ତୁ ମୋତେ ନିଶ୍ଚୟ ଖୋଜିବୁ
ତୁ ମୋତେ ନିଶ୍ଚୟ ଖୋଜିବୁ
ମୁଁ ଜାଣିଛି -
ଏ ଯେଉଁ ଭବ ବାରିଧି
ସେଠି ପହଁରୁ ପହିଁରୁ
ଯେତେବେଳ ଆକ୍ତାମାକ୍ତା ହେବୁ
ସେତେବେଳେ ମୋତେ ଖୋଜିବୁ
ଉଦ୍ଧାରିବା ପାଇଁ ।
ମୁଁ ଜାଣିଛି -
ସ୍ଵାର୍ଥର ଆତ୍ମଗଳୀରେ
ଅବିଶ୍ୱାସ ର ବିଷପାନ ପରେ
ଯନ୍ତ୍ରଣା ଦଗ୍ଧ ଶରୀରର
ଜ୍ଵାଳା ମିଟାଇବାକୁ
ତୁ ମୋତେ ଖୋଜିବୁ ।
ମୁଁ ଜାଣିଛି -
ଦୁନିଆରେ ସ୍ଵାର୍ଥର ଭିଡ଼ରେ
ଧଇଁ ସଇଁ ହୋଇ ଦଉଡିବା ବେଳେ
ଯେତେବେଳେ
ଭାଙ୍ଗି ରୁଜି ଚୁର୍ମାର୍ ହେବୁ
ପୁଣି ସେଇ ଭଙ୍ଗା ରୁଜା ମନକୁ
ଯୋଡିବା ପାଇଁ
ତୁ ମୋତେ ନିଶ୍ଚୟ ଖୋଜିବୁ ।
ମୁଁ ଜାଣିଛି -
ଅବୁଝାମଣାର ବୋଝକୁ ମୁଣ୍ଡାଇ
ଭାରାକ୍ରାନ୍ତ ହେବାବେଳେ
ବୋଝକୁ ଓହ୍ଲାଇ
ପୁରାପୁରି ହାଲୁକା ହୋଇ
ନିଜକୁ ସଂପୂର୍ଣ୍ଣ ମେଲେଇ ଦେଇ
ଆଖି କୋଣେ ଜମାଟ ବନ୍ଧା
ଲୁହ ମାନଙ୍କୁ ମୁକ୍ତି ଦେବାକୁ
ତୁ ମୋତେ ନିଶ୍ଚୟ ଖୋଜିବୁ ।
ହେଲେ,
ମୋତେ ଖୋଜିବୁ ବୋଲି
କେବେ କହିବିନି ହଜି ଯା
ମୋତେ ଅଣ୍ଡାଳିବୁ ବୋଲି
କେବେ କହିବିନି ଡୁବି ଯା
ମୋ ହାତ ଧରିବୁ ବୋଲି
କେବେ କହିବିନି ପଡ଼ି ଯା
ତୋତେ ଯୋଡ଼ି ଦେବାର
ଶକ୍ତି ରଖେ ବୋଲି
କେବେ କହିବିନି ଭାଙ୍ଗି ଯା
କାହିଁକି ନା -
ତୁ ଉଡିବୁ ବୋଲି
ତୁ ଶକ୍ତ ହୋଇ ଠିଆ ହେବୁ ବୋଲି
ତୁ ଆଗକୁ ବଢିବୁ ବୋଲି
ମୁଁ ପରା କରୁଥିଲି
ଅଦେଖା ତପସ୍ୟା
ଯେଉଁଠି ମୋ ସ୍ୱପ୍ନର ବାରଣ୍ଡାରେ
ତୋ ଛବି ମାନେ
ପକାଉଥିଲେ ଅଦୃଶ୍ୟ ଆଳ୍ପନା ।
