ସୁଦୀର୍ଘ ତାର ବାହୁ ବେଷ୍ଟନି ଅପେକ୍ଷାରେ ଚାହିଁଥାଏ
ଅଚିରେ କରିନେବାକୁ କୋଳାଗ୍ରତ ।
କେହି ବୁଝୁ ନ ବୁଝୁ
ଦୂରରେ ଉଡୁଥିବା ପାଣି କୋଇଲି
ସବୁବେଳେ କାନ ପାତିରହେ
ବେଳାଭୂମି ପରେ କଚାଡି ହେଉଥିବା
ସାଗରର ବ୍ୟଗ୍ରତା ବୁଝିବାକୁ
ଆତ୍ମା ତାର ଆଜି କାହିଁ ଅଣାୟତ ?
ବସି ବସି ବୁଝାଏ...
ପତ୍ରଝଡା ଋତୁର ଆଙ୍ଗୁଠିସ୍ପର୍ଶରେ
କଣ ଦିଶେନି
ପାଖୁଡା ପାଖୁଡାରେ ଲିଖିତ ଆସକ୍ତି ଆଉ
ସକଳ ଯାଏ ମହକ ହରାଇ ନଥିବା
ଝରା ଶେଫାଳିର ହସ???
ଟୋପା ଟୋପା ବର୍ଷା, ବିନ୍ଦୁ ବିନ୍ଦୁ କାକର
ଆଉ ମୁଣ୍ଡଫଟା ଖରା ସହି ଦୂର୍ଗମ ପଥର ଯାତ୍ରୀ
ଅଙ୍କା ବଙ୍କା ପାହାଚ ପରେ ପାହାଚ ଅତିକ୍ରମୀ
ଯେବେ ପହଞ୍ଚିପାରେ ଗାଁ ମୁଣ୍ଡର
ସେଇ ପୁରୁଣା ବରଗଛ ତଳ
ଭାଗବତ ଟୁଙ୍ଗୀଠାରେ
ବିଶ୍ୱାସର ଅଲିଭା ଦୀପାଳିବି ତେଜିଉଠେ l
ନଚେତ ଦିଅଁ ବି ପଥର ହୋଇ ପଡିରହେ
ବିନା ଭକ୍ତିପୂତ ଅର୍ଘ୍ୟ, ବିନା ପ୍ରଣତି,ବିନା ନୈବେଦ୍ୟ
ଆଉ ବିନା ତାର ସେଇ ଏକାଗ୍ରଚିତ୍ତ ଭକ୍ତ
ସତ ମିଛ କିଛି ନଥାଏ ଏ ଜୀବନରେ
ଫିଙ୍ଗିଦେଇ ପାରେ ଯଦି ମଣିଷ ନିଜକୁ ବିଶ୍ୱାସର ମହୋଦଧିରେ
ଦୁଃଖ, ନିରାଶା, ନିର୍ଯାତନାର କଟୁ ଲବଣତ୍ତ୍ୱରେ
ଭିଜି ଭିଜି ଆତ୍ମା ଯେବେ ଥରୁଥାଏ
ତେବେ ଯାଇ ସନ୍ଧ୍ୟା ପିଇ ପିଇ ପବିତ୍ରତା ଲଭିଥିବା
ଶିଖାଭିତରେ ଥିବା ଆଧ୍ୟାତ୍ମିକ ଉଷ୍ମତାକୁ ପାଏ l
ସେ ଦୀପ୍ତ ପ୍ରାଙ୍ଗଣରେ କି ଥାଏ ଆଉ ନିର୍ଜନତା?
ସେଠି କି ଅଭାବବୋଧ?
ଅପ୍ରାପ୍ତି, ଅତୃପ୍ତିର ନିର୍ଦ୍ଦୟ ଅପରାହ୍ନର
ଧୂସର ପଥରେ କତରାଲାଗି ପଡିଥିବା
କ୍ଳାନ୍ତ ପଥିକ ଆଖିଟେକି ଚାହେଁ,
ଖରାକୁ ଢାଙ୍କି ଆକାଶ ଯେବେ ତାର ଛାଇ ଛାଇଆ
ଶୀତଳତା ବୁଣେ, ହୁଏତ ବୁଝିନେବାକୁ ହୁଏ
ଯେ ଭକ୍ତ ଆଉ ଭଗବାନ
ସଦା ସର୍ବଦା ଏକ, ସଦା ସର୍ବଦା ଅବିଭକ୍ତ l।