ପ୍ରୀତି ଶୃଙ୍ଗାରିଣୀ
ପ୍ରୀତି ଶୃଙ୍ଗାରିଣୀ
ପ୍ରୀତି ଶୃଙ୍ଗାରରେ ସାଜି ଅଛି ଯିଏ
ଆଉ କି ଶୃଙ୍ଗାର ଲୋଡ଼ା
ରାଧା ବିନୋଦିନୀ ପ୍ରେମ ଆହ୍ଲାଦିନୀ
କୃଷ୍ଣ ପ୍ରେମେ ପ୍ରୀତି ଝରା ।
ପ୍ରୀତି ଶୃଙ୍ଗାରରେ ଅପୂର୍ବ ଲାଲିମା
ଅପୂର୍ବ ବିଭା ତାହାର
ପ୍ରୀତି ମଖା ହୃଦ ପ୍ରେମ ଗଦ ଗଦ
ସଭିଙ୍କୁ କରେ ନିଜର ।
ପ୍ରୀତି ଶୃଙ୍ଗାରରେ ପ୍ରେମମୟୀ ରାଧା
କୃଷ୍ଣମୟ ହୋଇ ଥିଲେ
ମୋହନ ବଂଶୀର ସୁରେ ବାନ୍ଧି ହୋଇ
ବାହ୍ୟ ଶୃଙ୍ଗାର ଭୁଲିଲେ ।
ଗୋପୀ ଗୋପାଙ୍ଗନା ଯଶୋଦା ରାଧିକା
ପ୍ରୀତି ଶୃଙ୍ଗାରେ ମଣ୍ଡିତ
ପ୍ରୀତି ଶୃଙ୍ଗାରର ଅପୂର୍ବ ହିଲ୍ଲୋଳେ
ଗୋପ ଥିଲା ଯେ ମଣ୍ଡିତ ।
ପ୍ରୀତି ଶୃଙ୍ଗାରରେ ମାତା ସୀତା ପୁଣି
ବନବାସ କାଟିଥିଲେ
ପ୍ରୀତି -ନୀତିମୟ ହୃଦୟ ନିର୍ମଳ
ସଦା ସୁ- ହସିତ ଥିଲେ ।
ରାମ ପ୍ରୀତି ମଖା ଶୃଙ୍ଗାରରେ ମାତା
ଅଶୋକ ବନେ ଯେ ଥିଲେ
ପ୍ରୀତି ଶୃଙ୍ଗାରରେ ମଣ୍ଡିତ ହୋଇ ସେ
ବିଶ୍ଵାସେ ଯେ ଦୃଢ ଥିଲେ ।
ପ୍ରୀତି ଶୃଙ୍ଗାର ତ ଏମିତି ଶୃଙ୍ଗାର
ବ୍ୟକିତ୍ଵ କୁ ଝଟକାଏ
ପ୍ରୀତି ଗୀତିମୟ ପ୍ରୀତି ନୀତି ମୟ
ମଧୁମୟ ଧାରାଟିଏ ।
ପ୍ରୀତି ଶୃଙ୍ଗାର ତ ସଭିଙ୍କୁ ଆକର୍ଷେ
ଅଙ୍ଗ ଆଭୂଷଣ ତୁଚ୍ଛ
ପ୍ରୀତି ଶୃଙ୍ଗାରିଣୀ ପ୍ରୀତିଦା,ପ୍ରେମଦା
ସିଏ ଆନନ୍ଦ ଦାୟିନୀ ।
ପ୍ରୀତି ବିନା ମୋତି ମାଣିକ୍ୟ ଦେବ କି
ଶାନ୍ତି ଆନନ୍ଦର ଧାରା
ହୋଇଯିବା ଚାଲ ପ୍ରୀତି ଶୃଙ୍ଗାରିଣୀ
ବରଷିବା ପ୍ରୀତି ଧାରା ।
ପ୍ରୀତି ବରଷାରେ ଭିଜିବ ପୃଥିବୀ
ଖେଳିବ ଖୁସୀ ଜୁଆର
ପ୍ରୀତି ଶୃଙ୍ଗାରିଣୀ ହୋଇ ଆବୋରିବା
ଆତ୍ମସନ୍ତୋଷ ହିଲ୍ଲୋଳ ।
