ବର୍ଷା ପାଇଁ ଦୁଇଧାଡ଼ି ଗୀତ
ବର୍ଷା ପାଇଁ ଦୁଇଧାଡ଼ି ଗୀତ
ଵରଷକ ପରେ ବରଷା ଆସିଛି
ଭିଜା ମାଟିର ସେ ଗନ୍ଧ,
ପୁଲକ ଭରିଛି ସଵୁରି ପରାଣେ
ତୋଳିଛି ନୂତନ ଛନ୍ଦ ।(୧)
ଆକାଶୁ ଝରୁଛି ଅମୃତର ଧାରା
ରିମ୍ ଝିମ୍ ଗୀତ ଗାଇ,
ଆଦ୍ୟ ଆଷାଢ଼ର ଶୁଭ୍ର ବାରିଧାରା
ତାହାର ତୁଳନା ନାହିଁ ।(୨)
ଆ'ରେ ବରଷା ଧୋଇଦେ ଚଞ୍ଚଳ
ଖରାଦିନ କଷ୍ଟ ଯେତେ,
ଶଶ୍ୟରେ ଶ୍ୟାମଳା ହେଉ ଏ ଧରଣୀ
ଏତିକି ମିନତି ତତେ ।(୩)
ନୂତନ ସୃଷ୍ଟିର ବାର୍ତ୍ତାଵହ ତୁହି
ଆଣୁ ନୂଆ ସମ୍ଭାବନା,
ସେଥିପାଇଁ ପରା ତୋର ପରଶରେ
ସଭିଏଁ ତ ଆନମନା ।(୪)
ସ୍ରଷ୍ଟାର ତୁ ଯେ ଅନବଦ୍ୟ ସୃଷ୍ଟି
ସଭିଙ୍କ ଜୀବନ ଦାତା,
ନିର୍ଭରଶୀଳ ସଦା ତୋ ଉପରେ
ପ୍ରାଣୀ ଆଉ ବୃକ୍ଷଲତା।(୫)
ଠକିବୁ ନାହିଁ ରେ ବରଷା ଏ ସନ
କନ୍ଦାଇବୁ ନାହିଁ କା'ରେ,
ଆଣିବୁ ନାହିଁ ରେ ବଢି କି ମରୁଡି
ଏହି ଅଳି ତୋ' ପାଖରେ ।(୬)
