STORYMIRROR

Sanskruti Mohanty

Inspirational Others

3  

Sanskruti Mohanty

Inspirational Others

ଖୁସିର ଠିକଣା

ଖୁସିର ଠିକଣା

1 min
55

ଲୁହର ଅଚିହ୍ନା ଇଲାକାରୁ

ହସର ଠିକଣା ଖୋଜୁଥିଲି

କିନ୍ତୁ ପାଉନଥିଲି

ପଦ୍ମ ଭଳି ଘୁଞ୍ଚି ଯାଉଥିଲା

ତାର ପ୍ରତିଟି ପାଖୁଡା

କୁହୁଡି ପହଁରିବାର ନିଶାରେ

ମୁଁ ଧାଉଁଥିଲି ଆଗକୁ ଆଗକୁ

ତଥାପି ଆଖି ପତାରେ ଲାଗିଥିଲା

ସ୍ୱପ୍ନର କୁହୁକ ଛୁଆଁ

ମନର ଅରମା ବଣରେ ଫୁଟୁଥିଲା

ଅନେକ ବଣମଲ୍ଲୀ

ମୁକୁଳି ପାରୁନଥିଲି

ମାୟାପୁରୀର ବନ୍ଧନରୁ

ଅବଶ ଦେହ ଆଉ ମନକୁ ନେଇ

ଖୋଜୁଥିଲି ଖୁସିର ସୁନା ହରିଣୀ

ଅଗନା ଅଗନି ବନସ୍ତରେ 

ସେ ଖେଳୁଥିଲା ଲୁଚକାଳୀ

ପରିହାସ କରୁଥିଲା ମୋତେ

କହୁଥିଲା ପାରୁଛୁତ ଧରିନେ ମୋତେ

ହାତ ମୁଠାରେ ସାଉଁଟିନେ

ଦୁନିଆର ସବୁ ଖୁସିକୁ

ଉପଭୋଗ କର ଜୀବନର ପ୍ରତିଟି ମୁହୂର୍ତ୍ତ

ମୁଁ କିନ୍ତୁ ପାରୁନଥିଲି

ମୋ ଆଖି ସାମ୍ନାରୁ 

ସେ ଚାଲି ଯାଉଥିଲା ଦୂରକୁ ଦୂରକୁ

ଯେଉଁଠି ପହଞ୍ଚିବାର ରାସ୍ତା ସରିଥିଲା

ଯେଉଁଠି ସମୁଦ୍ରର ଢେଉ ସବୁ

ହାତଠାରି ଜହ୍ନକୁ ଡାକୁଥିଲେ

ନୀଳ କଇଁ ବି ଥିଲା 

ଚାନ୍ଦର ପ୍ରତୀକ୍ଷାରେ

ପକ୍ଷୀର କାକଳିରେ ଶୁଭୁଥିଲା

କେଉଁ ଏକ ଅବୁଝା ସଙ୍ଗୀତର

ମଧୁର ମୂର୍ଛନା

ପାହାଡ ସେପାଖୁ କାହା 

ବିହ୍ୱଳିତ ବଂଶୀର ସ୍ୱର

ତୋଳୁଥିଲା ମୂର୍ଛିତ କରୁଣ ରାଗିଣୀ

ସେଇ ଦୂର ଦିଗବଳୟରେ

ସେ ଲୁଚିଗଲା ବିନ୍ଦୁଟିଏ ହେଇ

ଫିଟେଇ ଦେଇଗଲା ମୋ ମନରେ ଥିବା

ଅନେକ ଅଡୁଆ ସୂତାର ଖିଅ

ମୁଁ ଭାବୁଥିଲି ଆଖିର ଲୁହ ସବୁକୁ

ଓଠ ପିଇଗଲା ପରେ

ଯାହା ବଳେ ତା ନାଁ ବୋଧେ ହସ

ମନ ତଳର ଅକୁହା ଦୁଃଖକୁ

ହୃଦୟରେ ସାଇତିଲା ପରେ

ଯାହା ବଳେ ତା ନାଁ ବୋଧେ ଖୁସି

ଏଇ ବୋଧେ ହସ ଆଉ ଖୁସିର ଠିକଣା

କେବେ ଲାଗେ ଜଣା ତ ପୁଣି କେବେ ଅଜଣା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational