STORYMIRROR

Sanskruti Mohanty

Abstract

1.0  

Sanskruti Mohanty

Abstract

ବାପଘର

ବାପଘର

2 mins
2.8K

ବାପଘର

ମହ ମହ ବାସ୍ନାଭରା ସ୍ମୃତିର

ଆଞ୍ଜୁଳାଏ ଜୁଇ ଫୁଲ

ସ୍ୱପ୍ନମଖା ପ୍ରଜାପତିର

ଝିଲିମିଲି ଡେଣା

ନୀଳ କଇଁର ମନ ନେଇ

ଦୂର ଜହ୍ନକୁ ଛୁଇଁବାର ନିଶା

ପାହାନ୍ତି ତାରାର

ଚିକ୍ ମିକ୍ ଆଖିର ଇସାରା

ଶାଗୁଆ ଧାନ ବିଲରେ

ପବନର ଗୁଣୁଗୁଣୁ ଗୀତ

ନିଶୂନ ଖରାବେଳେ

ଆମ୍ବତୋଟାରେ ବୋହୂଚୋରୀ ଖେଳ

ଏକ ବେଖିଆଲି ମନ ନେଇ

ପହିଲି ଆଶାଢ଼ର ବର୍ଷାରେ

ଭିଜିବାର ମଜା

ଚୁଡି ଆଉ ପାଉଁଜୀର 

ରୁଣୁଝୁଣୁ ଶାହାନାଇ

ମାଆର ଲୁଗା ପିନ୍ଧି ମିଛି ମିଛି

ବର କନିଆଁର ଖେଳ

କୁଆଁରୀ ଆଖିରେ 

ସ୍ୱପ୍ନମଖା ଗୋଲାପି ରଙ୍ଗ

ଶୋରିଷ ଫୁଲର ମୁହଁରେ

ପଦ୍ମକଳିର ହସ

କଳା ମେଘି କେଶରେ

ଲାଲ୍ ଗୋଲାପର ସ୍ତବକ

ପୋଖରୀ କୂଳର ଟାହି ଟାପରା

ଚୁପି ଚୁପି କଥା ଆଉ ହସର ଜୁଆର

ମୁହୂର୍ତ୍ତକରେ ଭାଙ୍ଗି ଯାଏ ସ୍ୱପ୍ନର ମିନାର

ଝରିଯାଏ ଚୁନା ଚୁନା ପ୍ରିତୀର ତାରକସି କାମ

ଏନ୍ତୁଡି ଶାଳର ସମ୍ପର୍କକୁ କାଟି

ମୁଣ୍ଡରେ ହାତେ ଲମ୍ବର ଓଢଣା ଦେଇ

ଝିଅକୁ ଡେଇଁବାକୁ ହୁଏ

ବାପଘରର ଏରୁଣ୍ଡି ବନ୍ଧ

କଥାକୁହା ଶାରୀଟିଏ ଭଳି

ମାନିବାକୁ ହୁଏ ଶାଶୁଘରର ନିତୀ ନିୟମ

ମାପି ଚୁପି ଚାଲିବାକୁ ହୁଏ

ଜୀବନର ଚଲାବାଟ

ନିଜର କରିବାକୁ ହୁଏ

କେତୋଟି ଅଚିହ୍ନା ମୁହଁକୁ

ଲୁହର ଶାମୁକାରୁ ସାଉଁଟିବାକୁ ହୁଏ

ହସର ମୁକ୍ତାମାଳ

ବହିଯିବାକୁ ହୁଏ

ସହିବାର ସ୍ରୋତସ୍ୱନୀ ନଦୀଟିଏ ହୋଇ

ବାପଘରର ରାସ୍ତା ଲମ୍ବୁଥାଏ ଦୂରକୁ ଦୂରକୁ

ଝାଉଁ ବଣର ଗହଳରୁ

ଦ୍ୱିତୀୟା ଚାନ୍ଦ ପରି

ସେ ଦିଶୁଥାଏ ଫିକା ଫିକା

ଝାପ୍ସା ଦିଶୁଥାଏ ତାର କାନ୍ଥବାଡ

ଅଚିହ୍ନା ଲାଗୁଥାଏ ତାର ନଦୀପଠା

ବଉଳ ବେଦୀ ଓ କୃଷ୍ଣଚୂଡା ଫୁଲ

ତା ଉପରେ ମାଡିଯାଏ

ଶାଶୁଘରର ମଧୁମାଳତୀ ଲତା

ଲୁଚେଇ ଦିଏ ତାକୁ

ନାଲି ଫୁଲର ଓଢଣା ଭିତରେ

ତଥାପି ସେହି ଓଢଣୀ ଭିତରୁ

ବାପଘର ହସୁଥାଏ 

ଲାଜକୁଳୀ ଲତାଟିଏ ପରି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract