STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଜୀବନ ଯମୁନା ରେ ପ୍ରଶ୍ନ ଅନେକ

ଜୀବନ ଯମୁନା ରେ ପ୍ରଶ୍ନ ଅନେକ

2 mins
31


ଜୀବନ ଯମୁନା ଯୁଆରେ ଉଠେ ଅନେକ ପ୍ରଶ୍ନ

ସବୁ ପ୍ରଶ୍ନ ର ତ ଉତ୍ତର ସେଇ କଳା ବଦନ।

କୁଆଡୁ କାହିଁକି କେମିତି ନେଲୁ ମଣିଷ ଜନ୍ମ

ଉତ୍ତର ପାଇବ ଭଜିଲେ ସଦା କାଳିଆ ନାମ।


କୋଟି ଜନମର ପୂଣ୍ୟ ରୁ ଜନ୍ମ ମଣିଷ ହୋଇ

ମାନବ ଧର୍ମ କୁ ଜୀବନେ କେବେ ଭୁଲିବନାହିଁ ।

ମୋହ ମାୟା ଭରା ସଂସାରେ ସଦା ମାୟା ର ଖେଳ

ମାୟାରେ ହୋଇଲେ ବାଇଆ କାଳ, ହୁଅଇ କାଳ ।


ସମୟ ସୁଅ ରେ ଭାସୁଛି ଆମ ଜୀବନ ନାଆ 

ଭରଷା ଆମର ନିଶ୍ବାସେ ସେହି ତତଲା ବାଆ।

ନାଆ ଅଟକିବ କେଉଁଠି ନାହିଁ କାହାକୁ ଜଣା

ଅଣଚାଶ ବାଆ ବହିଲେ ବାଟ ହୋଇବ ବଣା।


ଜନମ ରୁ ଯୁଇ ଯାଏ ତ ବାଟ ନୁହେଁ ସଳଖ

କୁଆଡେ କେମିତି ଲମ୍ବିଛି ଅଜଣା ସେ ସଡ଼କ।

କାଳିଆ ନାଆଁ କୁ ଜପିଲେ ପ୍ରଭୁ ହୋଇବେ ସାହା

ବାଟ ଭୁଲି ଯିବ ଯେଉଁଠି ଦେବେ ବତାଇ ରାହା।


ଜୀବନ ଗଣିତ ଖାତାରେ ଯେତେ ଜଟିଳ ଅଙ୍କ 

ସବୁତ ଲାଗିବ ସହଜ ଭଜ କଳା ଶ୍ରୀମୁଖ।

ହେଉ ପଛେ ଘୋର ସମସ୍ୟା ସବୁ ଯିବ ଏଡ଼ାଇ 

ମହାପ୍ରଭୁ ଙ୍କୁ ତ ଭକ୍ତି ରେ ଯଦି ହୋଇବ ଧ୍ଯାଇ।


ଜୀବନ ଗୋଲଖ ଧନ୍ଦାରେ ମନ ସଦା ଅସ୍ଥିର

ବାଦ କରେ ଅବସାଦ ଟି ପାଗ ହେଲେ ଗମ୍ଭୀର।

ପ୍ରଭୁ ଙ୍କ ପାଦରେ ନିଜକୁ ଯେବେ ସମର୍ପି ଦେବ

ଆସୁ ଯେତେ ଖଣ୍ଡ ପ୍ରଳୟ ସବୁ ଏଡ଼ାଇ ଯିବ ।


ସିଏ ସୃଷ୍ଟି ସ୍ଥିତି ପ୍ରଳୟ ସିଏ ପାଳନ କର୍ତ୍ତା

ଜଗତର ହର୍ତ୍ତା କରତା ପ୍ରଭୁ ଧାତା ବିଧାତା।

ଛାଇ ପରି ସଦା ପାଖରେ ପ୍ରଭୁ ରହି ଅଛନ୍ତି

ପାଦ ଖସୁଖସୁ ହାତକୁ ସେତ ଟାଣି ଧରନ୍ତି।


ଏକାଏକା ଆସିଅଛୁରେ ଯିବୁ ଏକଲା ତୁହି 

ଯିଏ ହେଉ ଯେତେ ନିଜର ସାଥେ ଯିବେନି କେହି ।

ଆସିଥିଲୁ ଖାଲି ହାତ ରେ ନେବେ ଶୂନ୍ୟ ରେ ବୋହି

ଧୂଆଁ ହୋଇ ତୋର ଦେହ ଟା ଯିବ ଶୂନ୍ୟେ ମିଳଇ।


ଅଳପ ଦିନର ଗଳପ କରିବନି ବଡେଇ 

ବାଦ ଅହଙ୍କାର ନିଏରେ ସୁଖ ଶାନ୍ତି ଛଡେଇ।

କାମନା ବାସନା ପଛରେ ମନ ଧାଇଁବ ନାହିଁ 

ଦୁଃଖ ର କାରଣ କାମନା ଯାଏ ଯାତନା ଦେଇ ।


ସୁଖରେ ହେବନି ବିଭୋର ସୁଖ ନୁହେଁ ରେ ସ୍ଥାଇ

ଦୁଃଖ ରେ ହେବନି ଅଧୀର ଦୁଃଖ ରହିବ ନାହିଁ।

ଖଳ ଲୋକଙ୍କର ପାଖରୁ ସଦା ଯିବ ଦୂରେଇ

ମନ୍ଦ ମତି ଙ୍କୁ ତ ଦେବନି କେବେ ପାଖେ ପୁରାଇ ।


ପରଶ୍ରୀକାତର ମାନଙ୍କ ସଦା ବଢେ ଆଶାନ୍ତି 

ମନ୍ଦ ଚିନ୍ତା ମନେ କରିଲେ ପଡିଥାଏ ଦୁର୍ଗତି।

କୋମଳ ବଚନ କହିଲେ ହାର୍ ମାନେ ବଇରୀ

ଶତ୍ ଚିନ୍ତା ସଦା କରିଲେ କାହିଁ ଯିବନି ହାରି।


ପରିଶ୍ରମୀ ଙ୍କୁ ତ ମିଳଇ ସବୁଥିରେ ସୁଫଳ

କାମେ ଏକାଗ୍ରତା ରହିଲେ ହେବ ନାହିଁ ବିଫଳ।

ମାପି ଚୁପି ବାଟ ଚାଲିଲେ ଝୁଣ୍ଟି ପଡିବ ନାହିଁ 

ବୁଝିସୁଝି କାମ କରିଲେ କାମ ଅଟକେ ନାହିଁ।


ସ୍ନେହ ସଦ୍ଭାବନା ମନରେ ଭରି ଦିଏ ଶକତି 

ମହାପ୍ରଭୁ ଙ୍କର ଆଶିଷ ମିଳେ ଥିଲେ ଭକତି।

ଜୀବନର ପ୍ରତି ମୂହୁର୍ତ୍ତ ମୂଲ୍ୟବାନ ଅଟଇ 

ବେଳ ସହ ପାଦ ମିଳେଇ ସଦା ଚାଲିବ ଭାଇ ।


କଳା ଦିଅଁ କଳା ଠାକୁର ପ୍ରଭୁ ପାଦେ ପ୍ରଣତି

ତୁମେ ପ୍ରଶ୍ନ ତୁମେ ଉତ୍ତର ତୁମେ ଗତି ମୁକତି।

ଛନ୍ଦା ପୟରରେ ପ୍ରଭୁ ହେ କରୁ ଏଇ ମିନତି 

ଭଲ ବାଟ ସଦା ଦେଖାଅ ଆହେ ଜଗତ ପତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract