ମୋ ଗାଁ
ମୋ ଗାଁ
ପ୍ରଭାତ ସୂରୁଜ ପୂରୁବ ଦିଗରେ
ଧୀରେ ଯେବେ ଉଇଁ ଆସେ ।
ମୋ ଗାଁ ନିଦରୁ କଡ଼ ଲେଉଟାଇ
ଅଳସ ଭାଙ୍ଗି ତା' ହସେ।
ମୋ ପରିଚୟର ଗାଁ ଏକ ଅଂଶ
ସେହି ମୋର ଜନ୍ମଭୂମି ।
ମାଆ ଭଳି ସିଏ ସବୁ ତ ସହିଛି
ତା' ଚରଣ ଯିବି ଚୁମି ।
ତା' ଭାଗବତ ଟୁଙ୍ଗି ମନ୍ଦିରର ବେଢ଼ା
ନରନାରୀ କୋଳାହଳ ।
ଭାଗବତ ପାଠ ଘଣ୍ଟ ଘଣ୍ଟା ନାଦ
ସର୍ବଦା ଚଳ ଚଞ୍ଚଳ ।
ପୋଖରୀର କଇଁ ଜଳେ କରେ କ୍ରୀଡା
ଦେଖି ମନ ବିମୋହିତ ।
ଗାଁ ଝିଅ ବୋହୂ ସ୍ନାହନ ନିମନ୍ତେ
ସେଇଠାରେ ଏକତ୍ରିତ ।
ଗୋଧୂଳି ବେଳାରେ ଗଉଡ଼ ପିଲାଟି
ଗୋରୁପଲ ନେଇ ଫେରେ ।
ବୃନ୍ଦାବତୀ ପାଶେ ସଞ୍ଜ ଦୀପ ଦେଇ
ମା' ମୋ ମୁଣ୍ଡିଆ ମାରେ।
ଦୋଳ ଦୀପାବଳି ହୋଲି ରଜଦୋଳି
ବାର ମାସେ ତେର ଯାତ ।
ନିଆରା ସଂସ୍କୃତି ପରମ୍ପରା ମଧ୍ୟେ
ଭାଇଚାରା ଭାବ ଜାତ।
ସ୍ମୃତି ସେ ଅତୀତ ଯେବେ ହୁଏ ଜାତ
ମନ ହୁଏ ବ୍ୟାକୁଳିତ ।
କୋଳେଇ ନେବାକୁ ମୋ ଗାଁ ପ୍ରସ୍ତୁତ
ଡାକୁଥାଏ ଠାରି ହାତ ।
ଗ୍ରାମ ଅନୁଭୂତି ଗ୍ରାମ ପ୍ରତି ପ୍ରୀତି
ମନୁ କେବେ ନ ତୁଟିବ ।
ଦେହ ଥିଲେ ଥାଉ ଗାଁ ଠାରୁ ଦୂର
ଏ ମନ ସର୍ବଦା ଝୁରିବ।
