STORYMIRROR

Sarojini Mishra

Abstract

4  

Sarojini Mishra

Abstract

ମାଟି ସିଲଟ

ମାଟି ସିଲଟ

2 mins
0

ମାଟି ସିଲଟ -
ମାଟିଘର ମାଟିବାସ୍ନା ପୋଡାମାଟି ଛାତି
ଛାତି ପାତି ସମ୍ମୋହନେ ହୁଏ ଶିକ୍ଷା ଭିତ୍ତି ।
ଜୀବନର ଉତ୍ତୋରଣ ପ୍ରଜ୍ଞା ଆବାହନ
ଜ୍ଞାନ ଜ୍ୟୋତି ଆହରଣେ ଚିର ମହୀୟାନ ॥

ଜ୍ଞାନର ପ୍ରଥମ ଜ୍ୟୋତି ବିତରଇ ମୋତି
ସଂସ୍କାର ଓଁକାର ପୁଣି ସ୍ଵକୀୟ ପଦ୍ଧତି ।
ଦିବ୍ୟ ସଂସ୍କୃତି ମଣ୍ଡିତ ବିଦ୍ୟାରମ୍ଭ ପର୍ବ
ଶୁଭଦିନେ ଶ୍ରୀମଣ୍ଡିତ ଶିଶୁଙ୍କର ଗର୍ବ ॥

ସ୍ୱଳ୍ପ ବ୍ୟୟେ ଗଳ୍ପ ଲେଖେ କଳ୍ପ ଗଢ଼ିତୋଳେ ସଂସ୍କୃତିକୁ ସାଥେ ନେଇ ହସେ ଶିଶୁ ମେଳେ ଆରମ୍ଭରେ ବ୍ରହ୍ମଦେବ, ବିଷ୍ଣୁ, ମହେଶ୍ୱର
ଛାତିରେ ଆଙ୍କି ଲଭଇ ସଂତୃପ୍ତି ଅପାର ॥

ମାଟି ଅଙ୍ଗ ସିନା ମିଳେ ଆଦର ଅପାର
ଭାଙ୍ଗିଗଲେ ଶିଶୁଲୁହେ ଭିଜେ ତା ଶରୀର ।
ଜ୍ଞାନ ଆଦ୍ୟ ଓଁକାରର ଉଚ଼ାରଇ ସ୍ତୋତ୍ର
ଶିକ୍ଷା ସଂସ୍କାରର ସେତୁ ଦୀକ୍ଷା ପୁତ୍ତ ମନ୍ତ୍ର ॥

ତିନି ଶୂନ ମଡାଣରେ ଶବ୍ଦ ସ୍ୱରଲିପି
ସୃଷ୍ଟି, ସଂହାର ପାଳନ ଜ୍ଞାନ ଅଭିଲିପି ।
ଶିଶୁ ଭକ୍ତି ଅଗଣାର ଚ଼ରମ ସଂହିତା
ଅକ୍ଷର ଧୂଳିକୁ କରେ ବିଭୂତିର ଚିତା ॥

ତା ବୁକୁରେ ତିନି ଶୂନ୍ୟ ଶିକ୍ଷାର ଡାକରା
ଦର୍ଶନର ଗୀତା ପୁଣି ଜୀବନ ସାହାରା
ଭିତ୍ତି ତାର ପ୍ରୀତିମୟ ଆଦ୍ୟ ଜ୍ଞାନ ଟୀକା
ସେ ଭିତ୍ତିରେ ଗଢି ଉଠେ ଭବିଷ୍ୟ ବାଟିକା ॥

ଆଦ୍ୟ ଅକ୍ଷର ଲିଖନ ସୁଚାରୁ ପ୍ରଣାଳୀ
ସଂଖ୍ୟା ଚାରୁଚିତ୍ର ପୁଣି ଶବ୍ଦର ବର୍ଣ୍ଣାଳୀ ।
ବକ୍ଷେ ଉତ୍ତାରି ଶିଶୁଙ୍କ ଖୁସୀର କୋଥଳୀ
ମନ ମାନସ ସଂଚାରୀ ସଂସ୍କୃତି କାହାଳୀ॥

ପ୍ରକୃତି ମନ ମଣ୍ଡିତା ଶିକ୍ଷା ସୋହାଗିନୀ
ପ୍ରଥମ ଜ୍ଞାନ ପ୍ରଦୀପ ଶିକ୍ଷା ପ୍ରଜ୍ଜ୍ୱଳିନୀ ।
ଦୀପ୍ତି ଶିଳା ପରେ ଝରେ ପ୍ରୀତିର ଝରଣା
ଜୀବନ ଧାରାର ଭାବ ବିହ୍ଵଳ ଗହଣା ॥

ଆଜି --
ସ୍ମୃତି ଘରେ ରାତି କାଟେ ମନ ଦଗ୍ଧଶିଳା
ଆଦ୍ୟ ବର୍ଣ୍ଣମାଳା ଧାରା ହରାଏ ମେଖଳା
ସଂସ୍କାର ସଂସ୍କୃତି ମୁହଁ ଲୁଚାଉଛି ସତେ
ସହଜ ଉପଲବ୍ଧତା ସଭ୍ୟତାର ସ୍ରୋତେ ॥

ଜୀବନ ଜୀବିକା ଆଉ ଉଦବିଗ୍ନ ମନସା
ଶିଶୁ ପୃଷ୍ଠେ ବସ୍ତାନୀର ପୀଡାର ବେଉସା
ଦଉଡ଼ି ଚାଲିଛି ଖାଲି ବିଜ୍ଞାନ ଗଳିରେ
ସଂସ୍କୃତି ହଜୁଛି ଦେଖ ପ୍ରମାଣ ପତ୍ରରେ ॥

ସିଲଟ ବାହୁନି କାନ୍ଦେ ଅନ୍ଧାରି କୋଣରେ
ସଂସ୍କାର ଦିହୁଡି ଖୋଜେ ଶିଶୁଙ୍କ ମେଳରେ
ଜୀବନ ଚର୍ଯ୍ୟାର କଥା ଖୋଜେ ଚାଟଶାଳୀ
ଗୁରୁଭକ୍ତି ଶିଶୁ ପ୍ରେମ ନିରସ କୋଥଳୀ ॥

ଅହଂ ସ୍ୱୟଂ ନାଶକରେ ଧାରା ବଦଳିଛି
ମାଟି ସିଲଟ ଭିତ୍ତିଟା ଦୋହଲି ଯାଇଛି
ଯୁଗ ବଦଳିଛି ଭାବ ଧାରା ବଦଳିଛି
ଜୀବନ ସ୍ରୋତର ଧାରା ଉଜାଣି ବହୁଛି ॥

ହେଲେ--
ମୋ ଜୀବନ ଆଦ୍ୟ ମୋଡ ତୋ ସାଥେ ସିଲଟ ଅଧ୍ୟୟନ ସୋପାନର ତୁହି ବୃକ୍ଷ ବଟ
ଶୂନ୍ୟ ରୁ ଆରମ୍ଭ ସାଥେ ମୋର ଗତିପଥ
ସିଲଟ ତୁ ସ୍ମୃତି ସିନା ଭୁଲିନି ମୁଁ ସତ ॥
 


Rate this content
Log in

Similar oriya poem from Abstract