ତୁମେ ରାମ ତୁମେ ଶ୍ୟାମ
ତୁମେ ରାମ ତୁମେ ଶ୍ୟାମ
ତୁମେ ଅଟ ରାମ ତୁମେ ଅଟ କୃଷ୍ଣ
ତୁମେ ଯେ ପ୍ରଜ୍ଞା ପୁରୁଷ
ଯୁଗର ଆହ୍ଵାନେ ଅବତାର ନେଲ
ଦେଲ ସ୍ଵତନ୍ତ୍ର ସନ୍ଦେଶ ।
ରାମ ଅବତାରେ ମର୍ଯ୍ୟାଦାର ସେତୁ
ତୁମେ ଯେ ସ୍ଥାପନା କଲ
କୃଷ୍ଣ ଅବତାରେ ଅପ୍ରାକୃତ ପ୍ରେମ
ମାଧୁରୀ ଖେଳାଇ ଦେଲ ।
ତୁମେ ଅଟ ରାମ ସତ୍ୟର ପୂଜାରୀ
ସତ୍ୟ ପାଇଁ ବନେ ଗଲ
କୃଷ୍ଣ ଅବତାରେ ଧର୍ମ ରକ୍ଷା କରି
ରଥେ ସାରଥି ହୋଇଲ ।
ତୁମେ ଅଟ ରାମ ତୁମେ ପରଂବ୍ରହ୍ମ
ସଭ୍ୟତା ନିର୍ମାଣ କଲ
କୃଷ୍ଣ ଅବତାରେ ଧର୍ମ ରକ୍ଷା ପାଇଁ
ପାଣ୍ଡବଙ୍କ ସଙ୍ଗେ ଥିଲ ।
ପ୍ରଜାନୁରଞ୍ଜନେ ମର୍ଯ୍ୟାଦା ପାଳନେ
ଅସହ୍ୟ ପୀଡ଼ା ସହିଲ
ବନବାସ ପୁଣି ପତ୍ନୀ ବିଚ୍ଛେଦକୁ
ଜୀବନେ ଯେ ସହ୍ୟ କଲ ।
ଚୈତ୍ର ମାସର ଶୁକ୍ଳ ନବମୀରେ
ସୂର୍ଯ୍ୟ ବଂଶେ ହେଲ ଜନ୍ମ
ଦଶରଥ ପିତା କୌଶଲ୍ୟା ମାତାଙ୍କୁ
କରିଦେଲ ତୁମେ ଧନ୍ୟ ।
ରାମ ଅବତାରେ ଆଲୋକ ମହିଲେ
ତୁମେ ପ୍ରଭୁ ଜନ୍ମିଥିଲ
କୃଷ୍ଣ ଅବତାରେ କଂସ କାରା ଗୃହେ
ମେଘ ଅନ୍ଧାରେ ଜନ୍ମିଲ ।
ରାମ ଅବତାରେ ବନ ବାସ କାଳେ
କେତେ ଅସୁର ମାରିଲ
କୃଷ୍ଣ ଅବତାରେ ଅସୁରେ ଆସିଲେ
ତାଙ୍କୁ ବିନାଶ କରିଲ ।
ରାମ ଅବତାରେ ମର୍ଯ୍ୟାଦା ଦର୍ଶାଇ
ତ୍ୟାଗର ଦୃଷ୍ଟାନ୍ତ ଦେଲ
କୃଷ୍ଣ ଅବତାରେ ଧର୍ମ ଅଧର୍ମର
ପରିଣାମ ଦର୍ଶାଇଲ ।
ଯୁଗ ହିସାବ ରେ ରାମ ବାର କଳା
କୃଷ୍ଣ ଅବତାରେ ଷୋଳ
ସମ୍ମାନ ପାଇଁ କି ଲଢିଲ ଶ୍ରୀରାମ
ସଂସାର ପାଇଁ କି ଶ୍ୟାମ ।
ନିୟମ କାନୁନ ମର୍ଯ୍ୟାଦାର କଥା
ସ୍ଥାପିଲ ଆହେ ଶ୍ରୀରାମ
ନୀତି ନିୟମର ଉଲଙ୍ଘନ ଫଳ
ବତାଇଲ ଘନଶ୍ୟାମ ।
ରାମ ଅବତାରେ ବାଧା ମୁକ୍ତି ମାର୍ଗ
ତୁମେ ଯେ ଦେଖାଇଗଲ
କୃଷ୍ଣ ଅବତାରେ ସୁଖୀ ଜୀବନର
ପ୍ରେରଣା ଯେ ଦେଇଗଲ ।
ରାମ ଅବତାରେ ତାରିଲ ମାରିଲ
ବନରେ ବନରେ ବୁଲି
କୃଷ୍ଣ ଅବତାରେ ମରିଲେ ତରିଲେ
ତୁମ କଥା ଭାବି ଭାବି ।
ରାମ ଅବତାରେ ନ ମାଗିଲେ ପ୍ରଭୁ
ଯାଚି ତୁମେ ଦେଉଥିଲ
କୃଷ୍ଣ ଅବତାରେ ଚିହ୍ନି ଚିହ୍ନାଇ ଯେ
ମାଗିଲେ ଯେ ଦେଇ ଥିଲ ।
ରାମ ଅବତାରେ ଆଦର୍ଶ ମର୍ଯ୍ୟାଦା
ଜୀବନର ମାନଦଣ୍ଡ
କୃଷ୍ଣ ଅବତାରେ ପରିସ୍ଥିତି ଦେଖି
କାର୍ଯ୍ୟ ତୁମେ କରୁଥିଲ ।
ରାମ ଅବତାରେ କର୍ମ ଯୋଗେ ତୁମେ
ନିଷ୍କାମ କର୍ମ କରିଲ
ଭକ୍ତି ଯୋଗ କଥା ହେ ପୁରୁଷୋତ୍ତମ
ତୁମେ ବି ସ୍ଥାପନା କଲ |
ବୀର ହନୁମାନ ସମର୍ପଣ ଆଉ
ଶବରୀ ଭାବର କଥା
ଭକ୍ତି ରସାମୃତ ବୁହାଇ ଥିଲ ହେ
ସମାଜେ ସ୍ଥାପିଲ ଗାଥା ।
କୃଷ୍ଣ ଅବତାରେ କର୍ମ ଭକ୍ତି ସଙ୍ଗେ
ଜ୍ଞାନଯୋଗ ଯୋଡି ଦେଲ
ନିଷ୍କାମ କର୍ମ ଓ ଭାବ ଭକ୍ତି ସଙ୍ଗେ
ସଦ୍ ଜ୍ଞାନ କଥା କହିଲ ।
ରାମ ଅବତାରେ କୃଷି ବ୍ୟବସ୍ଥାରେ
ବନ ବ୍ୟବସ୍ଥା ଯୋଡିଲ
ଆର୍ଥିକ ସ୍ଥିତିର ସୁଦୃଢତା ପାଇଁ
ସଙ୍କେତ ଯେ ଦେଇ ଗଲ ।
କୃଷ୍ଣ ଅବତାରେ କୃଷି, ବନ ସଙ୍ଗେ
ଗୋ-ପାଳନ ଯୋଡି ଦେଲ
ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ
ଆଉ ଏକ ପାଦେ ଗଲ ।
ତୁମେ ଅଟ ରାମ ତୁମେ ଅଟ ଶ୍ୟାମ
ତୁମେ ତ ଯୁଗ ପୁରୁଷ
ରାମଙ୍କ ଚରିତ୍ର ଅନୁକରଣୀୟ
କୃଷ୍ଣଙ୍କର ଚିନ୍ତନୀୟ ।
ଶାନ୍ତିର ସ୍ୱରୂପ ଆହେ ସୀତାପତି
ଅଟ ମର୍ଯ୍ୟାଦାର ସେତୁ
ଲକ୍ଷ୍ମଣ ରେଖା ର ମହତ୍ତ୍ୱର କଥା
ବୁଝାଇ ଦିଅ ହେ ପ୍ରଭୁ ।
ରୂପରେ ତୁମେ ଯେ ଦୁହେଁ ଅନୁପମ
ଅପୂର୍ବ ତୁମର କାନ୍ତି
କୃଷ୍ଣଙ୍କ ଆଖିରେ ଚଳ ଚଞ୍ଚଳତା
ରାମଙ୍କ ଆଖିରେ ଶାନ୍ତି ।
ମର୍ଯ୍ୟାଦା ସେତୁକୁ ଲମ୍ବାଇ ଦିଅ ହେ
ଏ ଧରା ଧାମକୁ ଥରେ
ଭ୍ରାତୃ ପ୍ରେମର ସେ ଅପୂର୍ବ ମହକ
ଛୁଟାଇ ଦିଅ ଧରାରେ ।
ତ୍ୟାଗର ବାରତା ଦିଅ ହେ ଶ୍ରୀରାମ
ଶ୍ୟାମ ପ୍ରେମ କଥା କୁହ
ନିଷ୍କାମ କର୍ମ ଓ ନିଃସ୍ଵାର୍ଥ ପ୍ରେମର
ବୀଜ ବୁଣି ଦେଇ ଯାଅ ।
ତୁମେ ଅଟ ରାମ ତୁମେ ଅଟ ଶ୍ୟାମ
ଧରାବତରଣ କର
ତୁମ ଆଦର୍ଶରେ ଏ ଧରା ବକ୍ଷରେ
ସବୁଜିମା ଭରିଦିଅ ।
ଆସ ଅବତରି ହେ ପୁରୁଷୋତ୍ତମ
ବିଶ୍ଵକୁ ମୋହିତ କର
ବିପର୍ଯ୍ୟସ୍ତ ମନେ ତୋଳି ଦିଅ ପ୍ରଭୁ
ପଞ୍ଚବଟୀ ର ନିର୍ଯ୍ୟାସ ।
ମର୍ଯ୍ୟାଦାର ମନ୍ତ୍ର ଶିଖାଇ ଦିଅ ହେ
ରାଜ ଧର୍ମ ବି ଶିଖାଅ
ଆଧ୍ୟାତ୍ମବାଦ ର ଚରମ ସ୍ପର୍ଶରେ
ହୃଦୟ ହେଉ ସରସ ।