STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Fantasy

3  

ପ୍ରିୟଦର୍ଶିନୀ ମହାନ୍ତି

Fantasy

ମୁଁ ସମ୍ଭବ

ମୁଁ ସମ୍ଭବ

1 min
192


ମୁଁ ଦୂର ଦିଗବଳୟକୁ ଚିରି

ଉଡିବି ପକ୍ଷକୁ ଝାଡ଼ି,

କଅଁଳ ଡେଣାକୁ କରି ଶକ୍ତ

ବିସ୍ତାରିତ କରି...

ବିନ୍ଦୁ ହେବା ପର୍ଯ୍ୟନ୍ତ

ଯୋଜନ ଯୋଜନ ଉଡିବି

ଲୀନ ହେବ ଯାଏଁ ଶୂନ୍ୟତାରେ।

ମୁଁ ତ ମଳୟ ପବନ

ମୁଁ ବି କାଳ ବୈଶାଖୀ।


ମୁଁ ମସ୍ତକକୁ କରି ଉନ୍ନୀତ

ଦେଖିବି ସକାଳର ସୂର୍ଯ୍ୟ,

କିରଣକୁ ମାଖିବି ମୋ ଦେହରେ...

ଆଲିଙ୍ଗନ କରିବି,

ଆଞ୍ଜୁଳାଏ ଶୁନ୍ୟତାକୁ,

ଅଳସ ଭାଙ୍ଗି,

ପ୍ରସ୍ତୁତ ହେବି ଉଡାଣ ପାଇଁ।

ମୁଁ ତ ସୁନେଲି କଅଁଳ ଖରା

ମୁଁ ବି ବୈଶାଖ ଝାଞ୍ଜି।


ମୁଁ ତଳେ ପଡିଯାଇପାରେ,

କ୍ଷତାକ୍ତ, ରକ୍ତାକ୍ତ ହୋଇଯାଇପାରେ,

ହେଲେ ମୁଁ ହାରିଯାଇପାରେନା,

ଦମ୍ଭ ଧରି ଉଠିବି,

ଗନ୍ତବ୍ୟ ସ୍ଥଳକୁ ବାହାରିବି,

ଆସିପାରେ ଘାତ ପ୍ରତିଘାତ

ଭ୍ରୁକ୍ଷେପ କରି ସବୁକୁ

ମୁଁ ପଂହଁଚିବି ଲକ୍ଷ୍ୟସ୍ଥଳରେ।

ମୁଁ ହୋଇପାରେ ସରଳା,

କିନ୍ତୁ ନୁହେଁ ଅବଳା, ଦୁର୍ବଳା....


ମୁଁ ଚଢିବି ପର୍ବତ,

ଛୁଇଁବି ଶିଖର,

ପହଞ୍ଚିବି ଗଗନେ...

କରିବି ତାରାଙ୍କ ସହ ବନ୍ଧୁତା

ଜହ୍ନରେ ଲେଖିବି ନାଁ...

ଉଡେଇବି ବିଜୟର ଧ୍ଵଜା

ଉପହାସ, ପରିହାସ, ବ୍ୟଙ୍ଗ ବିଦ୍ରୁପ

କରିପାରିବନି ଲକ୍ଷ୍ୟଚ୍ୟୁତ।

ମୁଁ ତ କୁଳୁକୁଳୁ ଚପଳା ଝରଣା,

ଯିଏ ଭାଙ୍ଗିପାରେ ପାହାଡର ଗର୍ବ...


ମୁଁ ଲଙ୍ଘିବି ସାଗର

କିନ୍ତୁ ମୁକ୍ତାର ସନ୍ଧାନ ପାଇଁ ନୁହେଁ,

ଅନ୍ୱେଷଣ ପାଇଁ ମୋ ପାରିବାପଣିଆ

ପରଖିବାକୁ ମୋ ଶକ୍ତିର ସୀମା,

ଉପସ୍ଥାପିତ କରିବାକୁ ସମାଜ ଆଗରେ 

ମୋ କୃତିତ୍ୱକୁ

ମୋ ମନୋବଳ, ଦୃଢ଼ ସଂକଳ୍ପକୁ ।

ମୁଁ ତ ଶାନ୍ତ ପାରବାର

ମୁଁ ବି ସୁନାମୀର ଘର।


ତୁମ ତାତ୍ସଲ୍ୟ,କୁତ୍ସାରଟନା,ନିନ୍ଦା ଓ ଅପବାଦ

ଭ୍ରମିତ, ଚକିତ, ବ୍ୟଥିତ କରିପାରିବନି ମୋତେ

ମୋ ଦମ୍ଭ, ନିଷ୍ଠା ଓ ଧୈର୍ଯ୍ୟ ଦେଖି

ଦେଇପାର ମୋ ବିଷୟରେ ନକରାତ୍ମକ ମନ୍ତବ୍ୟ।

କିନ୍ତୁ କେବଳ ସ୍ରଷ୍ଟା ହିଁ ଜାଣେ

ମୋ ଭିତରେ ସୃଷ୍ଟି ହୁଏ କେତେ ଯେ ସମ୍ଭାବନା!!

କାହିଁକିନା ମୁଁ ହିଁ "ସମ୍ଭବ"।


#SM Boss


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy