ଜୀବନ ଏମିତି
ଜୀବନ ଏମିତି
କଳା କିଟି କିଟି ଅନ୍ଧାର ରାତିର
ନିସ୍ତବ୍ଧ ଜୀବନ ଫର୍ଦ୍ଦ
ତଥାପି ଜହ୍ନର ସପନ ସରିନି
ପ୍ରୟାସେ ହୋଇନି ସ୍ତବ୍ଧ ।
କଳା ମେଘ ଢଙ୍କା ଆକାଶ ଫାଙ୍କରେ
ଆଶାର ମୁରୁଜ ବୁଣେ
ପ୍ରତୀକ୍ଷା ମନ୍ଦିରେ ତପ କରିବାକୁ
ପ୍ରୀତି ଅଭିଲେଖ ଟାଣେ ।
ଆଲୁଅ ଅନ୍ଧାର ଖରା ଛାଇ ଖେଳ
ଏଇ ତ ଜୀବନ ଧାରା
କେବେ ଗ୍ରୀଷ୍ମ ତାତି ଜାଳିଦିଏ ଛାତି
କେବେ ଘନ ଘୋର ଭରା ।
କେବେ ଜୀବନର ଆକାଶକୁ ମଣ୍ଡେ
ପୁନେଇ ଜହ୍ନ ଫୁଆରା
କେବେ ଘନ ଘୋର ବନ୍ୟାର ଜୁଆର
କେବେ କୁଳୁ କୁଳୁ ଧାରା ।
ଜୀବନ ଆକାଶ କେବେ ଶ୍ରୀମଣ୍ଡିତ
ତାରା ଫୁଲ ଙ୍କର ଭିଡ଼
କେବେ ସେ ନିସ୍ତବ୍ଧ ଉଦାସୀ କନ୍ୟାଟେ
ନିରବତା ର ପାହାଡ଼ ।
କେବେ ନୀଳ ନଭ ଚାନ୍ଦୁଆ ର ତଳେ
କଳ ରବ ମଧୁଝରା
କେବେ ପ୍ରକୃତି ର ମୋଡ଼ ବଦଳିଲେ
ଖାଲି ପଣ ଟା ନିଆରା ।
ଫେଣ୍ଟା ପେଣ୍ଟି ସ୍ଥିତି ଜୀବନର ରୀତି
ଦୁଃଖେ ସୁଖର ଆଦୃତି
ଅନ୍ଧାର ପଣଟା ଆଲୁଅ ମୂଲ୍ୟକୁ
ଦିଏ ସୁଦୃଢ ସ୍ୱୀକୃତି ।
