ନିଜ ଭୁଲ ପାଇଁ
ନିଜ ଭୁଲ ପାଇଁ


ବଡ଼ ଭୁଲ ଦିନେ କରି ବସିଗଲି
କହିକି ପାରିବି କାହାକୁ
ସହି ହେଉନାହିଁ ଜୀବନ ଯନ୍ତ୍ରଣା
କ୍ଷମା କିଏ ଦେବ ନିଜକୁ ।
ଜୀବନର ଏହି ରଥଚକ ତଳେ
ଚାପି ହୋଇଗଲି ନାହିଁକି
ବିପରୀତ ଲିଙ୍ଗ ନିତି ମୋ' ହୃଦକୁ
ଭଣ୍ଡାଏ ପ୍ରେମ ଏ କହିକି ।
ଭୁଲିଗଲି କିଏ ବାପା ଆଉ ମାଆ
ଭାଇ ବନ୍ଧୁ ଓ ସହୋଦର
ସଭିଏଁ ମୋ ପାଖେ ତୁଚ୍ଛ ହୋଇଗଲେ
କାମନା ପାଇଁକି ବିଭୋର।
ଧରିପଳା ହୋଇ ସଂସାର ହାଟରେ
ପତି ଓ ପତ୍ନୀ ହୋଇଗଲୁ
ସମାଜେ ସ୍ବୀକୃତି ଦେଉ କି ନଦେଉ
ସଗର୍ବେ ଆଗକୁ ଚାଲିଲୁ।
ସମୟର ସ୍ରୋତ ବଡ଼ ବଳବାନ
କାମନା ନିଆଁରେ ଜଳିକି
ଫୁଟବଲ ଟିମ ଗୋଟିଏ ଗଢି଼ଲୁ
ପୁଅର ଲକ୍ଷ୍ଯରେ ଚାହିଁକି ।
ଝିଅମାନେ ଆଜି ବଡ଼ ହୋଇକରି
ନିଜର ସୁବିଧା ଖୋଜିଲେ
ଆମେ ବାପା ମାଆ ଲୁହକୁ ନ ବୁଝି
ନିଜ ରାସ୍ତା ନିଜେ ଧରିଲେ ।
କିଏ କେଉଁ ଜାତି କିଏ କେଉଁ ଧର୍ମ
ଠିକଣା ପାଇବା ନୋହିଲା
ବଞ୍ଚି ଥାଉଁଥାଉଁ ନିତି ମରିବାଟା
ଯେମିତି ସାର ହିଁ ହୋଇଲା।
ଆଜି ବୁଝିଗଲି କାମନା ବଡ଼ ନା
ଜାତି ଗୋତ୍ର ଓ ପରିବାର
ବାପା ମାଆ ସତେ ଚଳନ୍ତି ଠାକୁର
ହେୟଜ୍ଞାନ ହିଁ ପତନର।
ନିଜ ଭୁଲ ପାଇଁ ଅନୁତାପେ ସଢି଼
ଯଦିଓ ମରୁଛି ସର୍ବଦା
ପଛକୁ ଫେରିବା ନିଶ୍ଚିତ ବାଧକ
ଜାତିଗୋତ୍ର ଧର୍ମ ହିଁ ଭେଦା।
ହେ ମୋର ଯେତେକ ଭାଇ ଓ ଭଉଣୀ
ଏହିପରି ଅପବାଦରୁ
ମୁକ୍ତି ଚାହୁଁଥିଲେ ବାପା ଓ ମାଆଙ୍କୁ
ହେୟ ଭାବିବନି ଜମାରୁ ।