STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଆଗକୁ ବଢ଼ିବ ତ ବଢ଼

ଆଗକୁ ବଢ଼ିବ ତ ବଢ଼

1 min
0

 
ତୁମେ ଚାହୁଁଛ ନା
ଆଗକୁ ଯିବାକୁ,ଯାଅ
ହେଲେ କାହାକୁ ପଛକୁ ଠେଲି
କାହା ସ୍ୱପ୍ନକୁ ଦଳି ଚକଟି ନୁହେଁ
ନିଜର ସାମର୍ଥ୍ୟ, ମନୋବଳ
ଆଉ ପ୍ରଚେଷ୍ଟା କୁ ନେଇ ଆଗକୁ ବଢ ।

ହଁ ତୁମେ ଆଗକୁ ବଢ
ମୁଣ୍ଡ ଉପରେ ବଡ଼ଙ୍କ
 ହାତର ଅମୂଲ୍ୟ ସ୍ପର୍ଶକୁ ନେଇ
ହଁ ତୁମେ ଆଗକୁ ବଢ଼
ତୁମେ ଆକାଶରେ ଉଡ
ତୁମ ସ୍ୱପ୍ନ ରାଇଜରେ
 ମସ୍‌ଗୁଲ୍ ହୁଅ--
ହେଲେ ମାଟି ମୋହକୁ
ପାଦରେ ଆଡ଼େଇ ନୁହେଁ
ତୁମ ଅସ୍ତିତ୍ୱକୁ
ବଳି ଦେଇ ନୁହେଁ
ତୁମ ମଣିଷ ପଣିଆକୁ
ବନ୍ଧା ପକାଇ ନୁହେଁ
କାହା ଆଖିରେ
ଲୁହର ବନ୍ୟା ଛୁଟାଇ ନୁହେଁ
କାହାର ଆତ୍ମାକୁ
 ଧିକ୍କାର କରି ନୁହେଁ
କାହାର ଅନ୍ତରଙ୍ଗ ଶବ୍ଦ ମାନଙ୍କୁ
ଚୁପ୍ କରାଇ ନୁହେଁ ।

ବରଂ
ବଢ଼ିବ ତ ଆଗକୁ ବଢ଼
ମାଟିର ମଟାଳରେ
ଜୀବନୀ ଶକ୍ତିକୁ ସମ୍ମାନ ଦେଇ
ବଢିବ ତ ଆଗକୁ ବଢ଼
ଲୁହ ଭଉଁରୀ ର ଇଲାକାରେ
ହସର ଲହରୀ ଛୁଟାଇ
ବଢିବ ତ ଆଗକୁ ବଢ଼
ମୁଣ୍ଡରେ ବଡ଼ଙ୍କ ଆଶୀର୍ବାଦ
ଆଉ
ସଭିଙ୍କ ଭଲ ପାଇବା ନେଇ
ବଢିବ ତ ଆଗକୁ ବଢ଼
ଅସ୍ତିତ୍ୱ କୁ ସ୍ୱସ୍ତିକ ପିନ୍ଧାଇ
ମାନବତାଙ୍କୁ ଗୌରବ ଦେଇ
ହୃଦୟକୁ ପ୍ରେମରେ ରଙ୍ଗାଇ
ଜୀବନକୁ ସ୍ୱୀକାରୋକ୍ତି ଜଣାଇ
ଆଉ ନିଜସ୍ଵତାକୁ ନିର୍ବିକଳ୍ପ କରି
ହଁ ତୁମେ ଆଗକୁ ବଢ଼
ମାଟିର ବାସ୍ନାରେ ଭିଜି
ସବୁଜ ପତରେ ମଜ୍ଜି
ନୁଆଁଣିଆ ଚାଳ ଘର
ଅନୁଭବ କୋଠରୀର
ପୃଷ୍ଠା ମାନଙ୍କୁ
ନିଜ ଜୀବନ ପୁସ୍ତକରେ
ମୁଖବନ୍ଧ କରି
ଆଉ ତୁମର ସ୍ୱପ୍ନ ମହଲରେ
ପବିତ୍ର ପୋଥିଟିଏ କରି
ଯେଉଁଠି ଜୀବନ ଜିଜ୍ଞାସାର
ସମସ୍ତ ଉତ୍ତର
ତୁମକୁ ମିଳି ଯାଉଥିବ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational