STORYMIRROR

Bidyadhar Mantry

Abstract Others

4.2  

Bidyadhar Mantry

Abstract Others

ସେଇ ଗାଁ ପରିବେଶ

ସେଇ ଗାଁ ପରିବେଶ

2 mins
80


ଗାଁ ମୁଣ୍ଡରେ ଠିଆ ହେଲେ

ଗାଁ ର ଚିତ୍ର-ଚରିତ୍ର ପ୍ରାୟ ବୁଝି ହୁଏ

ଆଜି କିନ୍ତୁ ଅବୁଝା ,କାହାକୁ ପଚାରିବ ଯେ !!

ଗାଁ ଦାଣ୍ଡ ଦିନ ଦ୍ବିପହରେ ବି ଶୁନ୍-ଶାନ୍ 

ନଦୀ ନାଳ ପୋଖରୀ ଗଡିଆ ସବୁ ଖାଁ ଖାଁ

ପୂର୍ବର ସେ ସାଙ୍ଗ ମେଳି ଆଉ ନାହିଁ

ନିତ୍ୟକର୍ମ ସହରୀ ଢାଞ୍ଚାରେ

ସବୁ କିଛି ନିବୁଜ କୋଠରୀ ଭିତରେ

ସୁସ୍ଥ ପରିବେଶ ଆଜି ବିଷ ବଳୟରେ।


ସେଇ ପିଲାଦିନ ଗାଁ ଆଜି ନୂଆ ରୂପରେ 

ଆଉ ଧୋବା ତୁଠ କଣ ହେବ ଯେ !!

ଗାଁ ପରିମଳ ମଶାଣି ଦେଖିଲେ ଜ୍ଞାତ

ମନୋରମ ଉଦ୍ୟାନର ଭ୍ରମ ସେ' ମଶାଣି ଭୂଇଁ 

ଆଲୋକର ଛିଟା ଗାଁ ଚାରିପଟେ

ରାସ୍ତାକଡ ଧାନ ଜମି ପ୍ରାୟ ହରାଇଛି ଶୋଭା

ସୁନାର ଫସଲ ଲହଡ଼ି ବିଲୁପ୍ତ

ବଦଳରେ କଂକ୍ରିଟ ବଳୟ।


ବୟସ୍କ ବା ଗୁରୁଜନ ମେଳି ପ୍ରାୟ ନାହିଁ

ନାହିଁ ଭାବର ଆଦାନ ପ୍ରଦାନ

ଗାଁ ଭଦ୍ରଲୋକ କି ନ୍ୟାୟ କରିବେ ଯେ!!

ଛୋଟ ଛୋଟ କଳି ଝଗଡ଼ା ଥାନା ହାଜତରେ 

ପଞ୍ଚାୟତ ପଞ୍ଚ ନାମା ଆବଶ୍ୟକ ନାହିଁ

ଗୁରୁଜନ ପ୍ରତି ନାହିଁ ଭୟ,ଭକ୍ତି ଓ ସମ୍ମାନ

ତାତ୍ସଲ୍ୟତା ମନୋଭାବ ଗୁରୁଜନ ପ୍ରତି।


ଗାଁ ଦାଣ୍ଡରେ ବି ନୀରବତା

ନାହିଁ ପିଲାଙ୍କର ଡିଆଁ ଡେଇଁ ଖେଳ

ଚୋରି ହୋଇ ଯାଇଅଛି ସେ ପୁରୁଣା ଖେଳ

କବାଡି ,ବୋହୂ ଚୋରୀ ଖେଳ ପ୍ରାୟ ପ୍ରଶ୍ନବାଚୀ

ସେ ଖେଳରେ କି ଲାଭ ଅଛି ଯେ !!

ଘର ପିଣ୍ଡା ଅବା ଅଗଣାରେ ଶୁଭୁ ନାହିଁ

ଆ କାଉ, ଆ ବାୟା, ଆ ଭୂତ

ଅଝଟ ପିଲାଙ୍କୁ ମା ମୋବାଇଲ୍ ଦେଖାଇ

ନାହିଁ ନାହିଁ କହି ପିଲା ପୁଣି ଖାଉଛି 

ମୋବାଇଲ୍ ବନ୍ଦ ହେଲେ ଗର୍ଜନ କରୁଛି।


ଗାଁ ଝିଅଙ୍କୁ ସିଂଘାଣି ନାକି କିଏ କହିବ ଯେ !!

ଅଳତା ରିବନ ବିନା ଦିବ୍ୟ ସୁନ୍ଦରୀ

ଛୋଟ ପୋଷାକ ଭିତରୁ ସବୁ ସହଜରେ ଦୃଶ୍ୟ

ଲାଜ ସରମ କ'ଣ ପଚାରୁଛି କୁଳ-ବୋହୁ !!

ଘରୁ ବାହାରିଲେ ସ୍କୁଟି,ହସ ବି ଘୋଡ଼ା ପରି 

ହିଁ ହିଁ,ମନ ଖୋଲା ହସ

ଭାବ ଦିଆ ନିଆ,ପ୍ରେମ,ରସ ରଙ୍ଗ ନୀରବରେ

ସବୁ କିଛି ମୋବାଇଲ୍ ସହାୟତାରେ।


ଭାଗବତ ଟୁଙ୍ଗି ନାମକୁ ମାତ୍ର

ପୁରାଣ ଥାଇ ନ ଥିଲା ପରି ସମାନ

ପଢ଼ିବା ଲୋକ ନାହିଁ,ଆଉ ଶୁଣିବ କିଏ !?

ଆଜିକାଲିର ପିଲାଙ୍କୁ କିଏ ବୁଝାଇବ ଯେ!!

ମୋବାଇଲ୍ ହାତରେ ଧରି ,ନିଜକୁ ଜ୍ଞାନୀ 

କଥା କଥା କେ ଅନ୍ ଲାଇନ୍ 

ଗୁଗୁଲ୍ ର ସବୁ କଥା ଠିକ୍

ଟୋକା ଦଳଙ୍କ ଉତ୍ପାତ କ୍ରମଶଃ 

ମୋବାଇଲ୍ ଚିତ୍ର ବିଚିତ୍ର ଗତି ଧାରେ ଧାରେ।


ବିଦ୍ୟାଳୟ କାନ୍ଥ ଧାରେ ଗୁରୁ ଜ୍ଞାନ

ଦଣ୍ଡ ମୁକ୍ତ ପରିସର ,ନାହିଁ ଦଣ୍ଡ ନାହିଁ ଶିକ୍ଷା

ମୂକ ସାକ୍ଷୀ ଚାରି କାନ୍ଥ ଓ ଶିକ୍ଷକ

ଗୁରୁ ଶିଷ୍ୟ ସମ୍ପର୍କ କିଏ ବୁଝୁଛି ଯେ!!

ଆଧୁନିକତା ର ପ୍ରଭାବ ସ୍ପଷ୍ଟ ଅନୁମେୟ

କଳା-ପଟା ଧଳା-ଖଡ଼ି ପ୍ରାୟ ସବୁଦିନ ପାଇଁ ଛୁଟି

କମ୍ପ୍ୟୁଟର ,ଶୌଚାଳୟ, ପିଇବା ପାଣି ଭରପୁର।


ରଜ ଦୋଳି,କୁଆଁର ପୁନେଇଁ, ମାଣ ବସା ଗୁରୁବାର

ଗାଁ ରେ ହେଉଛି ବାଧ୍ୟ-ବାଧ୍ୟକତା ରେ 

ଆବଶ୍ୟକ ହେଉନାହିଁ ପୁରାଣ ପଢ଼ିବା

ମୋବାଇଲ୍ ଖୋଲିଲେ ପରା ପୁରାଣ !!

ହରିବୋଲ , ହୁଳହୁଳି ,ଶଙ୍ଖ ଧ୍ୱନି ପ୍ରାୟ ନାହିଁ

ତଥାପି ପରମ୍ପରା ଧାରେ ପର୍ବ ପର୍ବାଣୀ ହେଉଛି

ଆରିସା,କାକରା ,ଚକୁଳି ଓ ମଣ୍ଡା ପିଠା ଲୋପ

ପୁନେଇଁ ପର୍ବରେ ନାହିଁ ପିଠାର ମହକ

ପିଠା କରିବାକୁ କାହାର ସମୟ ଅଛି ଯେ!!


ପୂର୍ବର ସେ ଅପରୂପ ଶୋଭା ଆଉ ନାହିଁ

ଗାଁ ଆଜି ପ୍ରାୟ ସହର ପରି ବାସୁଛି 

ଗାଁ ରେ ସବୁ ଉପଲବ୍ଧ,ସହର ମୁହାଁ କାହିଁକି ଯେ !!

ଋତୁ ଚକ୍ର ଆଧାରରେ ଗାଁ ଦୃଶ୍ୟ ଥିଲା ମନଲୋଭା

ଶସ୍ୟ କ୍ଷେତ୍ର,ବିଲ ,ବଣ,ପାହାଡ,ପର୍ବତ

ଆଗନ୍ତୁକ ଅତିଥିଙ୍କ ପ୍ରିୟ ଥିଲା ଗାଁ 

ଚାଳଘର , ମାଟି ହାଣ୍ଡି,ଚିତା ଝୋଟି

ଗାଈ ଗୋଠ, ହମ୍ବା ରଡ଼ି,ଶଗଡ଼ିଆ ଗୀତ

ଧାନ ଖଳା,ଗହ୍ମା ଡିଆଁ,ବୋହୁ ସବାରୀ 

ସବୁ କିଛି ପ୍ରାୟ ଯାଇଛି ଉଭେଇ।


ସେଇ ଗାଁ ପରିବେଶ ଧାରେ ବିତିଛି ଜୀବନ

ସ୍ମୃତି ରୁପ ହୃଦୟରେ ଅଛି ସେଇ ପିଲାଦିନ

ମାଟି ମା ର ମମତା ପ୍ରବାହିତ ଶିରା ପ୍ରଶିରାରେ 

ଦୃଶ୍ୟ ବଦଳିଲେ କିଏ ଭାବୁଛି ଯେ!!

ଅତୀତର ଦୃଶ୍ୟ ନାଚୁଛି ଆଖିରେ

ସେଇ ପୁରୁଣା ଗାଁ ରେ ଥିଲା ପ୍ରେମ ଭାବ

ଥିଲା ମୋ ପ୍ରେମିକା,ଥିଲା ସୁଖଦ ମୁହୂର୍ତ୍ତ

ସେଇ ଦୃଶ୍ୟ ନାଚି ଉଠୁ ଅନ୍ତିମ ଶଯ୍ୟାରେ

ପ୍ରେମ-ସ୍ନେହ ନଦୀ ପ୍ରବାହିତ ଥିଲା ସେ' ଗାଁ ରେ

ପ୍ରାଣ ବାୟୁ ଉଡି ଯାଇ ମିଶୁ ସେ' ଗାଁ ମାଟିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract