ଛଳନାର ଛାଇ
ଛଳନାର ଛାଇ
ଦୂର ଦିଗବଳୟେ ମୃଗ ତୃଷ୍ଣା ଯେହ୍ନେ
ଭ୍ରମ ଆଣିଦିଏ ମନେ,
ସେଭଳି ଛଳନା କର କାହିଁପାଇଁ
ବିଦ୍ଯୁତଲତା ଯଥାଘନେ ll୧ll
ଆତୁର ନୟନେ କାତର ହେଲିଣି
ତୁମ ପଥ ଚାହିଁ ଚାହିଁ,
କଥାରେ ଭରସା ନରଖି ଏପରି
ପ୍ରତାରଣା କାହିଁପାଇଁ ll୨ll
ମଧୁର କଥାରେ ମନକୁ ଓଟାରି
ମରମେ ବିଷାଦ ଭରି,
ମନର ବାସନା ପୂରଣ ନହେଲା
ସରମେ ଯାଉଛି ମରି ll୩ll
ସପନ ରାଇଜେ ଭ୍ରମଣ କରାଇ
ଖେଳି ଲୁଚକାଳି ଖେଳ,
କପଟତା କରି ମନେ ଆଶା ଭରି
ଗଡାଇ ଚାଲିଛି ବେଳ ll୪ll
ଫୁଲ ଯେବେ ଫୁଟେ ପ୍ରଭାତ ସମୟେ
ମଳୟ ପରସ ପାଇ,
ସୁବାସ ସନ୍ଧାନେ ମଧୁ ଆହରଣେ
ଭ୍ରମର କି ଆସେନାହିଁ ll୫ll
ଚନ୍ଦ୍ରକୁ ଚକୋର ବର୍ଷାକୁ ଚାତକ
ଚାହିଁ ରହିଥିବା ପରି,
ତୁମ କଥା ପରେ ଚାହିଁ ଅଛି ପଥ
ତୁମକୁ ଭରସା କରି ll୬ll
ଆଶାର ପସରା ଧରାଇ ମୋ ହାତେ
ଭରସା ତୁଟାଅ ଯେବେ,
ନିରାସ କରାଇ ବସିଛ ମଉନେ
ଆଉ କି ଭାବୁଛ ଏବେ ll୭ll
ସରଳତା ମନେ ଗରଳ ଭରିଲେ
ଓଲଟା ହୋଇବ ଫଳ,
ଚପଳତା ମନେ ନୀରବ ରହିଲେ
ଗଡିଯାଉଥିବ ବେଳ ll୮ll
ସକାଳର ଫୁଲ ସଞ୍ଜକୁ ମଉଳେ
ନକରେ କେହି ଆଦର,
ସରସତା ଛାଡି ନିରସ ବସ୍ତୁକୁ
ପାଶୁ କରନ୍ତି ଅନ୍ତର ll୯ll
ଏତେ କଥା କହି ଏତେ ଆଶା ଦେଇ
କି ଲାଭ ମଉନ ହୋଇ,
ଆଶାର ଆଲୋକ ନୁହଇ କେବଳ
ଏ ଅଟେ ଛଳନା ଛାଇll୧୦ll
