ପୁନର୍ଜନ୍ମ
ପୁନର୍ଜନ୍ମ
ହେ ଈଶ୍ୱର
ତୁମର ଏ ଅନନ୍ୟ ସଂସାରରେ
ମୁଁ ଏକ ଅନୁପମ ସୃଷ୍ଟି ବୋଲି ଯୁଗେ ଯୁଗେ ବିଦିତ ।
ଲୋଡ଼ା ନାହିଁ ମୋହାଛନ୍ନ ଜନ୍ମ
ଲୋଡ଼ା ନାହିଁ ଏ ସତ୍ତାହୀନ ସମାଜ
ଲୋଡ଼ା ନାହିଁ ଶଙ୍କାଗ୍ରସ୍ତ ଜୀବନଟିଏ ।
ଦେବ ଯଦି ଦେଇଦିଅ
ସୁରକ୍ଷା ବଳୟଘେରା ଜନ୍ମଭୂମିଟିଏ
ବିଶ୍ୱାସରେ ଅଭିଷିକ୍ତ ସମାଜଟିଏ
ମୁକ୍ତି ମନ୍ତ୍ରରେ ସିଦ୍ଧ ପୁନର୍ଜନ୍ମଟିଏ ।
ନଥିବ ଯାତନାର କିଞ୍ଚିତ ପ୍ରଭାବ ,
ନଥିବ ଜନ୍ମ ପୂର୍ବରୁ ମୃତ୍ୟୁର ଭୟ ,
ମିଛ ପ୍ରତିଶ୍ରୁତି ଆଳରେ ପ୍ରତାରଣା ପାଇଁ
ନଥିବ ଶୂନ୍ୟତା ।
ଜନ୍ମର ସାର୍ଥକତା ପାଇଁ
ଜନ୍ମଦାତା ପାଇଁ ନଥିବ ବ୍ୟଥା ଆଉ ଆଶଙ୍କା ।
ଦାୟିତ୍ୱ ଓ କର୍ତ୍ତବ୍ୟ ଯଜ୍ଞରୁ
ଉତ୍ପନ୍ନ ହେଉଥିବ ସମ୍ମାନର ମହାର୍ଘ୍ୟ ।
ଟିକିଏ ସ୍ନେହ
ପ୍ରେମ ରଙ୍ଗରେ ରଙ୍ଗୀନ
ପବିତ୍ର ବନ୍ଧନର ଆତ୍ମୀୟତା ।
ଚତୁର୍ଦ୍ଦିଗରେ ଝଙ୍କୃତ ହେଉଥିବ
ପୂଣ୍ୟ ଓ ତୃପ୍ତିର ଝଙ୍କାର ।
ଧନ ପ୍ରତିପତ୍ତିର ଅହମିକାରେ ଗଢ଼ା
ସୌଧ ନୁହେଁ
ଶାନ୍ତିର ମହକ ଆଚ୍ଛଦିତ କୁଡ଼ିଆଟିଏ ।
ଉଚ୍ଚ ବିଚାରଧାରାରେ
ପ୍ଳାବିତ
ଅଜ୍ଞାନ ତିମିରାମୁକ୍ତ ବାତାବରଣ ।
ଜ୍ଞାନର ଅକ୍ଷୟ ଧାରାରେ ପରିପୂର୍ଣ୍ଣ
ତେଜୋଦୀପ୍ତ ହୃଦୟ ଓ ପ୍ରାଣ
ତ୍ୟାଗ ପଵିତ୍ରତାରେ ଅଭିପ୍ରେରିତ
ନିର୍ମଳ ମନର ସତ୍ତାଟିଏ ।
ନାରୀତ୍ବର କଅଁଳ ଶରୀର ପାଇଁ
ନଥିବ ମାଂସଲୋଭୀ ରାକ୍ଷସର
ପ୍ରାଦୁର୍ଭାବ ।
ଦେବତ୍ୱର ସ୍ପର୍ଶରେ
ଲୋପପାଇଯାଇଥିବ କାମନାର ଲାଳସା ।
ହେ ଈଶ୍ୱର
ଦେଇଦିଅ
ନାରୀତ୍ବର ମହାନୁଭଵତାରେ
ଆହୁତି ଦେଉଥିବା ଅସ୍ତିତ୍ୱଟିଏ ।
