ଅବଶୋଷ
ଅବଶୋଷ
ଦେଖ ଗାନ୍ଧୀବୁଢା ହସେ ଅମରପୁରୀ'ରୁ
ତାତ୍ସଲ୍ୟ କରି କହୁଛି ତୁମେ ସବୁ ଭୀରୁ ।
କା'ପୁରୁଷ ତୁମେ ସବୁ ଶ୍ବାପଦ ସମାନ
ଭାରତ ବର୍ଷରେ ମୋର ଦେଲ ଅପମାନ ।
ଭାବିଥିଲି ଗଢି ଦେବି ମୁଁ" ରାମ ରାଇଜ
କି'ଥିଲା ସପନ ମୋର କି'ହୋଇଛି ଆଜ ।
ସବୁ ସ୍ୱପ୍ନ ଭାଙ୍ଗିଦେଲ ରେ'ପାପୀଷ୍ଠ ଦଳ
ଯାଦବ ପରାୟେ ନାଶ କଲ ନିଜ କୁଳ ।
ଲାଜ ନାହିଁ ତଵ ମୁଖେ ଆରେ ଅବିବେକି
ଭାବିଛ ମୋରାଜ୍ୟ ଦେବ ଅନ୍ୟହସ୍ତେ ଟେକି ।
ମୋ'ରାଇଜେ କେଉଁଦ୍ରବ୍ୟ ଥିଲାରେ ଅଭାବ
ଋଣ ଭାରେ ବୁଡାଇଲ ସକଳ ସମ୍ପଦ ।
ଧର୍ମ ନାମେ ବୁହାଇଲ ରକତ ଝରଣା
ରାଜନୀତି ନାମେ ନରେ କଲ ପ୍ରତାରଣା ।
ନିଷ୍କଳଙ୍କ ମୁଖେ ବୋଳି ଦେଲରେ କାଳିମା
ନିର୍ଲଜ ମୁଖରେ ପୁଣି ଦେଖାଅ ବଡ଼ିମା ।
ଅନ୍ନବିନା ମରେ ଆଜି ମୋ'ଦେଶ ସନ୍ତାନ
ତଥାପି ଛାଡିଲ ନାହିଁ ବିଳାସ ବ୍ୟସନ ।
ଭାବିଥିଲି ଗଢିଦେବି ମୋର ପ୍ରିୟ ଦେଶ
ମନେ ମୋର ରହିଗଲା ବହୁ ଅବଶୋଷ ।
ହସଲାଗେ କାହିଁ ଆଜି ଦେଖି ତୁମ କାର୍ଯ୍ୟ
ସରିଲା ଆୟୁଷ ତୁମ ଧ୍ୱଂସ ଅନିବାର୍ଯ୍ୟ ।