STORYMIRROR

pranati Mahapatra

Tragedy

4  

pranati Mahapatra

Tragedy

ସେ ଆଉ କେହି ନୁହେଁ

ସେ ଆଉ କେହି ନୁହେଁ

1 min
316


ବଡି ଭୋରୁ ରାତିର ସମସ୍ତଙ୍କ ଅଇଁଠା

ବାସନକୁ,

ଭଲ ଭାବରେ ମାଜି ଧୋଇ,

କାଖରେ କଳସୀ ରସ ବାଲଟି ଧରି

ପାଣି ବୋହି,

ବାଉଁଶ ବାଡିରୁ ବାଉଁଶ ପତ୍ର,କଣି ଜାଳ ଆଣି,

ମାଟିଗୋବରରେ ଚୁଲିକୁ ଲିପାପୋଛା କରି,

ସମସ୍ତଙ୍କ ପାଇଁ ଦାନ୍ତକାଠି ପାଣି ଥୋଇ,

ଏ ଜାଡୁଆ,କାଲୁଆ ଶୀତକୁ ଖାତିର ନକରି,

ବାଡିରୁ ଫୁଲ ପାଛିଆରେ ପାଛିଏ ଫୁଲ ତୋଳି,

ଗାଧୋଇ ପାଧୋଇ ଜେଜେ ଜେଜେମା କୁ ଜୁହାର ସହ ଠାକୁର ପୂଜା ସାରି,

ଡେକିଚିରେ ଚା କରିବାକୁ ବସିଯାଏ।

ମୋ ମାଆ...


ବରାଦ ହୋଇଯାଏ ଗୋଟେ ପରେ ଗୋଟେ ଫରମାଇସ୍

ଜଣେ ପରେ ଜଣଙ୍କର,

ବିନା ପ୍ରତିବାଦରେ

ନିଶଙ୍କୋଚରେ।

ପୂରଣ କରେ ସେ

ପାଛିଆଟିଏ ଧରି ବାହାରିଯାଏ ବାଡିକୁ

ମଦରଙ୍ଗା, ବାଲୁବାଲୁକା,କୋଇଲିଖିଆ,କାନସିରି ପୁରୁଣି,

କଳମ,ସୁନୁସୁନିଆ ମିଶାମିଶି କରି ପାଛିଏ ଧରିଆସେ।

ଗୁହାଳ ଗୋବର କୁଣ୍ଡାପାଣି,ଗାଈଦୁହାଁ ସାରି

ଗୁଣ୍ଡାଘସି ପରାପରି ସାରି,

ନଡା ,ଝଟା ,ଘସି ବେତେ ଧରି ଚୁଲିମୁଣ୍ଡରେ ବସିଯାଏ

ଭାତ ତିଅଣ ଡାଲି କରିବାକୁ।

ବିରି,କୋଳଥ,ମୁଗ ଭାଜି ପେଶାରେ ରଗଡ଼ି

କୁଲାରେ ପାଛୁଡି ମାଟି ହାଣ୍ଡିରେ ଆଞ୍ଚରେ ବସେଇଦିଏ।

ନିଆଁ,ଧୂଆଁ ରୁ ପେଟେ ଖାଇ ଦେଇଦେଇ,

ରୋଷେଇ ଶେଷ କରେ।

ସମସ୍ତଙ୍କ ପେଟ ଚିହ୍ନିବାରେ

ପେଟ ଭର୍ତ୍ତି କରିବାରେ ବେଶ୍ ଓସ୍ତାଦ

ମୋ ମାଆ।

ସଞ୍ଜ ନ ହେଉଣୁ ବଳିତା ସଜାଡ଼ି 

ଲୁଗା ପଟା ଧୋଇ ,ଶଙ୍ଖ ଘଣ୍ଟ,ଧୂପ,ଦୀପରେ

ଦେବାଳୟ ପରିବେଶ ସୃଷ୍ଟି କରେ କିଛି ସମୟ ପାଇଁ,

ଧୁଆଗହମ ଧରି ପହଞ୍ଚି ଯାଏ ଢିଙ୍କିଶାଳରେ ,

ଚକଟା ଚକଟି କରି ରୁଟି ସେକିବା ,ମୁଗ ଡାଲି ଅମୃତଭଣ୍ଡା

ବାଇଗଣର ଘିଅ ପକା ଡାଲମା ବାଢିଦିଏ ସମସ୍ତଙ୍କୁ।

ମୋ ମାଆ

ଏବେ ପିଲାମାନଙ୍କର ମୁଣ୍ଡକୁ ହାତ ପାଇଗଲାଣି,

ପରିବାର କହିଲେ କେହି ନାହାଁନ୍ତି।

ଘରକୋଣରେ ଅପରିତ୍ୟକ୍ତ ଆବର୍ଜନା ଭଳି 

ଭାଗ୍ୟକୁ ଆଦରି ପଡିରହିଛି।

ଭାରି ଇଚ୍ଛା ହେଉଛି ତା'ର।

ଶେଷ ସମୟରେ ଯାହା ପାଇଁ ଘଡିଏ କି ଦଣ୍ଡେ ସମୟ

ଦେଇ ଚିନ୍ତା ବି କରୁ ନ ଥିଲା

ତା ପାଖକୁ ଚାଲି ଯିବାକୁ।

ମୋ ମାଆ...

କେମିତି କେଜାଣି ଚାଲିଗଲା ବି,

ନିତି ସକାଳୁ ତୁଳସୀ ତୋଳି ହାର କରି 

ଲମ୍ବାଇ ଦେଉଛି ବଡ଼ପଣ୍ଡା ହାତକୁ,

ତା ରଙ୍କରତନ ପିନ୍ଧିବ ବୋଲି।

ସହି ପାରିଲାନି ତା ରଙ୍କରତନ ତାର ସେ ଦୁଃଖକୁ।

ରାତିରେ ସେ ଚାଲିଯାଇଛି।

କେହି ସିନା ତାକୁ ନିଜର କରିପାରିଲେନି,

ଜଣେ ଆପଣାର କରିନେଲା।

ନା ଥିଲା ଆମନ୍ତ୍ରଣ ନା ନିମନ୍ତ୍ରଣ

ବାଣ ରୋଷଣୀରେ ଆସି ନ ଥିଲା।

ହେଲେ ଆସିଥିଲା।

ସମସ୍ତଙ୍କୁ ନିଏ,ତାକୁ ବି ନେଇଗଲା।

ଆଲିଙ୍ଗନ କରି ନେଇଗଲା,ମୁକ୍ତି ଦେଇଦେଲା 

ସେ ଆଉ କେହି ନୁହେଁ

ମୃତ୍ୟୁ

ମୃତ୍ୟୁ

ମୃତ୍ୟୁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy