କନ୍ୟା ଓ ବଧୁ
କନ୍ୟା ଓ ବଧୁ
ଝିଅ ଜନମ ତ ପର ଘରକୁ ଲୋ
ସଭିଏ କହନ୍ତି ମତେ
ଭଲ ବର ଆଉ ଘର ମିଳିଗଲେ
ଖୁସି ରେ ରହିବୁ ସତେ !
ବାପା ମା ମୋର ପାଠ ପଢେଇଲେ
ନ ଶୁଣି ଦୁନିଆ ରୀତି ନିୟମ
ନିଜ ଗୋଡେ ନିଜ ଛିଡା ହେଇଛି ମୁଁ
ସଫଳ ବ୍ୟକ୍ତିତ୍ଵ ଆଜି ମୁଁ ଜାଣ !
ବିବାହ ବୟସ ଆସି ପହଁଚିଲ
ସମୟ ବଡ଼ ନିଷ୍ଠୁର
ଅଟକି ଯାଏନି ଯେତେ ଭି ଚାହିଁଲେ
ଝିଅ ଲାଗି ହରବର !
ବିଭା ହୋଇ ଆସି ପାଦ ମୁଁ ଦେଲି ଲୋ
ଶାଶୁ ଘର ଅଳ୍ପ ଦୂର
ଶାଶୁ ଓ ଶଶୁର ଦୁଇ ପ୍ରାଣୀ ମୋର
ଗୁଣେ ସ୍ନେହୀ ଅସୁମାର !
ବୋହୁ ଯେ କରଇ ବଡ଼ ଚାକିରି ଲୋ
ଶଶୁର କହନ୍ତି କେତେ
ଶାଶୁ ମୋର ମଥା ଟେକିଣ କୁହନ୍ତି
ସବୁରେ ଭଲ ସେ ମୋତେ ।
ପାଠ ପଢା ମୋର ଇଛା ଯେ ବହୁତ
ଜାଣିଲେ ଦୁହେଁ କଥାରୁ
ବାପା ମା ଟିଏ ପାଇଲି ମୁଁ ସତେ
ପଥ ପ୍ରଦର୍ଶକ ସେ ଗୁରୁ !
ବାହାର ଲୋକ ଲୋ ଈର୍ଷା ରେ ଜଳିଲେ
ହସିଲା ସଂସାର କାନ୍ଦା
ଶାଶୂଙ୍କୁ କହିଲେ ବୋହୁ ନା ରେ ଲୋ
ବୋହୁ ଆଗେ ଶାଶୂ ନିନ୍ଦା !
ଦିନେ ସଞ୍ଜ ବେଳେ କହିଲି ମୁଁ ତାଙ୍କୁ
ସମ୍ଭାଳି ନ ପାରି ମୁହିଁ
ଏତେ କଥା ଶୁଣ ତୁମେ ମୋ ନାଁରେ
କିମ୍ପା ଥାଅ ତୁନି ହୋଇ ?
ଗରମ ପାଣିରେ ପୋଡଇ କି ଘର
କହିଲେ ମୁଣ୍ଡ ମୋ ଛୁଇଁ
ସୁଖକୁ ଦେଖିଲେ ସହି ନ ପାରନ୍ତି
ନ ଦେ ଗୋ ମାଁ ଧ୍ୟାନ ତୁହି !୬
ଏବେ ତୁ ଆରମ୍ଭ କରିଛୁ ସଂସାର
କି ବୁଝି ପାରିବୁ କଥା
ଭଲ ଭଲ କେତେ ଆମ ଆଗେ କହ
ତୋ ଆଗେ କହିବେ ନଥା !
ତୋହର ମୋହର ସମ୍ପର୍କ ନିଆରା
କେମିତି ବୁଝିବେ ଲୋକ
ହୁଅନ୍ତୁ ନିଜର ଅବା ସିଏ ପର
ରଖି ଚାଲିବୁ ବିବେକ !
ବୁଝି ମୁଁ ପାରିଲି ଜୀବନ ବଞ୍ଚିବା
ସତେ ନୁହେଁ ଲୋ କଠିନ
ବେଶୀ କିଛି ନୁହେଁ ଦରକାରୀ ଅଟେ
ବିଶ୍ୱାସ,ଶ୍ରଦ୍ଧା ସମ୍ମାନ !
