STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ତଥାପି ସଂଘର୍ଷ ଜାରି ରହିବ

ତଥାପି ସଂଘର୍ଷ ଜାରି ରହିବ

2 mins
0

ସଂଘର୍ଷ ତ ଜାରୀ ରହିଛି -
ନିତ୍ୟ ନିୟମିତତାକୁ
ସଙ୍ଗରେ ନେଇ
କାହିଁକି ନା ସମସ୍ତେ କୁହନ୍ତି
ଜୀବନର ଅନ୍ୟନାମ ସଂଘର୍ଷ ।

ସଂଘର୍ଷ ତ ଜାରି ରହିଛି
ଅହରହ ଦିନରାତି
ଆଉ ସୁଖ-ଦଃଖର ରେଜେଇ ତଳେ
ହାରିବା - ଜିତିବାର
ଅଙ୍କ କଷି କଷି ।

ହେଲେ କିଏ କେବେ
ନିରେଖି ଦେଖିଛ କି ବନ୍ଧୁ
ସଂଘର୍ଷରେ କେବଳ ଶରୀର
ଥକି ଯାଇ ଦୀର୍ଘଶ୍ଵାସ ଛାଡୁନି
ଆକାଶକୁ ଚାହିଁ ଝାଳ ପୋଛୁନି
ବିଶ୍ୱାସ ବି ଥକୁଛି
ଆସ୍ଥା ବି ଥକୁଛି
ସାହସ ବି ଥକୁଛି
ହୃଦୟ ବି ଭାଙ୍ଗୁଛି
ଆତ୍ମା ମଧ୍ୟ ବିଳପୁଛି
ତଥାପି ସଂଘର୍ଷ ଜାରୀ ରହିଛି ।

ଏମିତି ଜୀବନକୁ କେବେ
ଖୋଜିଛ କି ବନ୍ଧୁ....
ଯଦି ପାଇଛ ଯଦି ପାଇଛ -
ନିରେଖି ଦେଖିଛ କି
ସେ ଜୀବନ ସଂଘର୍ଷକୁ
କେବେ ପଢ଼ିଛ କି ସେ
ସଂଘର୍ଷର ଇତି କଥା -
ଯଦି ପଢିଛ -
ତେବେ,
ସେ କାନ୍ଧରେ ପ୍ରୀତି ସ୍ପର୍ଶ ଦେଇ
ପ୍ରେମ ର କାଉଁରୀ ଛୁଆଁ ରେ
ମନ ଚେତନାରେ
ସଂଘର୍ଷ ଅନିବାର୍ଯ୍ୟ ବୋଲି
ମନ୍ତ୍ର ଟିଏ ଉଚ୍ଚାରି ଦିଅ
ଯିଏ ହାରିବାର ଟଳମଳ ଭୂଇଁରେ
ଜିତିବାର ଅଙ୍କ କଷି ଦେବ
ଭାଙ୍ଗିବାର ଇତସ୍ତତଃ ଇଲାକାରେ
ଗଢ଼ିବାର ନିହାଣ ଥାପିବ
ଆଉ
ଭଙ୍ଗା ଦେଉଳରେ ପୁଣି
ଶଙ୍ଖ, ଘଣ୍ଟା, ଆଳତୀ ଶୁଭିବ ।

ଆଉ ଏକଥା ବି କହିଦିଅ ଦୃଢ଼ କରି -
ତଥାପି ସଂଘର୍ଷ ଜାରି ରହିବ
କେବେ ସମୟ ସହିତ
କେବେ ନିଜ ସହିତ
କେବେ ପୁଣି ନିଜର ଭାଗ୍ୟ ସହିତ
କାହିଁକି ନା
ସଂଘର୍ଷ ବିହୀନ ଜୀବନ
ସ୍ୱାଦହୀନ , ପ୍ରଜ୍ଞା ଲୀନ
ଅଗଭୀର, ଅନୁଭବ ହୀନ
ବିସ୍ତୀର୍ଣ୍ଣ ଇଲାକା -
ସବୁ ଥାଇ ନଥିବାର ଅପ୍ରାପ୍ତିରେ
ଭିଜୁ ଥିବା ଏକ ମନୋଚେତନା
ତେଣୁ
ଅନୁଭବକୁ ରସାଳ କରିବା ପାଇଁ
ତଥାପି ସଂଘର୍ଷ ଜାରି ରହିବ
ହଁ ହଁ ତଥାପି ସଂଘର୍ଷ ଜାରି ରହିବ
ହାରିବା ବା ଜିତିବାର
ମୋହ କୁ ନେଇ ନୁହେଁ
ବରଂ ଅନୁଭବକୁ
ରଙ୍ଗେଇବା ପାଇଁ
ଛୋଟ ଛୋଟ ଖୁସୀରୁ
ବଡ଼ ଆନନ୍ଦର ମଞ୍ଜିକୁ
ହୃଦୟରେ ରୋପି ଦେବା ପାଇଁ ।

ତଥାପି ସଂଘର୍ଷ ଜାରି ରହିବ
ହଁ ହଁ ତଥାପି ସଂଘର୍ଷ ଜାରି ରହିବ
ଜୀବନର ମିଠାସ କୁ ସାଉଁଟିବା ପାଇଁ -


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational