STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ମାଟି ଶେଷଗତି

ମାଟି ଶେଷଗତି

1 min
1


ଜୀବନଟା ଯେବେ ମାଟି ତତ୍ତ୍ୱେ ଗଢ଼ା
ମାଟିରେ ଯିବ ମିଳେଇ
କିଛି ନେବ ନାହିଁ ଶୂନ୍ୟ ହୋଇ ଯିବ
କାହିଁ ପାଇଁ ଅବା  ବଡେଇ ।

ପାପ ଅରଜିତ ଧନ ରାଶି ଯେତେ
ଭାଗ ତ ହେବ ତ୍ଵରିତେ
ପାପରେ କେହି ବି ଭାଗ ହେବେ ନାହିଁ
ଯିବ ଅଦୃଶ୍ୟେ ତୋ ସାଥେ ।

ପୁଣ୍ୟ ରାଶି ମଧ୍ୟ ତୋ ସଙ୍ଗତେ ଯିବ
ବଡ଼ ଅଦାଲତ କ୍ଷେତ୍ରେ
ମିଶାଣ, ଫେଡାଣ , ଗୁଣନ, ହରଣ
ସବୁ ଦେଖିଥିବୁ ନେତ୍ରେ ।

ଭାଗଶେଷ, ଭାଗଫଳର ସମୀକ୍ଷା
ବଡ଼ ଅଦାଲତେ ହେବ
ଗର୍ବ, ଅହଂକାର, ଆତ୍ମ ବଡ଼ିମା ତ
କିଛି କାମେ ନ ଆସିବ ।

ପୁଣ୍ୟର କୋଥଳୀ ହେବ ଆଶ୍ରା ବାଡ଼ି
ମାଟିରେ ମିଶିବା ବେଳେ
ମାଟି ଦେହ ପୁଣି ମାଟିରେ ମିଶିବ
ସଙ୍ଗେ କେ ନଯିବେ ହେଳେ ।

ଆତ୍ମା ଉଡିଯିବ ପଥ ସରିଯିବ
ଶରୀର ହୋଇବ ମଡ଼ା
ଗୋବର ପାଣିରେ ଘର ଓଳାଇବେ
ରଖିଲେ ଶରୀର ସଢ଼ା ।

ବେଳ ଥାଉ ଥାଉ ଏଇ କଥା ବୁଝି
ପୁଣ୍ୟ ଧନ ସଞ୍ଚୁ ଥାଆ
ଆତ୍ମାର ଡାକରେ ଦେହ ମନ୍ଦିରରେ
କର୍ମ ସଂହିତା ଲେଖି ଯାଆ ।

ବିବେକକୁ ସାଥେ ସାରଥୀ କରିଣ
ଜୀବନ ଯୁଦ୍ଧ କରୁ ଥା
ସଙ୍ଗେ ଯିବ ନାହିଁ ଧନ ଦଉଲତ
ବନ୍ଧୁ ସୋଦର ଜାଣି ଥା ।

ମାଟିରୁ ଉତ୍ପତ୍ତି ମାଟି ଶେଷ ଗତି
ମାଟି ମହକାଇ ଯାଆ
ଜୀବ ଥିବା ଯାଏ ପୁଣ୍ୟ ଅରଜିଣ
ପୁଣ୍ୟ ଗାଥା ଲେଖିଯାଆ ।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational