ବୟସ
ବୟସ
ଏମିତି ବୟସ ଆସେ,
ଯେତେବେଳେ ମନରେ ଫୁଟିଉଠେ,
ସ୍ୱପ୍ନର ଲକ୍ଷେ ସୁନା ଚମ୍ପା।
ଆଶାର କୁନି କୁନି ନୀଳ ଢେଉ,
ଲହଡା ଭାଙ୍ଗେ ହୃଦୟରେ,
ଆଖିର ନିଳୀମାରେ ,
ପରଖି ବାକୁ ହୁଏ ସାଗରର ନେଳି।
ଇଚ୍ଛା ହୁଏ ହେବାକୁ କେଉଁ ଏକ,
କବିତାର ଚୁଲବୁଲି ନାୟିକା,
ଅବା କେଉଁ ଶିଳ୍ପୀର କାନ୍ଭାସରେ,
ରଙ୍ଗ ଦିଆ ଆକାଶର ଲାଲ୍ ପରୀ।
ଜହ୍ନକୁ ଚାହିଁ ଚାହିଁ ବିତିଯାଏ,
ଅନେକ ତାରାଫୁଟା ଫୁଲ ସଞ୍ଜ,
ରଜନୀଗନ୍ଧାର ବାସ୍ନାରେ,
ମୋହମୟ ହୋଇ ଉଠେ,
ହୃଦୟର କୋଣ ଅନୁକୋଣ।
ମନକୁ ଧସେଇ ପଶି ଆସେ,
ପକ୍ଷୀରାଜ ଘୋଡା ଚଢି ରାଜା ପୁଅ,
ଅତି ଗୋପନରେ ଆଙ୍କି ଦେଇ ଯାଏ,
ଅନାବନା ସ୍ମୃତିର ପେନ୍ଥାଏ ଫୁଲ କଢ।
ଫଗୁଣର ଓଠରେ ଲାଗେ,
କୃଷ୍ଣଚୂଡାର ଲାଲ୍ ରଙ୍ଗ,
ଦେହ ମନରେ ଚହଟି ଯାଏ,
ଆମ୍ବ ବଉଳର ମହ ମହ ବାଷ୍ନା।
କାଶତଣ୍ଡୀ ଫୁଲର ପସରା ମେଲି,
ହସିଉଠେ ଜୀବନ,
କିଛି ନ ପାଇବା ଭିତରେ,
ମିଳିଯାଏ ସବୁ କିଛି ପାଇବାର ସୁଖ।
ହଠାତ୍ ଭାଙ୍ଗିଯାଏ କଲରେଇ ଫୁଲର ସ୍ୱପ୍ନ,
ସରି ସରି ଆସେ ବୟସର ଆୟୂଷ,
ରଙ୍ଗମଖା ଜୀବନ ଉପରେ,
ଜମି ଯାଏ ପରସ୍ତ ପରସ୍ତ ଧୂଳି।
ମରୁଭୂମି ପରି ହାହାକାର,
କରି ଉଠେ ହୃଦୟ,
ଫେରିଆସେ ପତ୍ରଝଡାର ଦିନ।
ଜୀବନ ଚାଲିଯାଏ ଦୂରକୁ ଦୂରକୁ,
ପଦ୍ମ ଭଳି ଘୁଞ୍ଚି ଯାଉଥାଏ,
ତାର ପ୍ରତିଟି ପାଖୁଡା,
ସ୍ୱପ୍ନମାନେ ଲୁଚିଯାନ୍ତି,
ଲୁହର ରେଶମୀ ଓଢଣୀ ତଳେ।
ତଥାପି ସ୍ମୃତିର ଫରୁଆରେ,
ସାଇତା ହୁଏ ସେଇ ବୟସର କେତୋଟି,
ସୁନେଲି ବାସ୍ନାଭରା ଝରାଫୁଲ।