ଅତୁଲ୍ୟ ଉତ୍କଳ
ଅତୁଲ୍ୟ ଉତ୍କଳ
ବିପୁଳ ସୌନ୍ଦର୍ଯ୍ୟେ ଅତୁଲ୍ୟ ଉତ୍କଳ ଅନନ୍ୟ ଶାଶ୍ୱତ ଭୂଇଁ
ଉଡ୍ର,ଓଡିଶା,କଳିଙ୍ଗ ରୂପରେ ଭିନ୍ନ ଭିନ୍ନ ନାମ ବହି
ଗଙ୍ଗା ଗୋଦାବରୀ ଯାଏଁ ସୀମା ବ୍ୟାପ୍ତ ବିଶାଳ ଧରିତ୍ରୀ କୋଳେ
ନୈସର୍ଗିକ ଶୋଭା ସତେ ମରତ୍ତରେ ତା'ର ବକ୍ଷଛୁଇଁ ଖେଳେ ।
ସୁଉଚ୍ଚ ପର୍ବତ ସୁଦୀର୍ଘ ତଟିନୀ ଶୁଭ୍ର ନିର୍ଝରିଣୀ ଝର
ସବୁଜ ସମ୍ପଦେ ବନ ଉପବନ ସାଜିଛନ୍ତି ଅଳଙ୍କାର
ଏ ମାଟି ମହକ ଭରଇ ପୁଲକ କୋଟି ଓଡ଼ିଆର ପ୍ରାଣେ
ସତ୍ୟ ଶାନ୍ତି ପ୍ରୀତି ମଇତ୍ରୀ ଗୀତିକା ଗୁଞ୍ଜରିତ କୋଣେ କୋଣେ ।
କଳା ସ୍ଥାପତ୍ୟର ଅପୂର୍ବ ସମ୍ଭାର ମନ୍ଦିର ମସଜିଦ ମଠ
ଦୁର୍ଗ,ଗୁମ୍ଫା,ଶିଳାଲେଖ ଦେହେ ଖୋଦା ବୀରତ୍ବର ଦୃଶ୍ୟପଟ୍ଟ
ଭାଷା ସାହିତ୍ୟର ଅମୂଲ୍ୟ ଭଣ୍ଡାର ବଖାଣୁଛି ତା'ର ଗାଥା
ପୂର୍ବପୁରୁଷଙ୍କ ତ୍ୟାଗ ଅମଳିନ ନଇଁଯାଏ ଆପେ ମଥା ।
ଏ ମାଟି ରେଣୁରେ ପ୍ରୟାଗର ତୀର୍ଥ ପରଶେ ଝରଇ ସୁଧା
ପୂଣ୍ୟ ଭୂମି ମୋ ଉତ୍କଳ ଜନନୀ ପ୍ରତି ହୃଦେ ସଦାରାଧ୍ୟା ।