ସମୟର ସେ କବର ତଳେ
ସମୟର ସେ କବର ତଳେ


ବୟସର କଅଁଳ ଡେଣାରେ
ସମୟ ଅଜାଡି ଦିଏ
କୁଢ କୁଢ ମୃତ୍ୟୁର ଅଙ୍ଗାର ,
କହି ହୁଏନା ଶେଷ କେଉଁଠି !
ଏଇ ତ ଆରମ୍ଭ ମାତ୍ର
ଜୀଇଁବାର କୁହେଳିକା ଭିତରେ
ଅନ୍ଧାରରେ ଦେଖେ ଆଜି
ଆପଣାର ମୁହଁ ଆଉଥରେ
ଆରମ୍ଭେ ସେଇଠି !!
ବନ୍ଦୀ ସେ ଦୀର୍ଘକାଳ
ଏଇ ସମୟର କବର ତଳେ
ଧୂଆଁଳିଆ ସନ୍ଧ୍ଯା ବେଳେ
ମୃତ୍ୟୁ ର ଗଜଲ୍ ଗାଇବା ହିଁ ସାର
ଚାରିଆଡେ ଦୁଃଖ- କୁହୁଡି ରାଜୁତି
କେହି ବୁଝେନା କାହା ହୃଦୟର କଥା
କିଏ ବା ବୁଝିବ କହ
ଏଇ ଉଦୁଉଦିଆ ଖରାବେଳେ ର ବ୍ୟଥା??
ସବୁ ମିଳେଇ ଯାଏ
ସମୟର ଖୋଳପା ଭିତରେ !
ଖୋଜୁଛି ସେ ସାରା ଜୀବନ
ତା’ କବରର ଠିକଣା
ନେଇଛି ସମାଧି ,
ନା ଗଣି ପାରୁଛି ସମୟର ଢେଉ
ନା ଭିଜି ପାରୁଛି ଜୋଛନାରେ
ନା ଚାହିଁ ପାରୁଛି ଉତ୍ତପ୍ତ ଭାନୁଙ୍କୁ
ବିଶାଳ ଯେ ପରିଧି !
ଉଦାସ ଆକାଶକୁ ଚାହିଁ
ଦେଖେ ଯେବେ ତାରକା ଗଣଙ୍କୁ
ପାଦତଳେ ମାଟି ଧସେଇ ଯାଏ
ତଳକୁ ତଳକୁ !
ହେମାଗ୍ନିର ଧୂଆଁ ଧାରେ
ବଳକା ଆୟୁଷର ବିସ୍ତୃତ ପରିଧି !
ଆହୁତ ଆତ୍ମାର ସ୍ତବ୍ଧତା
ଆକଳନ କରେ ସ୍ଥିତି !
ଛାତିର ଭଗ୍ନାଂଶରେ ଛୁଇଁ ଯାଏ
ଅନ୍ତରଙ୍ଗତାର ସ୍ୱର
ସମୟ ସରିଯିବା ପରେ
ଆବରିଯାଏ ବିଷାଦର କବର !