ଖୁସିର ଠିକଣା
ଖୁସିର ଠିକଣା
ଲୁହର ଅଚିହ୍ନା ଇଲାକାରୁ
ହସର ଠିକଣା ଖୋଜୁଥିଲି
କିନ୍ତୁ ପାଉନଥିଲି
ପଦ୍ମ ଭଳି ଘୁଞ୍ଚି ଯାଉଥିଲା
ତାର ପ୍ରତିଟି ପାଖୁଡା
କୁହୁଡି ପହଁରିବାର ନିଶାରେ
ମୁଁ ଧାଉଁଥିଲି ଆଗକୁ ଆଗକୁ
ତଥାପି ଆଖି ପତାରେ ଲାଗିଥିଲା
ସ୍ୱପ୍ନର କୁହୁକ ଛୁଆଁ
ମନର ଅରମା ବଣରେ ଫୁଟୁଥିଲା
ଅନେକ ବଣମଲ୍ଲୀ
ମୁକୁଳି ପାରୁନଥିଲି
ମାୟାପୁରୀର ବନ୍ଧନରୁ
ଅବଶ ଦେହ ଆଉ ମନକୁ ନେଇ
ଖୋଜୁଥିଲି ଖୁସିର ସୁନା ହରିଣୀ
ଅଗନା ଅଗନି ବନସ୍ତରେ
ସେ ଖେଳୁଥିଲା ଲୁଚକାଳୀ
ପରିହାସ କରୁଥିଲା ମୋତେ
କହୁଥିଲା ପାରୁଛୁତ ଧରିନେ ମୋତେ
ହାତ ମୁଠାରେ ସାଉଁଟିନେ
ଦୁନିଆର ସବୁ ଖୁସିକୁ
ଉପଭୋଗ କର ଜୀବନର ପ୍ରତିଟି ମୁହୂର୍ତ୍ତ
ମୁଁ କିନ୍ତୁ ପାରୁନଥିଲି
ମୋ ଆଖି ସାମ୍ନାରୁ
ସେ ଚାଲି ଯାଉଥିଲା ଦୂରକୁ
ଦୂରକୁ
ଯେଉଁଠି ପହଞ୍ଚିବାର ରାସ୍ତା ସରିଥିଲା
ଯେଉଁଠି ସମୁଦ୍ରର ଢେଉ ସବୁ
ହାତଠାରି ଜହ୍ନକୁ ଡାକୁଥିଲେ
ନୀଳ କଇଁ ବି ଥିଲା
ଚାନ୍ଦର ପ୍ରତୀକ୍ଷାରେ
ପକ୍ଷୀର କାକଳିରେ ଶୁଭୁଥିଲା
କେଉଁ ଏକ ଅବୁଝା ସଙ୍ଗୀତର
ମଧୁର ମୂର୍ଛନା
ପାହାଡ ସେପାଖୁ କାହା
ବିହ୍ୱଳିତ ବଂଶୀର ସ୍ୱର
ତୋଳୁଥିଲା ମୂର୍ଛିତ କରୁଣ ରାଗିଣୀ
ସେଇ ଦୂର ଦିଗବଳୟରେ
ସେ ଲୁଚିଗଲା ବିନ୍ଦୁଟିଏ ହେଇ
ଫିଟେଇ ଦେଇଗଲା ମୋ ମନରେ ଥିବା
ଅନେକ ଅଡୁଆ ସୂତାର ଖିଅ
ମୁଁ ଭାବୁଥିଲି ଆଖିର ଲୁହ ସବୁକୁ
ଓଠ ପିଇଗଲା ପରେ
ଯାହା ବଳେ ତା ନାଁ ବୋଧେ ହସ
ମନ ତଳର ଅକୁହା ଦୁଃଖକୁ
ହୃଦୟରେ ସାଇତିଲା ପରେ
ଯାହା ବଳେ ତା ନାଁ ବୋଧେ ଖୁସି
ଏଇ ବୋଧେ ହସ ଆଉ ଖୁସିର ଠିକଣା
କେବେ ଲାଗେ ଜଣା ତ ପୁଣି କେବେ ଅଜଣା...