ବୋଉ
ବୋଉ
ତୋ କୋଳରେ ମଥା ରଖି ଶୋଇଗଲେ,
ମିଳିଯାଏ ସ୍ୱର୍ଗ ସୁଖ,
ମେଣ୍ଟିଯାଏ ଅୟୂତ ଯୁଗର କ୍ଳାନ୍ତି ।
ତୋ ପଣତରେ ମୁହଁ ପୋଛିଦେଲେ,
ଲିଭିଯାଏ ମନ ତଳର ,
ଅକୁହା ଦୁଃଖର ଦାଗ ।
ତୋ ହାତର ପରଶରେ ମୋର,
ସବୁ ରାଗ,ଋଷା ଓ ଅଭିମାନର ସୌଧ,
ଭାଙ୍ଗିଯାଏ ଖଣ୍ଡ ଖଣ୍ଡ ହୋଇ ।
ସବୁ ଟୁକଡାକୁ ହାତ ପାପୁଲିରେ,
ସାଉଁଟିଲା ବେଳେ,
ଓଠରେ ତୋ ଖେଳୁଥାଏ ଧାରେ ହସ,
ଯେଉଁଥିରେ ଫୁଟୁଥାଏ ,
ଅନେକ ସ୍ୱପ୍ନର କଢ ।
ଜଳୁଥାଏ ଲକ୍ଷେ ଆଶାର ଦିପାଳୀ,
ଆଉ ଝରୁଥାଏ ସହିବାର ସୀମାହିନ ଧାର ।
ବୋଉଲୋ ତୋ କଅଁଳ ମନରେ,
କିଏ ଦେଲା ଏତେ ଧୋର୍ଯ୍ୟ,
କେମିତି ତୁ ସହିଗଲୁ ,
ମାଡ ଆଉ ଗାଳିର ଅଦେଖା ଚିହ୍ନ,
ଲୁହ ସବୁକୁ ପିଇଗଲୁ ଅମୃତ ଭାବି,
ଓଢଣା ତଳେ ଲୁଚେଇଲୁ,
ତୋ କାନ୍ଦୁରା ମୁହଁ ।
ଟୋପାଏ ସିନ୍ଦୂର ଆଉ ଦିପଟ ଶଙ୍ଖାକୁ,
ମାନିନେଲୁ ଜୀବନର ସର୍ବସ୍ୱ,
ପାଲଟିଗଲୁ ତୁଠ ପଥର ,
ଆଉ ଆଜି ଚାଲିଗଲୁ,
ଅହ୍ୟ ଡେଙ୍ଗୁରା ବଜେଇ,
ସଧବା ବେଶରେ ।
ଛାତି ତଳେ ନେଇଗଲୁ,
ଗୁଡାଏ ଦୁଃଖ ଓ ଜନ୍ତ୍ରଣା ।
ତଥାପି ତୋ ମୁହଁଟି ଦିଶୁଥିଲା,
ସଦ୍ୟ ଫୁଟା ପଦ୍ମଟିଏ ପରି,
ମଥାରେ ତୋ ଚିକ୍ ଚିକ୍ କରୁଥିଲା,
ଲାଲ୍ ସୂର୍ଯ୍ୟର ଆଭା,
ସେଇ ସୂର୍ଯ୍ୟର ଲାଲିମାରେ,
ତୁ ହେଇ ଯାଇଥିଲୁ ଅହ୍ୟ ସୁଲକ୍ଷଣୀ ।