ଶ୍ରୀକୃଷ୍ଣ
ଶ୍ରୀକୃଷ୍ଣ
ଶ୍ରୀକୃଷ୍ଣ...
ଶ୍ରୀକୃଷ୍ଣ ଖାଲି ଏକ ଚରିତ୍ର ନୁହେଁ
ଏକ ଯୁଗାବସାନ
ଆଉ
ଯୁଗ ଆରମ୍ଭର
ଜଣେ କିମଦନ୍ତୀ ପୁରୁଷ
ଯିଏ ଜନ୍ମ ମୃତ୍ୟୁର
ସତ୍ୟ ସୀମାରେଖାରେ
ଲେଖି ଦେଇ ଗଲେ
ଜୀବନର ନିଗୁଢ ବାର୍ତ୍ତାକୁ
ଯିଏ ମଣିଷ ଜୀବନର
ଦୁର୍ମୁଲ୍ୟ ମୁହୂର୍ତ୍ତର ଉପଯୋଗୀତା ର
ଏକ ସମୀକ୍ଷା ପୁସ୍ତକ ।
ଶ୍ରୀକୃଷ୍ଣ...
ଯାହାଙ୍କ ଜନ୍ମ ଇତିହାସ ସ୍ଵତନ୍ତ୍ର
ଯାହାଙ୍କ ଜୀବନଶୈଳୀ ସ୍ୱତନ୍ତ୍ର
ଯାହାଙ୍କ ବେଶଭୂଷା ସ୍ୱତନ୍ତ୍ର
ଯାହାଙ୍କ ହସ ବି ସ୍ଵତନ୍ତ୍ର
ଆଉ,
ସବୁ ସ୍ଵତନ୍ତ୍ରତାର ଦାବିଦାର
ସେଇ ଶ୍ରୀକୃଷ୍ଣ ।
ଶ୍ରୀକୃଷ୍ଣ...
ଯାହାଙ୍କ ବେଶ ଭୂଷା ବି ବାର୍ତ୍ତାମୟ
ମୟୁର ପୁଚ୍ଛ ଅବା ବଂଶୀ
ଗୋଧନ ଅବା ବାତ୍ସଲ୍ୟ ପ୍ରେମ
ସବୁଠି ଜୀବନର କଥା
ମଣିଷ ଜୀବନକୁ
ପ୍ରୀତିମୟ କରିବାର ବାର୍ତ୍ତା
ଶ୍ରୀରାଧା ଆଉ ଗୋପାଙ୍ଗନା
ସୁଦାମା ଆଉ ଗୋପାଳ ବାଳକ
ଗୋକୁଳ ଆଉ ବନ ପର୍ବତ
ସବୁଠି ସେ ସ୍ୱତନ୍ତ୍ର ।
ଶ୍ରୀକୃଷ୍ଣ...
ସେ ପୁଣି ପ୍ରେମ ସ୍ଵରୂପର ଉଦ୍- ଘୋଷକ
ସେ ପୁଣି ଧର୍ମର ସଂସ୍ଥାପକ
ସେ ପୁଣି ଶାନ୍ତି ଦୂତ
ସେ ପୁଣି ମହାଭାରତ ଯୁଦ୍ଧରେ
ଅର୍ଜୁନଙ୍କ ବିଷାଦ ଭଙ୍ଗର
କଥୋପକଥନରେ
ଗୀତା ର ସ୍ରଷ୍ଟା
ଆଉ,
ଜୀବନ ଜୀଇଁବା କଳାର ସୁଲେଖକ ।
ଶ୍ରୀକୃଷ୍ଣ....
ଜନ୍ମ ଆଦ୍ୟରୁ
ବିପଦ ମାନଙ୍କ ଭିତରେ
ଜୀବନ ବିତାଇ
ଲଢୁଥିବା
ଜଣେ ସୁଯୋଦ୍ଧା
ଆଉ,
ଜାତି ପାଇଁ ବ୍ୟକ୍ତି ସ୍ୱାଚ୍ଛନ୍ଦ୍ୟକୁ
ବଳି ଦେଉ ଥିବା ଜଣେ ନିରୁତା ମଣିଷ ।
ଶ୍ରୀକୃଷ୍ଣ...
ଏମିତି ଏକ ବ୍ୟକ୍ତିତ୍ୱ
ଯିଏ ଭୁଲ୍ ସ୍ଵୀକାରୋକ୍ତି ଭିତରେ
ଅଭିଶାପ କୁ ସବିନୟେ
ମଥାପାତି ସହାସ୍ୟେ
ଗ୍ରହଣ କରି ନେବାର
ଗୋଟିଏ ଅଦ୍ଭୁତ ଚରିତ୍ର
ଆଉ ,
କର୍ମ ଆଉ କର୍ମଫଳ
ପ୍ରାରବ୍ଧ ସ୍ଵୀକାରୋକ୍ତିର
ସ୍ପଷ୍ଟ ଅଭିଲେଖ ।
