ରଥ ପଥ ଜଗନ୍ନାଥ
ରଥ ପଥ ଜଗନ୍ନାଥ
ରଥଯାତ୍ରା ଦିବ୍ୟ ଲୀଳା ଜଗତ କ୍ଷାତ
ନୂଆରଥେ ବସି ଦିଅଁ କରନ୍ତି ଯାତ ।
ପ୍ରତି ବର୍ଷ ନୂଆ ରଥ ଗଢା ହୁଅଇ
ଲାଗିଥାନ୍ତି କାରିଗର କରତି ଭୋଇ ।
ଜଗତରନାଥ ସେତ କଳା ସାଆନ୍ତ
କମଳ ଲୋଚନ ପ୍ରଭୁ ଅନାଥ ନାଥ।
ନୀଳମଣି ନାରାୟଣ ନୀଳ ସୁନ୍ଦର
ନୀଳାଚଳେ କରୁଛନ୍ତି ଲିଳା ହୁନ୍ଦର।
କୃପାସିନ୍ଧୁ ଦୀନବନ୍ଧୁ ପତିତ ପାବନ
ପତିତ ଉଦ୍ଧାର ପାଇଁ ଉଡେ କେତନ ।
ପତିତ ମାନଙ୍କୁ ପ୍ରଭୁ ତାରିବା ପାଇଁ
ରଥଯାତ୍ରା ଦିବ୍ୟ ଲୀଳା କରନ୍ତି ସାଇଁ ।
କି ସୁନ୍ଦର ତିନିରଥେ ଚତୁର୍ଦ୍ଧା ମୂର୍ତ୍ତି
ସ୍ବବିଗ୍ରହେ ଆସି ପ୍ରଭୁ ବିଜେ କରନ୍ତି ।
ଗୁଣ୍ଡିଚାଘରକୁ ବୁଲିବାକୁ ଯାଆନ୍ତି
ଆଡ଼ପ ମଣ୍ଡପେ ଗୁପ୍ତ ରାସ କରନ୍ତି ।
ପତିତ ଉଦ୍ଧାର ପାଇଁ ଏତେ ହୁନ୍ଦର
ଖାଲି ଖାଲି ଲାଗଇ ଏଣେ ଶ୍ରୀମନ୍ଦିର ।
ଶରଧାବାଲି ରେ ହୁଏ ଭାରି ଗହଳ
ନବଦିନ ରଥଯାତ୍ରା ଭାବ ବହଳ ।
ରଥ ପଥ ଜଗନ୍ନାଥ ଭାବ ସମୁଦ୍ର
ମାଟି ପାଣି ପବନ ତ ସବୁ ପବିତ୍ର ।
ବରଷକେ ଥରେ ଏହି ବିଚିତ୍ର ଲିଳା
ଦେଖି ଦୂର ହୋଇଥାଏ ଜୀବନ ଜ୍ବଳା ।
ତାଳଧ୍ଵଜ ରଥ ପୁଣି ଦେବଦଳନ
ନନ୍ଦିଘୋଷ ରଥେ ବିଜେ ଚକାନୟନ।
ପ୍ରତିବର୍ଷ ନୂଆ ରଥ ଅପୂର୍ବ ଶୋଭା
କାରୁକଳା ଚାରୁକଳା କି ମନ ଲୋଭା।
ରଥ ନିର୍ମାଣ ର ସେହି ବିଧିବିଧାନ
ଅପୂର୍ବ ସେ ପରମ୍ପରା ପ୍ରଥା ପ୍ରାଚୀନ ।
ଧଉରା ଅସନ ଆଉ ଫାସି କାଠରେ
ମନ୍ଦିର ସଦୃଶ ରଥ ଗଢାଯାଏରେ ।
ଶ୍ରୀପଞ୍ଚମୀ ଦିନ କାଠ ପୁରୀ ଆସଇ
ରାମନବମୀରେ କାଠ ଚିରା ହୁଅଇ ।
ବଇଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା
ପବିତ୍ର ଦିନଟି ସେତ ଅକ୍ଷି ତୃତୀୟା ।
ରଥ କାମ ଅନୁକୂଳ ସେଦିନ ହୁଏ
ଉତ୍ସବ ମୂଖର ପୁରୀ ଉଛୁଳୁଥାଏ ।
ଭଜନ କୀର୍ତ୍ତନ ବାଜା ନାଚ ଗୀତରେ
ବଡ଼ଦାଣ୍ଡ ଭାରିଭିଡ ସାରା ଦିନରେ ।
ରଥ ନିର୍ମାଣ ର ଇଷ୍ଟ ଚର୍ଚ୍ଚିକା ମାତା
ଶ୍ରୀ ନଅର ସମ୍ମୁଖରେ ସେ ବିରାଜିତା ।
ମାଆଙ୍କ ସେହି ଭବ୍ୟ ମନ୍ଦିର ଆଗରେ
ରଥ ତିଆରି କାମ ଆରମ୍ଭ ହୁଏରେ ।
ରଥ ଅନୁକୂଳ ପାଇଁ ବିଧି ବିଧାନ
ସେହିଠାରେ ମହାନନ୍ଦେ ହୁଏ ସମ୍ପର୍ଣ୍ଣ ।
ପଣ୍ଡିତ ପୁରୋହିତ ମିଳିତ ହୋଇ
ଅନୁକୂଳ ବିଧିମତେ କରନ୍ତି ସେହି ।
ହୋମ ଯଜ୍ଞେ ରଥଖଳା ହୁଏ ଶୋଧନ
ବେଦ ପାଠ ମନ୍ତ ପାଠ ଭକ୍ତି ଅର୍ପଣ ।
ସ୍ନାନ କରାଇ ତିନୋଟି ଧଉରା କାଠ
ଅନୁକୂଳ ପାଇଁ କରାଯାଏ ପ୍ରସ୍ତୁତ ।
ଅକ୍ଷି ତୃତୀୟା ରେ ହୁଏ ଆରମ୍ଭ ପୁଣି
ଚନ୍ଦନ ଯାତ ଉଛୁଳେ ନରେନ୍ଦ୍ର ପାଣି ।
ସରିଗଲାପରେ ନିତି ମଧ୍ୟାହ୍ନ ଧୂପ
ପ୍ରଭୁ ବାହାରନ୍ତି ଖେଳି ଚନ୍ଦନ ଚାପ ।
ମଣିବିମାନରେ ବିଜେ ଜଗତ ସାଇଁ
ପାଲିଙ୍କିରେ ରାମକୃଷ୍ଣ ଭାଇଙ୍କୁ ନେଇ ।
ରଥ ଅନୁକୂଳ ଆଜ୍ଞାମାଳ ଙ୍କୁ ଧରି
ଆଗେଆଗେ ପୂଜାପଣ୍ଡା ଚାଲନ୍ତି ଥିରି ।
ରଥଖଳାରେ ଆଜ୍ଞା ମାଳ ପହଞ୍ଚଇ
ରଥ ଅନୁକୂଳ ଯେ ଆରମ୍ଭ ହୁଅଇ ।
ପୁରୋହିତମାନେ କରନ୍ତି ମନ୍ତ୍ର ପାଠ
ଶୋଧନ ହୁଏ ସେହି ତିନିରଥ କାଠ.।
କାଠ ଉପରେ ନୂଆ ଲୁଗା ଘୋଡାଯାଏ
ଆଜ୍ଞାମାଳ ମାନ ତହିଁ ସ୍ଥାପନା ହୁଏ. ।
ତିନିରଥ ତିନି ବିଶ୍ବକର୍ମା ଆସନ୍ତି
ମଥାରେ ତାଙ୍କର ଶାଢ଼ୀ ବନ୍ଧାଯାଏଟି ।
ମହାପ୍ରଭୁଙ୍କ ନାମକୁ ମନରେ ଧ୍ୟାଇ
ବିଶ୍ବକର୍ମା ଅନୁକୂଳ କରନ୍ତି ଯାଇ ।
ସୁନା ଆଉ ରୁପା କୁରାଢୀ ର ପରସ
କାଠପରେ ଦେଇଥାନ୍ତି ହୋଇ ହରଷ ।
ତହୁଁ ଆରମ୍ଭ ହୁଏ ତିନି ରଥ କାମ
ବିଜେ କରନ୍ତି ଯହିଁ ସ୍ବୟଂ ଦାରୁବ୍ରହ୍ମ ।
ସାସ୍ତ୍ରିୟ ମତରେ ରଥ ହୁଏ ନିର୍ମାଣ
ପୋଥି ପୁରାଣ ରେ ଲେଖା ସେ ସୂତ୍ର ଜାଣ ।
ଶିଳ୍ପଶାସ୍ତ୍ର ମାନସାର,ଗୃହକଣ୍ଡିକା
ଅପରାଜିତା ପୁଷ୍ପଂରେ ସେ ସୂତ୍ର ଲେଖା ।
ବିଶ୍ୱକର୍ମୀୟ ରଥ ନିର୍ମାଣ ପଦ୍ଧତି
ଶୁଲ୍ୟସୂତ୍ର,ଶିଳ୍ପସାର ସଂଗ୍ରହ ପୋଥି।
ପୁରାଣ ପୋଥି ପତରେ ଯା ଲେଖା ଅଛି
ସେହି ମତେ ତିନିରଥ ଗଢା ହେଉଛି ।
ଶିଳ୍ପୀସେବକ ସେତ ନିମିତ୍ତ ଯେ ଜାଣ
ପ୍ରଭୁଙ୍କ ନିର୍ଦ୍ଦେଶ ସବୁ ତାଙ୍କ ଭିଆଣ।
ରଥଖଳାରେ ନିଇତି ଲାଗଇ ମେଳା
ଅପୂର୍ବହେ ମହାପ୍ରଭୁ ତୁମରି ଲିଳା ।
ଭାବ ଭକତିରେ ଶିଳ୍ପୀ ରଥ ଗଢନ୍ତି
ପ୍ରଥା ପରମ୍ପରା କୁ ସବୁ ଜଗିଥାନ୍ତି ।
ସାତଶହ ବୟାଳିଶ ଖଣ୍ଡ କାଠରେ
ଗଢା ହୋଇଥାଏ ନନ୍ଦିଘୋଷ ରଥରେ ।
ପଇଁଚାଳିଶ ଫୁଟ ଆଉ ଛଅ ଇଞ୍ଚ
ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଉଚ୍ଚ ।
ପ୍ରଭୁ ବଳଭଦ୍ର ଙ୍କ ତାଳଧ୍ଵଜ ରଥ
ଲାଗେ ସାତଶ ଏକତ୍ରିଶ ଖଣ୍ଡ କାଠ ।
ପଇଁଚାଳିଶ ଫୁଟ ସେହି ରଥ ଉଚ୍ଚତା
ଲକ୍ଷ୍ମୀ ନୃସିଂହ ରଥ ଧ୍ଵଜ ଦେବତା ।
ସୁଭଦ୍ରା ମାତାଙ୍କ ରଥ ଦେବଦଳନ
ସାତଶ ଏଗାର ଖଣ୍ଡ କାଠେ ନିର୍ମାଣ ।
ଚଉରାଳିଶ ଫୁଟ ଛଅ ଇଞ୍ଚ ଉଚ୍ଚ
ଅଟଇ ମାଆଙ୍କ ସେହି ତାଳଧ୍ଵଜ ରଥ ।
ମୁଖ୍ୟ ବିଶ୍ବକର୍ମା ସେତ ଶିଳ୍ପୀ ପ୍ରଧାନ
ତାଙ୍କ ନିର୍ଦ୍ଦେଶରେ ରଥ ହୁଏ ନିର୍ମାଣ ।
ସେବକରୀ ଅନେକ ଶିଳ୍ପୀ କାରିଗର
ରଥ ଗଢା ପରମ୍ପରା ଅଟେ ତାଙ୍କର ।
କରତି ଚିରନ୍ତି କାଠ ଭୋଇ ବୁହନ୍ତି
ମହାରଣାମାନେ ମିଶି ରଥ ଗଢନ୍ତି ।
ମୂର୍ତ୍ତିମାନ ଗଢିନ୍ତି ଯେ ସେ ରୁପକାର
ଲୁହା କଣ୍ଟା ଯୋଗାଇ ଥାନ୍ତି ଲୌହକାର।
ଚିତ୍ରକର ରଥକୁତ ଥାନ୍ତି ରଙ୍ଗେଇ
ଦରଜି ରଥ ବସ୍ତ୍ର କରନ୍ତି ସିଲାଇ ।
ଅପରାଜିତା ପୁଷ୍ପଂରେ ଅଛି ବର୍ଣ୍ଣିତ
ଚୌତିରିଶିଟି ଭାଗରେ ରଥ ଗଠିତ ।
ଅଖ ଚକ ବାଙ୍କି ଜାଲି ଦାଣ୍ଡିଆ ଅର
ହଂସପଟା ବସନ୍ତ କଣି ଶଂଖଦ୍ବାର ।
ଗାଙ୍ଗପଟା, ସିଂହାସନ,ମକରଦଣ୍ଡା
କନକ ମୁଣ୍ଡାଇ, ଭୂମି,ଦୁଆର ଘୋଡ଼ା ।
ଷୋଳନାହାକା,ଚାଷୀପଟା,କୁମ୍ଭପଟି
ଓଲଟଶୁଆ,ଖପୂରୀ, ଦଧିନଉତି ।
ପାରାଭାଡ଼ି,ଦଣ୍ଡ।,ବାଙ୍କି,ସାରଥୀ ପୀଢ଼
ଆଠ ନାହାକା,କଣ୍ଡି,ପାଦ , ଚକ୍ର,ଦଣ୍ଡ ।
କଳସ, ପୀଢ,କଣି,ପୁଣି ଯେ କେତନ
ଋଷିପଟା ନୃତ୍ୟରତା ସେ ଶଖିଗଣ ।
ନୀତି ନିୟମ କୁ ସବୁ ଦେଇତ ଧ୍ୟାନ
ଯତନରେ ସବୁ ଅଂଶ ହୁଏ ନିର୍ମାଣ ।
ନୃସିଂହ ଚତୁର୍ଦ୍ଦଶୀ ପଡ଼ଇ ଯେଦିନ
ରଥ ଗୁଜ ଅନୁକୂଳ ହୁଏ ସେଦିନ।
ଶ୍ରୀକ୍ଷେତ୍ରେ ଭଇଁରୀ ଦିନ ଅଖରେ ଚକ
ଖଞ୍ଜା କାମ ଆରମ୍ଭ ଯେ ଭକତେ ଦେଖ।
ଷୋଳଚକ ଖଞ୍ଜା ହୁଏ ନନ୍ଦିଘୋଷରେ
ମହାପ୍ରଭୁ ଜଗନ୍ନାଥ ବିଜେ ଯହିଁରେ ।
ତାଳଧ୍ଵଜେ ଚଉଦଟି ଚକ ଲାଗଇ
ବଳଭଦ୍ରଙ୍କର ରଥ ସେତ ଅଟଇ ।
ସୁଭଦ୍ରା ମାଆଙ୍କ ରଥ ଦେବଦଳନ
ସେ ରଥର ଚକ ସ°ଖ୍ୟା ବାଆର ଜାଣ।
ରଥ ଶୀର୍ଷ ଦେଶେ ଶୋଭେ ଦଧିନଉତି
ଦଧିନଉତି ପରେ କଳସ ତିନୋଟି ।
ଦଧିନଉତି ର ପୁଣି ଦୁଇ ପାର୍ଶ୍ୱରେ
ଓଲଟଶୁଆ ଦୁଇଟି ଖଞ୍ଜା ଯାଏରେ ।
କଳସ ଉପରେ ଚକ୍ର ହୁଅଇ ଖଞ୍ଜା
ଫରଫର ଉଡେ ଯହିଁ ରଥର ଧ୍ବଜା ।
ତାଳଧ୍ଵଜ ରଥ ନେତ ନାମ ଉନ୍ନନୀ
ନନ୍ଦିଘୋଷ ରଥରେ ତ୍ରୀଲୋକ ମୋହିନୀ।
ଦେବଦଳନ ରଥ ଚକ୍ରପରେ ସେତ
ନାଦାମ୍ବୀକ ନାମେ ଉଡୁ ଥାଏ ଯେ ନେତ ।
କାଠର ଦେହ ଉପରେ ବସ୍ତ୍ର ମଣ୍ଡଣୀ
ବସ୍ତ୍ର ର ରଙ୍ଗରୁ ରଥ ହୁଅଇ ଚିହ୍ନି ।
ନନ୍ଦିଘୋଷ ରଥ ବସ୍ତ୍ର ପୀତ ଲୋହିତ
ତାଳଧ୍ଵଜେ ନାଲି ନୀଳ ବସ୍ତ୍ର ମଣ୍ଡିତ ।
ଦେବଦଳନ ରଥରେ ଲୋହିତ କୃଷ୍ଣ
ରଙ୍ଗ ର ବସ୍ତ୍ର ସେତ ହୁଏ ମଣ୍ଡନ ।
ନନ୍ଦିଘୋଷ ର ସାରଥି ରଙ୍ଗଟି ପୀତ
ସାରଥିଙ୍କ ନାମ ସେତ ଅଟେ ଦାରୁକ ।
ଧଳାରଙ୍ଗ ଘୋଡ଼ା ତହିଁ ଖଞ୍ଜା ଚାରୋଟି
ଶଂଖ, ସ୍ୱେତ, ବଳାହକ ,ହରିଦ୍ୱାଶ ଟି ।
ମାତଳି ତାଳଧ୍ଵଜ ରଥର ସାରଥି
ନୀଳ ରଙ୍ଗ ସାରଥି ଙ୍କ ରୂପ ରଙ୍ଗ ଟି ।
ଚାରିଗୋଟି କଳା ଘୋଡ଼ା ଖଞ୍ଜା ସେ ରଥେ
ତୀବ୍ର, ଘୋର, ଦୀର୍ଘଶ୍ରମ, ସ୍ବର୍ଣ୍ଣନାଭ ଯେ ।
ଦେବଦଳନ ରଥ ସାରଥି ଅର୍ଜୁନ
ଅପରୂପ ବେଶଭୂଷା ରଙ୍ଗ ଟି କୃଷ୍ଣ ।
ରଥରେ ତ ଖଞ୍ଜା ନାଲି ଘୋଡ଼ା ଚାରିଟା
ରୋଚିକା, ମୋଚିକା, ଜିତା, ଅପରାଜିତା ।
ଏମିତି ଅପୂର୍ବ ରଙ୍ଗେ ରଥ ଗଢା ହୁଏ
ସାରା ବିଶ୍ଵ ଜନ ମନ ସେତ ମୋହିନିଏ ।
ରଥରେ ମହାପ୍ରଭୁ ଙ୍କ ବାମନ ରୂପ
ଦରଶନ କଲେ ମିଳେ ପୂଣ୍ୟ ଅମାପ ।
ପୁନର୍ଜନ୍ମ ହୁଏନାହିଁ ସାସ୍ତ୍ରେ ବର୍ଣ୍ଣନ
ପାପ ତାପ ଦୂର ହୁଏ ଜୀବନ ଧନ୍ୟ ।
ଅପୂର୍ବ ସେ ରୂପ କାନ୍ତି କଳା ବଦନ
ଯେତେ ଦେଖୁଥିଲେ ଜମା ପୂରେନି ମନ ।
ପତିତ ଉଦ୍ଧାର ପାଇଁ ସେ ଚକାଡୋଳା
ରଥେ ବସି ରଚିଥାନ୍ତି ଏ ଦିବ୍ୟ ଲିଳା ।
ଶଙ୍ଖ ଚୁଡ ନନ୍ଦିଘୋଷ ରଥ ଦଉଡି
ମହାନନ୍ଦେ ଭକ୍ତମାନେ ନିଅନ୍ତି ଭିଡି ।
ଦଉଡି ନାମ ବାସୁକି ,ତାଳଧ୍ଵଜେ ତ
ସ୍ବର୍ଣ୍ଣ ଚୁଡ ଦେବୀ ରଥ ଦଉଡି ସେତ ।
ଟାଣିଲେ ସେ ଦଉଡି ଦୁଃଖ ହୁଏ ଉଣା
ସେ ଲାଗି ପାଗଳ ପ୍ରାୟ ଭକତେ ବଣା ।
ହରିବୋଲ ହୁଳହୁଳି ଉଛୁଳି ପଡେ
ଘୋର ଘର୍ଘର ଶବ୍ଦେ ରଥ ଯେ ଗଡ଼େ ।
ଭାବ ସମୁଦ୍ର ରେ ଉଠେ ଭକତି ଢେଉ
ଭକତ ଭାବରେ ବନ୍ଧା ସେ ମହାବାହୁ ।
ଜୟଜୟ ଜଗନ୍ନାଥ ଜଗତ ସାଇଁ
ଦୋଷ ଥିଲେ କ୍ଷମା ଦେବ ଗୋସାଇଁ ...।।
