ଲୋଭ
ଲୋଭ
ଲୋଭ ମୃଗତୃଷ୍ଣା ଅତୃପ୍ତ ବାସନା
ମନମାନସର କ୍ଷୁଧିତ ଧାରା
ଅଶାନ୍ତ ଲହରୀ ମନ ଦିଏ ମାରି
ପଥ ଭ୍ରଷ୍ଟତାର ପାଥେୟ ସାରା ।
ଅଶାନ୍ତ ମନର ସ୍ଖଳନ ଫୁଆରା
ଶାନ୍ତି ମହଲରେ ଅଶାନ୍ତ ଝଡ
ଆସକ୍ତି ବାରିଧି ଦୁରାରୋଗ୍ୟ ବ୍ୟାଧି
କଷଣ ଡାକରା ଦୁଃଖ ପାହାଡ଼ ।
ଆବେଗିକ ଛନ୍ଦେ ବିଷର ଜ୍ବଳନ
ମନ ଚେତନାରେ ଅଗ୍ନି ସ୍ଫୁଲିଙ୍ଗ
ପାଶବିକତାର ମୋହ ଫାଶ ବନ୍ଧା
ବିବେକ ବିଚାର ହରାଏ ରଙ୍ଗ ।
ଜୀବନ ଧାରାରେ ବାରିଦ ବନ୍ୟାର
ଅସଙ୍ଗତ ସ୍ଥିତି ମନ ମଳିନ
ଆତ୍ମା ଅଶୁଦ୍ଧି ର ବିଷ ପାତ୍ରଟିଏ
ସନ୍ତୋଷ ହଜଇ ପ୍ରୀତି ମଉନ ।
ସ୍ୱାର୍ଥ ମହଲର ଆକାଂକ୍ଷା ବହଳ
ମାନବତା ମୁଖେ ମଳିନ ହସ
ଦିଗ୍ଦର୍ଶନ ଖୋଜେ ଶାନ୍ତିର ଇଲାକା
ଦିଗ୍ ଭ୍ରଷ୍ଟ ମସ୍ତିଷ୍କ ଅମେଣ୍ଟା ଶୋଷ ।
ମୁଖାଯୁକ୍ତ ଶତ୍ରୁ ଆକର୍ଷିତ ଋତୁ
ପ୍ରହେଳିକା ଛନ୍ଦେ ମନ ଆକର୍ଷେ
ଅମେଟା ଭୋକର ଅଛିଣ୍ଡା ଭାବନା
ବିପଦ ଡାକଇ ଆନନ୍ଦ ରୁଷେ ।
ଜୀବନ ମରୁର ମୃଗତୃଷ୍ଣା ସାଜି
ମଣିଷ ଭ୍ରମିତ ନିରାଶା ପ୍ରାପ୍ତି
ଜୀବନ ପଥରେ ପ୍ରୀତି ପୁଷ୍ପ କାନ୍ଦେ
ଅଚିହ୍ନା ଭାବର ଚିର ଅତୃପ୍ତି ।
ମାନବିକତାର ସ୍ଵର ବିଖଣ୍ଡିତ
ସ୍ୱାର୍ଥର ସାରଥୀ ପଥ ଦେଖାଏ
ଜୀବନର ଲକ୍ଷ୍ୟ ଚିର ଅଭିଶପ୍ତ
ଅନ୍ଧାର ପଥରେ ପେଚ଼ା କୁହାଟେ ।
ପବିତ୍ର ମନ୍ଦିରେ ପାପ ର ଅଞ୍ଜଳୀ
ପତନ ଗୁହାରେ ମଣିଷ ଠିଆ
ନିମନ୍ତ୍ରିତ ଜ୍ଵାଳା ଅଶାନ୍ତି ମେଖଳା
ଜୀବନ ଯାତନା ଦୁଃଖର ଛାୟା ।
ଶାନ୍ତି ତିରୋହିତ ପ୍ରେମ ନିରୁଦ୍ଦିଷ୍ଟ
ଲୋଭ ଜୀବନର ପରମ ଶତ୍ରୁ
ଅସରା ପସରା ଅଶାନ୍ତିରେ ଭରା
ଜୀବନ ବଂଚିବା ହୁଅଇ ଗରୁ ।
