ବଡ଼ଦାଣ୍ଡ ହିଁ ଭାବ ସମୁଦ୍ର
ବଡ଼ଦାଣ୍ଡ ହିଁ ଭାବ ସମୁଦ୍ର
ବଡ଼ଦାଣ୍ଡ ଶବ୍ଦ ଶବଦ ନୁହେଁ ଲୋ
ଶବ୍ଦ ବ୍ରହ୍ମ ସିଏ ଭାବ ସଂଚାରେ
ଶବଦ ପାଟିରେ ପଶି ଯାଉ ଯାଉ
ଜଗନ୍ନାଥ ନାମ ମୁଖ ଉଚ୍ଚାରେ । ୧ ।
ବଡ଼ ଦାଣ୍ଡ କଥା କାନରେ ପଡିଲେ
ଶରଧା ବାଲିର ଶରଧା ଡାକେ
ଯେଉଁଠି ଥିଲେ ବି ଚେତନା ଚିନ୍ତନେ
ଭାବ ଗଜରା ରେ ମନ ମହକେ । ୨ ।
ଭକତ ଭାବର ପ୍ରୀତି ପରଶରେ
ଶରଧା ବାଲିରେ ଭାବର ମୁକ୍ତା
ବରଷକେ ଥରେ ଜଗା ପରଶରେ
ଭାବ ବାନ୍ଧି ରଖି ହୁଏ ପ୍ରବକ୍ତା । ୩ ।
ବଡ ଦାଣ୍ଡ ଛାତି ପାତି ଗାଉଅଛି
ଭକତ ଭାବର ଅମୂଲ୍ୟ ଗାଥା
ଶରଧା ବାଲିର ପ୍ରତିଟି କଣିକା
ଭକ୍ତ ଲୁହ ନେଇ ଗାଏ କବିତା । ୪ ।
ବରଷକେ ଥରେ ଭକତ ମେଳରେ
ବଡ଼ ଦାଣ୍ଡେ ଜଗା କରଇ ଲୀଳା
ବଡ଼ଦାଣ୍ଡ ବୁକୁ ଗରବେ ଫୁଲୁଛି
ଭାବ ସମୁଦ୍ରରେ ଭକ୍ତଙ୍କ ଖେଳା । ୫ ।
ସାରା ବରଷର ଗୁମ୍ପିତ ଭାବର
ଲହରୀ ଖେଳଇ ବଡ଼ ଦାଣ୍ଡରେ
ଭାବରେ ଭାବରେ କାଳିଆ ଆସଇ
ଭାବ ସମୁଦ୍ରରେ ମନ ବିହରେ ।୬।
ଏ ଦାଣ୍ଡ କହଇ ଭକତଙ୍କ ଗାଥା
କାଳିଆ ଦିଅଇ ଦିବ୍ୟ ଚେତନା
ଚତୁର୍ଦ୍ଧା ମୂରତି ରଥ ପଥ ଦେଇ
ଭକତ ମେଳରେ ଉଡାଏ ବାନା । ୭ ।
ରଥ କହେ ଧନ୍ୟ ପଥ କହେ ଧନ୍ୟ
ଦଉଡି ଦିଅଇ ଅନନ୍ୟ ବାର୍ତ୍ତା
ବଡଦାଣ୍ଡ ପୂର୍ଣ୍ଣ ଭାବମୟ ପୁଣି
ପତିତ ଉଦ୍ଧାର ପ୍ରୀତି ସଂହିତା । ୮ ।
ଭବ ବନ୍ଧ ଭାଙ୍ଗି ଶରଧା ବାଲିରେ
ଭାବ ତରଙ୍ଗିଣୀ ବହି ଯାଉଛି
ଭାବନା ଗମ୍ଭୀର ମୋ କଳା ଠାକୁର
ଭାବ ମୁଗ୍ଧତାର ଗୀତ ଗାଉଛି । ୯ ।
ବଡ଼ ଦାଣ୍ଡେ ଶୋଭା ତିନି ରଥ ପୁଣି
ଜନ ସମୁଦ୍ରରେ ଭାବର ଢ଼େଉ
କଷ୍ଟ ତିରୋହିତ ଭାବରେ ମୋହିତ
ଆଖିରେ ଆଖିଟା ମିଶି ଯେ ଯାଉ । ୧୦ ।
ଜୀବନ ଚାଳିଶା ଭାବମୟ ଗୀତା
ବଡଦାଣ୍ଡ ପୁଣି ବଡ଼ ଦେଉଳ
ସତେ କି କହ୍ନେଇ ଭାବ ସମୁଦ୍ରରେ
ଲହଡ଼ି ସାଙ୍ଗରେ କରୁଛି ଖେଳ । ୧୧ ।
ଭାବରେ ଭାବରେ ଭବ ଜୀବ ଆଜି
ଭାବ ସମୁଦ୍ରରେ ଦେଇଛି ଝାସ
ମାଗିବାର କଥା ଭୁଲି ଯାଇଅଛି
ଆଖି କୋଣେ ଆନନ୍ଦାଶ୍ରୁ ର ରାସ । ୧୨ ।
ଭାବର ଠାକୁର ଭାବର ସହର
ଭାବ ମଖା ତାର ଶରଧା ବାଲି
ବରଷକେ ଥରେ ଭାବର ସମୁଦ୍ର
ରତ୍ନସିଂହାସନ ହୁଅଇ ଖାଲି । ୧୨ ।
ଭାବ ବିନୋଦିଆ ସେ ନିଳାଚ଼ଳିଆ
ଜୀବନ ଯାତ୍ରାର ଗୁରୁ ସଂହିତା
ଭାବ ମଖା ତାର ସବୁ ରୀତି କାନ୍ତି
ବଡ଼ଦାଣ୍ଡର ସେ ଭାବ ଗ୍ରହୀତା । ୧୩ ।
