ଅଣସରେ ଦାରୁ ଦିଅଁ
ଅଣସରେ ଦାରୁ ଦିଅଁ
ଶହେ ଆଠ ଗରା ପାଣିରେ ଗାଧୋଇ
ଜଗାକୁ ହୋଇଛି ଜ୍ବର
ଅଣସର ଘରେ ହୋଇ ରୋଗାକ୍ରାନ୍ତ
କମ୍ପନ୍ତି ଚାରି ଠାକୁର
ଯଥା ଦେହେ ତଥା ଦେବେ
ପ୍ରତିପଦ ଠାରୁ ନେତ୍ରୋତ୍ସବ ଯାଏ
ଏକାନ୍ତେ ବିଶ୍ରାମ ନେବେ ।
ହେବ ନାହିଁ ଲାଗି ନିତ୍ଯ ନୈମିତ୍ତିକ
ଅନ୍ନ ଶ୍ରୀମହାପ୍ରସାଦ
ବାଜିବନି ବାଜା ଘଣ୍ଟା ଓ କାହାଳୀ
ପ୍ରବେଶ ତାଟି ନିଷେଧ
ଭୁଞ୍ଜିବେ ସେ ଦୁଗ୍ଧ ସର
ଲାଗି ହେବ ଭୋଗ ଫଳ ଛେନା ଗୁଡ
ସେବିବେ ଦଇତା କୁଳ ।
ପିନ୍ଧି ଶ୍ବେତ ବସ୍ତ୍ର ଦଇତା ପତିଏ
କରିବେ ଗୁପତ ସେବା
ଦେବେ ଦଶମୂଳ ସ୍ବତନ୍ତ୍ର ମୋଦକ
କବିରାଜ ଗଢିଥିବା
ବଡ ଓଡିଆ ମଠରେ
ବରଷକ ତଳୁ ପୋତାଥାଏ ରହି
ଫୁଲୁରି ତେଲ ଯତ୍ନରେ ।
ମିଶା ଯାଇଥାଏ ଦେଶୀ ଘିଅ ମହୁ
ନବାତ ଓ ଖୁଆସର
ନାନା ଚେରମୂଳି ଆୟୁର୍ବେଦ ମତେ
ବିଧିରେ ହୋଇ ସତ୍କାର
ରାଶିତେଲ ବେଣାଚେର
ଯୂଇ ଯାଈ ମଲ୍ଲୀ ମାଳତୀ କେତକୀ
ଚନ୍ଦନ ଚମ୍ପା ବଉଳ ।
କୃଷ୍ଣ ପଞ୍ଚମୀରୁ ସପ୍ତମୀ ଆଷାଢେ
ଫୁଲୁରୀ ତୈଳ ମର୍ଦ୍ଦନ
ଉପଚାରେ ସୁସ୍ଥ ଚତୁର୍ଦ୍ଧା ମୂରତି
ରୋଗ ହୁଏ ଉପଶମ
ନେତ୍ରଲାଗି ମହୋତ୍ସବ
ଅମାବାସ୍ୟା ଦିନ ଷୋଡଶୋପଚାରେ
ପୂଜିତ ହୋଇବେ ଦେବ ।
