ଲେଖା ମୋ ଗାଁ ଠିକଣା
ଲେଖା ମୋ ଗାଁ ଠିକଣା
ନାରିକେଳ ଗଛ ସବୁଜ ପତର
ଶିରି ଶିରି ବାଆ ଛୁଆଁ
ନୀଳ ଆକାଶର ବଉଦର ସଙ୍ଗେ
ନିତି ଭାବ ଦିଆ ନିଆ
ସେଇ ବାହୁଙ୍ଗାର ଶ୍ରୀଫଳ ପାଣିରେ
ଲେଖା ମୋ ଗାଁ ଠିକଣା ।
ମୋ ଗାଁ ରାସ୍ତାର ଦୁଇଧାରେ ଶୋଭା
ଆବାସ ସ୍ଥଳ ସୁଷମା
ନିଆରା ସୌନ୍ଦର୍ଯ୍ୟ ବିଭୂତି ମଣ୍ଡିତ
ସଜ୍ଜୀକରଣ ମହିମା
ଦୂରଦୃଷ୍ଟି ଯୁକ୍ତ ଉଚ୍ଚା ବାରଣ୍ଡାରେ
ଲେଖା ମୋ ଗାଁ ଠିକଣା ।
ମୋ ଗାଁ ମୁଣ୍ଡର ରତ୍ନଚିରା ଧାର
ଗାଁ ପୋଖରୀ ଚାଳିଶା
ଅତୀତ ପୃଷ୍ଠାର ସ୍ମୃତି ପରୁଆକୁ
ଖୋଲି ଦେଖାଉଛି ଦିଶା
ବର ଓହଳର ମାଟି ଛୁଆଁ ସୂତ୍ରେ
ଲେଖା ମୋ ଗାଁ ଠିକଣା ।
ମାଳ,ବିଲ,ବଣ, ଆମ୍ବ ଗଛ ତଳ
ବଉଳର ମୃଦୁ ବାସ୍ନା
ମାଦଳା ପାଞ୍ଜିର ପୃଷ୍ଠା ଗାଉଅଛି
ମୋ ଗାଁ ଯେ ପ୍ରୀତିମଗ୍ନା
ବାହୁଙ୍ଗା ଫାଙ୍କର ଜହ୍ନ ଆଲୁଅରେ
ଲେଖା ମୋ ଗାଁ ଠିକଣା ।
ମୋ ଗାଁ ଆଦ୍ୟର ଦୋଳ ବେଦୀ କୁହେ
ଗାଁ ପରଂପରା କଥା
ଆଦ୍ୟ, ପ୍ରାନ୍ତ, ମଧ୍ୟ ମନ୍ଦିର ଦିଅଇ
ସଂସ୍କୃତିର ମହାବାର୍ତ୍ତା
ପର୍ବପର୍ବାଣୀର ଅନ୍ତର ପତରେ
ଲେଖା ମୋ ଗାଁ ଠିକଣା ।
ସବୁଜ ଶୋଭାର ଦୂର ଦିଗ୍ ବଳୟେ
ମୋ ଗାଆଁ ପ୍ରଦୋଷ ଶୋଭା
ପ୍ରଭାତୀ ଶଙ୍ଖର ନିନାଦ ବାଢ଼ଇ
ଆଧ୍ୟାତ୍ମ ର ଚାରୁ ବିଭା
ଆଳତୀର ଦିବ୍ୟ ଦେବ ନୀତି ଧାରେ
ଲେଖା ମୋ ଗାଁ ଠିକଣା ।
ଗାଁ ମନ୍ଦିରର ଭଜନ ଜଣାଣ
ପବିତ୍ର ମନ ଚେତନା
ଦେବା ଦେବୀଙ୍କର ଅବସ୍ଥାନେ ଗାଁ
ହୁଅଇ ବିପଦ ଶୂନ୍ୟା
ପର୍ବ ପର୍ବାଣୀର ତିଥିରେ ବିଧିରେ
ଲେଖା ମୋ ଗାଁ ଠିକଣା ।
ଆଦ୍ୟ ଶାସନର ଗୌରବରେ ମଖା
ମୋହରି ଗାଆଁ ମହିମା
ଗାଆଁ ଅନୁଷ୍ଠାନ ଚିତ୍ତ ଚିନ୍ତନରେ
ଗାଆଁ ଉନ୍ନତି କାମନା
ଶିକ୍ଷାନୁଷ୍ଠାନର ପବିତ୍ର ବୁକୁରେ
ଲେଖା ମୋ ଗାଁ ଠିକଣା ।
ଆକାଶ ଛୁଆଁ ସେ ନାରିକେଳ ବୃକ୍ଷ
ମେଘ ସଂଗେ ପ୍ରୀତିକଥା
ବାତ୍ୟା ବିପଦର ପ୍ରତିରୋଧ ଯୋଦ୍ଧା
ଟେକିଛି ଗାଆଁ ରେ ମଥା
ନାରିକେଳ ଗଛ ପ୍ରତିଦାନ ପତ୍ରେ
ଲେଖା ମୋ ଗାଁ ଠିକଣା ।
ସବୁଜ ସମ୍ଭାର ସ୍ଵତନ୍ତ୍ରତା ସୁର
ସ୍ଵଚ୍ଛ ଦିଗନ୍ତର ଧାରା
ଶିକ୍ଷାର ପସରା ଜୀବନ ଇସାରା
ଉଦାହରଣରେ ଭରା
ଘର ସଂଲଗ୍ନତା ସ୍ୱତନ୍ତ୍ର ପିଣ୍ଡାରେ
ଲେଖା ମୋ ଗାଁ ଠିକଣା ।
ସରୋଜିନୀ ମିଶ୍ର
ସତ୍ୟବାଦୀ । ପୁରୀ
