STORYMIRROR

Sanskruti Mohanty

Tragedy

3  

Sanskruti Mohanty

Tragedy

ବର୍ଷା ଓ ମାଆର ଲୁହ

ବର୍ଷା ଓ ମାଆର ଲୁହ

2 mins
502

ଆକାଶର ବୁକୁ ଚିରି ଝରୁଛି ବର୍ଷା,

ମାଆର ଆଖିରୁ ବି ଝରୁଛି ଲୁହ,

ଜାଣି ହଉନି ବର୍ଷା ଆଉ ଲୁହର ଫରକ୍।

ବର୍ଷାର ରିମଝିମ୍ ସୁରରେ ଭିଜୁଛି ଦୁନିଆ,

ମାଆର ବାହୁନାରେ ଶୁଭୁଚି,

ଧନ ଶଂଖାଳି ମୋ ବାଇଆ ମାଳିର ,

କରୁଣ ରାଗିଣୀ।

ବର୍ଷାକୁ ଛାତିରେ ଧରି,

ଫୁଲେଇ ହଉଛି ଲାଜୁକି ମହାନଦୀ,

ମାଆର କୋହ ସବୁ ଫୁଟୁଛନ୍ତି,

ଭାତ ହାଣ୍ଡିର ଭାତ ପରି।

ବତୁରା ମାଟିର ପୁଳା ପୁଳା କାଦୁଅରୁ,

ବର୍ଷା ଖୋଜୁଛି ତା ଅସ୍ତିତ୍ବ,

ମାଆ ତାର ପ୍ରତିଟି ନିଃଶ୍ୱାସରୁ ,

ଖୋଜୁଛି ପୁଅର ପିଲାଦିନ,

ତାର ଅଳି ଅଝଟ, ଆଉ ମାଆ ଡାକ।

ଦଶମୀ ଜହ୍ନ ତା ମୁହଁକୁ ନିରେଖି ଦେଖୁଛି ,

ମହାନଦୀର ରୂପା ଆଇନାରେ,

ମାଆ ମହାନଦୀର ପାଣି ସୁଅରୁ,

ଖୋଜୁଛି ତା ଏକୋଇର ବଳା ବିଶିକେସନକୁ,

ତା ଜୀବନକୁ, ତା ହାତ ଗଢା କଣ୍ଢେଇକୁ।

ଅଭିଶାପର ବର୍ଷାରେ ଭିଜୁଛି ମହାନଦୀ,

ପୁଅକୁ ତା'ର ଚୋରେଇ ନେଇଛି,

ଏଇ ଡାଆଣୀ ପିଲାଖାଇ।

ଛଡେଇ ନେଇଛି ତା ମାଆ ଡାକ,

ତା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।

ଗଛ କୋରଡରୁ ରହି ରହି ଶୁଭୁଚି,

କପୋତୀର ବାହୁନା,

ସେରକ ପୁରିଲା ମାଣକ ପୁରିଲା,

ଉଠରେ ଉଠରେ ପୁତା।

ମାଆର ଦରଦୀ କଣ୍ଠରୁ ଭାସି ଆସୁଛି,

ଧୋରେ ବାଇଆ ଧୋ ,

ଯୋଉ କିଆରୀରେ ଗହଳ ମାଣ୍ଡିଆ,

ସେଇ କିଆରୀରେ ଶୋ।

ଆକାଶର ଆଖିରୁ ଶୁଖି ଆସିଲାଣି ଲୁହ,

ଶରତ ଜହ୍ନଟା ପୁଣି ହସିଲାଣି ଖିଲି ଖିଲି,

କିନ୍ତୁ ସରୁନି ମାଆ ଆଖିର ଲୁହ,

ବାଟ ଚାହିଁ ବସିଛି ତା କଳା କାହ୍ନୁର।

କଦଳୀ ପତ୍ରରେ ସଜାଡୁଛି,

ତା ଧନର ପ୍ରିୟ ଅରୁଆ ଭାତ,ଡାଲମା,

ଆଉ କଦଳୀ ଭଜା।

ରାତି ବଢ଼ି ବଢ଼ି ଯାଉଛି,

କିନ୍ତୁ ଫେରୁନି ପୁଅ।

ଏମିତି ଏକ ଭୋଦୁଅ ରାତିରେ ,

ଅନ୍ଧାରର ଛାତି ଚିରି ତା କୋଳକୁ,

ଆସିଥିଲା ତା ଗଳାମାଳି।

କୁଆଁ କୁଆଁ ଡାକରେ ,

ପୁରି ଉଠୁଥିଲା ମାଆର ମନ।

ତା ଚାରି ପାଖର ପୃଥିବୀ,

ବାସୁଥିଲା ମହମହ।

ମାଆର ପଣତ ଆଢ଼ୁଆଳେ,

ବଢୁଥିଲା ଚନ୍ଦ୍ର ଉଦିଆ।

ପାଦ ପରେ ପାଦ ଥାପି,

ଧୀରେ ଧୀରେ ଚଢୁଥିଲା,

ଜୀବନର ଗୋଟେ ଗୋଟେ ପାହାଚ,

ମଜବୁତ କରୁଥିଲା ତା ସ୍ୱପ୍ନର ମହଲକୁ।

ମାଆ ଆଖିରେ ବି ଲାଗୁଥିଲା ,

ସପନର ସାତ ରଙ୍ଗ।

ମନରେ ପାଖୁଡ଼ା ମେଲୁଥିଲା,

ଅପୂରଣୀୟ ଆଶା ସବୁ।

କିନ୍ତୁ ସେଇ ଚନ୍ଦ୍ର ଉଦିଆରେ,

ଆଜି ଗ୍ରହଣ ଲାଗିଲା,

ଚାଲିଗଲା ଧନ ତାର,

ଅଫେରା ରାଇଜ।

ମାଆ କୋଳ ବଦଳରେ,

ବାଛିନେଲା ମହାନଦୀର ଜଳ,

ଲୁଚିଗଲା ତାରି କୋଳରେ।

ସ୍ୱପ୍ନ ସବୁ ରହିଗଲା ଅଧା,

ନିରିମାଖୀ ମାଆର ଆଶା ସବୁ,

ଫାଟିଗଲା ପାଣି ଫୋଟକା ହେଇ।

ମାଆର ଲୁହ, ଲହୁ ଆଉ କୋହର,

ବର୍ଷା ସବୁ ଝରୁଥିଲା ଟୁପ୍ ଟାପ୍ ହେଇ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy