ସମୁଦ୍ର ମନ୍ଥନ
ସମୁଦ୍ର ମନ୍ଥନ
ହୋଇ ଦଳବଳ ମେଣ୍ଟ ମନ୍ଥିବେ ମିଶି ସମୁଦ୍ର
ନିର୍ବାଚନ କମିଶନ ଅଧିକୃତ ସୁମେରୁ ପର୍ବତ
ମହାବିଷ୍ଣୁ ପ୍ରଜାକୁଳ ଧରି କଚ୍ଛପ ସ୍ବରୂପ
ସଂସ୍ଥାପି ମେରୁଖମ୍ଭକୁ ମନ୍ଥନର କଲେ ସୁନିଶ୍ଚିତ ।
ପ୍ରୟୋଗି ବାସୁକୀ ରଜ୍ଜୁ ରକ୍ଷା ପ୍ରଶାସନ ସାଞ୍ଜୁ
ହେଲା ସ୍ଥିର ପ୍ରବନ୍ଧନ ଦୋହନର ବିବିଧ ଚରଣ
ଉଚ୍ଚୈଶ୍ରବା ଐରାବତ ଜାତ ହେଲେ ଲକ୍ଷ୍ମୀମାତ
ଅପ୍ସରୀ ରମ୍ଭା ମେନକା ରତ୍ନମଣି ଅତି ମୂଲ୍ଯବାନ ।
ବାହନ ଉଚ୍ଚ ଆସନ ଦାବୀ କଲେ ଦେବଗଣ
ଆଦରିଲେ ମହାବିଷ୍ଣୁ ଦେବୀ ଲକ୍ଷ୍ମୀ ଅମୃତ କଳସ
ଦେବତାଙ୍କୁ ବାଣ୍ଟିବାକୁ ଛଳରେ ବିଷ୍ଣୁ ଅମୃତ
ଧରିବାକୁ ହୋଇଥିଲେ ମଧୁମତୀ ମୋହିନୀର ବେଶ ।
ମଦିରା ଭୋଳେ ଦାନବ ରାଗେ ହୋଇ ଗରଗର
କହିଲେ ନୁହେଁ ସନ୍ତୁଷ୍ଟ ହେଉ ପୁନଃ ଏପରି ମନ୍ଥନ
ବାସୁକୀ ବ୍ଯସ୍ତ ବିବ୍ରତ ନ ସହି ଦୋହନ କଷ୍ଟ
ହଳାହଳ ଉତ୍କଟକୁ ମୁଖରୁ ତା କରିଲା ବମନ ।
ସମୁଦ୍ର ମନ୍ଥନ ପ୍ରାୟ ମତଦାନ ନିର୍ବାଚନ
ନହେଉ ବାଧ୍ଯବାଧକ ସ୍ବାର୍ଥ ଲାଭ ପଦବୀ କେନ୍ଦ୍ରିକ
ଗଳାବାଟେ ଛଦ୍ମବେଶେ ଅଜର ଅମର ଆଶେ
ଉପସ୍ଥିତ ଦୁର୍ଜନଙ୍କୁ ଅମୃତରୁ କର ନାଥ ନିଶ୍ଚିତ ବଞ୍ଚିତ ।
ସକଳ ଦେବ ଦାନବ ଜଗତ ଉପାୟଶୂନ୍ୟ
ଦାହେ ହଳାହଳ ଜ୍ଜ୍ବାଳା ପରିବ୍ଯାପ୍ତ ବିଷ ପ୍ରଦୂଷଣ
ହୁଅନ୍ତୁ ବାରେ ସଦୟ ହେ ଶିବ ମଙ୍ଗଳମୟ
ସତ୍ଯ କର ସଂସ୍ଥାପନ ନୀଳକଣ୍ଠ ବିଷ କର ପାନ ।
