STORYMIRROR

DILIP KUMAR SAHOO

Abstract Classics

4  

DILIP KUMAR SAHOO

Abstract Classics

ଜଡଙ୍ଗ ସାହିର ଯମୁନା

ଜଡଙ୍ଗ ସାହିର ଯମୁନା

5 mins
19



ଜଡଙ୍ଗ ସାହିର ଯମୁନା ରୂପ ଜୀବି ଜୀବନ

ପବିତ୍ର ଶ୍ରୀକ୍ଷେତ୍ରେ କରଇ ହୀନ କାମ ଭିଆଣ।

ନୀଳଚକ୍ରେ ଚାହିଁ ଭାବିଲା ଦିନେ ଯମୁନା ବସି

ପାପ ଧୋଉଛନ୍ତି ଭକତେ ନୀଳାଚଳ କୁ ଆସି।

ମୁଁ କିନ୍ତୁ ବସିଛି ଧାମ ରେ ପାପ ଜାଲ ମେଲାଇ

ମୋ ରୂପରେ ଲୋକେ ପାଗଳ ତାଙ୍କ ପାଦ ଖସେଇ।


ପାପ ବୋଝ ବୋହି ଯମୁନା ଦିନେ କରିଲା ମନ

କଳା ସାଆନ୍ତ ଙ୍କୁ କରନ୍ତା ଯାଇ ନେତ୍ରେ ଦର୍ଶନ।

ସିଂହ ଦୁଆର ରେ ଯମୁନା ଯେବେ ପହଞ୍ଚିଲା ତ

ପଣ୍ଡା ପଢିଆରୀ ସମସ୍ତେ ତାକୁ ଘେରି ଗଲେତ।

କହିଲେ ତୁ ବଡ ଦେଉଳେ ପସି ପାରିବୁ ନାହିଁ 

ଅପବିତ୍ର ହେବ ଦେଉଳ ତୋର ପଡ଼ିଲେ ଛାଇ ।


ବିଚାରା ଯମୁନା ଫେରିଲା ଘର ମନ ଦୁଃଖରେ 

ମତ୍ତ ବଳରାମ ଦାସଙ୍କୁ ଭେଟିଲା ସେ ବାଟରେ।

ମହାପ୍ରଭୁଙ୍କର ପରମ ଭକ୍ତ ସେ ବଳରାମ 

ଯମୁନା କୁ ଦେଖି ମନରେ ତାଙ୍କ ଜାଗିଲା ପ୍ରେମ।

ବାର ନାରୀ କାମ ବାଣ ରେ ବଳରାମ ଯେ ବାଇ

ବଡ ଦେଉଳ କୁ ନଯାଇ ଗଲେ ଜଡଙ୍ଗ ସାହି।


କି ମନ୍ତର କଲା ଯମୁନା ଦାସ ହେଲେ ପାଗଳ

ଦେଉଳ ଠୁ ଭଲ ଲାଗିଲା ତାଙ୍କୁ ଯମୁନା କୋଳ।

ସାରା ଶ୍ରୀକ୍ଷେତ୍ର ରେ ଦାସ ଙ୍କ କୁତ୍ସା ରଟନା ହେଲା

ଯମୁନା ପିରତି ଯୁଆରେ ଭକ୍ତ ଚେତା ହଜିଲା ।

ଦିନ ପରେ ଦିନ ସପ୍ତାହ ମାସ ମାସ ବିତିଲା

ପ୍ରେମେ ଅନ୍ଧ ବଳରାମ ଙ୍କୁ କିଛି ଜଣା ନୋହିଲା ।


ସେଦିନ ତ ଥିଲା ଆଷାଢ ଶୁକ୍ଳ ଦ୍ବିତୀୟା ତିଥି 

ବଡ ଦାଣ୍ଡେ ଭକ୍ତ ସମୁଦ୍ର ରଥଯାତ୍ରା ପାଇଁ ଟି।

ଘଣ୍ଟ ଘଣ୍ଟା ବାଜୁଥାଏ ତ ହେଉଥାଏ କିର୍ତ୍ତନ 

ଜୟ ଜଗନ୍ନାଥ ଉଛୁଳେ ମାଟି ପାଣି ଗଗନ।

ପତିତ ମାନଙ୍କ ଉଦ୍ଧାର ପାଇଁ ଜଗତ ସାଇଁ 

ସ୍ବବିଗ୍ରହେ ବିଜେ ହୋଇବେ ଦିଅଁ ରଥରେ ଯାଇ।


ବଳରାମ ଶୋଇଥିଲେ ଯେ ଯମୁନାର କୋଳରେ

ଚେତନା ଫେରିଲା ତାଙ୍କର ଘଣ୍ଟ ଘଣ୍ଟା ଶୁଣିରେ।

ଶୁଚୀବନ୍ତ ସେତ ନହୋଇ ବଡ ଦାଣ୍ଡେ ଧାଇଁଲେ

ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ରଥରେ ଦେଖି ନାଚି ଗଡିଲେ।

ମନେ ହେଲା ସତେ ଥିଲେ ସେ କାହିଁ କାଳ ନିଦ୍ରାରେ 

ନିଦ ଭାଙ୍ଗିଗଲା ଶୁଣିଣ ପ୍ରଭୁଙ୍କର ନାମରେ।


ଚଢ଼ିବାକୁ ନନ୍ଦିଘୋଷରେ ବଳରାମ ଯେ ଗଲେ

ରୂପ ଭେକ ଦେଖି ତାଙ୍କର ସେବକେ ତ ହସିଲେ।

ଅସଉଚ ଅଙ୍ଗ ଭୂଷଣ ଅସଜଡା ବସନ 

 ରୂପଜୀବି ର ସେ ଚୁମ୍ବନ ଗାଲେ ଥିଲା ଟି ଚିହ୍ନ।

ସେବକ ମାନେ ତ ଦାସଙ୍କୁ ଧୀକ୍କାର ଯେ କରିଲେ

ଧକ୍କା ମାରି ରଥ ତଳକୁ ତାଙ୍କୁ ଓହ୍ଲାଇ ଦେଲେ।


ଆଶା ନେଇ ଆସି ଥିଲେ ସେ ଚଢ଼ିବାକୁ ରଥରେ

ଆଶା ରହିଗଲା ଆଶାରେ ଧକ୍କା ଖାଇ ଖାଇରେ।

ଭାବିଥିଲେ ଜଗା ଦେହରେ ଟିକେ ହୋଇବେ ଘଷି

କଳାକୁ ତାଙ୍କର ଦେହରେ ଟିକେ ହୋଇବେ ନେସି ।

ବଳରାମ ଦାସ ବିଚାରା ସେତ ଲୁହ ଗଡାଇ

ମହୋଦଧୀ ତଟେ ଚଳିଲେ ତହୁଁ ଭିଡ଼ ଆଡେଇ।


ଚାରମାଳ ଫିଟା ହୋଇଲା ଘୋଡା ଯୋଚା ଯେ ଗଲା

ରଥ ଟାଣା ଯିବାପାଇଁକି ଦଉଡି ତ ଲାଗିଲା ।

ଡାହୁକ ଯେ ବେତ ହଲାଇ ତହିଁ ଡାକ ଛାଡିଲା

ହରିବୋଲ ହୁଳହୁଳି ରେ ଦାଣ୍ଡ ଉଛୁଳିଗଲା।

ଭକତେ ଟାଣିଲେ ରଥକୁ ଭାବ ଭକତି ଚିତ୍ତେ

ଜୟଜୟ ଜଗନ୍ନାଥ ହେ ଗାଇ ତୁଣ୍ଡେ ସମସ୍ତେ ।


ଏକି ଆଶ୍ଚମ୍ବିତ କଥା ଯେ ଦାଣ୍ଡେ ଘଟିଲା ତହିଁ 

ଯେତେ ଯିଏ ଚେଷ୍ଟା କରିଲେ ରଥ ଘୁଞ୍ଚିଲା ନାହିଁ।

ବୁଲିଲେନି ଅଖମାନେ ତ ଚକ ଗଡିଲେ ନାହିଁ 

କାହିଁକି ବିମୁଖ ହୋଇଲେ ସତେ ଜଗତସାଇଁ?

ଡାହୁକ ଗରଜି ଗରଜି ତାଙ୍କ ପଡିଲା ତଣ୍ଟି

ଘଣ୍ଟ ବଜାଇତ ଘଣ୍ଟୁଆ ସବୁ ପଡିଲେ ଥକ୍କି।


ଶିଳ୍ପୀ ମହାରଣା ସେବକ ସବୁ ହୋଇଲେ ଚିନ୍ତି

ନନ୍ଦିଘୋଷ ଗଢା କାମେ କି ଅବା ରହିଲା ତୃଟି !

ଦଇତାପତିଏ ଭାବିଲେ ଆମେ କଲୁକି ଦୋଷ

ରଥ ଗଡୁନାହିଁ କାହିଁକି ପ୍ରଭୁ କଲେ କି ରୋଷ ।

ସମସ୍ତେ ଯେ ସମସ୍ତଙ୍କର ମୁହଁକୁ ତ ଚାହାଁନ୍ତି

କେମିତି ଗଡିବ ରଥଯେ ମନେ ମନେ ଭାବନ୍ତି ।


ରଥ ନଗଡିବା କଥାଟି ଦାଣ୍ଡେ ଚହଟିଗଲା

ଗଜପତିଙ୍କର କାନକୁ ସେହି ସମ୍ବାଦ ଗଲା ।

କାହିଁକି ଗଡୁନି ରଥ ଯେ ଭାବିଭାବି ରାଜନ

ଘୁମାଇ ପଡନ୍ତେ ଦେଖିଲେ ସେତ ଏକ ସପନ।

ସପନରେ କଳା ଠାକୁର ତାଙ୍କ ପାଖକୁ ଆସି

ରଥ ନଗଡିବା କାରଣ ତାଙ୍କୁ କହିଲେ ବସି।


ପ୍ରଭୁ ବଖାଣିଲେ ରାଜାଙ୍କୁ ବଳରାମ ଙ୍କ ଦୁଃଖ

ଅପମାନ ଦେଲେ ସେବକେ ସବୁ ହୋଇ ବିମୁଖ 

ବଳରାମ ଦାସ ତାଙ୍କର ପ୍ରିୟ ପରମ ଭକ୍ତ

ସେବକେ ଦେଲେନି ତାଙ୍କୁତ ଆଜି ଚଢାଇ ରଥ ।

ଅପମାନ ଦେଲେ ପୁଣିଯେ ଦେଲେ ତାଙ୍କୁ ଆଘାତ

ବିଚାରା ଭକତ ମୋହର ସେତ ହେଲା ଆହତ ।


ବଳରାମ ମହୋଦଧିର କୁଳେ ଢାଳୁଛି ଲୁହ

ଭକତ କାନ୍ଦୁଛି, କେମିତି ରଥ ଗଡିବ କୁହ ।

ସେଥିପାଇଁ ନନ୍ଦିଘୋଷ ମୋ ଅଛି ଅଟକି ତହିଁ 

ଏତେ କହି ମହାପ୍ରଭୁ ଯେ ସ୍ବପ୍ନେ ଗଲେ ଉଭେଇ।

ସ୍ବପ୍ନ ଭାଙ୍ଗିଗଲା ରାଜାଙ୍କ, ରାଜା ଉଠିଲେ ଚେଇଁ

ପାଖେ ଥିଲେ ମହାମନ୍ତ୍ରୀ ଯେ ସେତ ଆସିଲେ ଧାଇଁ।


ସପନ କଥାଟି ସଭିଙ୍କୁ ରାଜା ବଖାଣୀ ଗଲେ

ମହାପ୍ରଭୁ ଭକ୍ତ ବନ୍ଧୁ ସେ ତାଙ୍କୁ ପ୍ରଣାମ କଲେ ।

ଧରି ପାତ୍ର ମନ୍ତ୍ରୀ ସାଥିରେ ରାଜା ବାହାର ହେଲେ

ମହୋଦଧୀ ବେଳାଭୂମିର ଦିଗେ ସେତ ଚଳିଲେ ।

ସାଗର ତଟରେ ଶୁଭଇ ଢେଉ ଗୁରୁ ଗର୍ଜନ

ଦିଗନ୍ତ ବିସ୍ତାରୀ ବାଲୁକା ଚଉଦିଗ ନିର୍ଜନ ।


ଦୂରୁ ଗଜପତି ଦେଖିଲେ ଗଢା ବାଲି ରଥଟି

ବଳରାମ ଦାସ ସେଠାରେ ଆହା ଲୁହ ଢାଳନ୍ତି।

ବାଲିରେତ ଗଢି ଅଛନ୍ତି ଦାସେ ରଥ ତିନୋଟି 

କି ସୁନ୍ଦର ବାଲି ରଥରେ ବିଜେ ଚତୁର୍ଦ୍ଧା ମୂର୍ତ୍ତୀ ।

ଉର୍ଦ୍ଧ ବାହୁ ହୋଇ ଦାସ ଯେ ତହିଁ ନାଚ କରନ୍ତି

ଜୟ ଜଗନ୍ନାଥ ଜୟ ହେ ତୁଣ୍ଡେ ସେ ଘୋଷୁଥାନ୍ତି।


ସେହିଠାରେ ଗଜପତି ଯେ ଦାସଙ୍କୁ ତ ମିଳିଲେ

ତାଙ୍କ ଭାବ ଭକ୍ତି ଦେଖିଣ ରାଜା ଚକିତ ହେଲେ।

ଏମିତି ଭକ୍ତ ର ଭକ୍ତିରେ ବନ୍ଧା ଜଗତ ନାଥ

କେମିତି ସହିବେ ଭକ୍ତର ଅପମାନ କୁ ସେତ ।

ସେଥିପାଇଁ ନନ୍ଦିଘୋଷ ଯେ ତାଙ୍କ ଗଡଇ ନାହିଁ

ବାଲିରଥେ ଏବେ ଠାକୁର ପ୍ରଭୁ ଜଗତ ସାଇଁ ‌।


ଦାସଙ୍କୁ ତ ଗଜପତି ଯେ ଯାଇ ପ୍ରଣାମ କଲେ

ସେବକଙ୍କ ସବୁ ଦୋଷକୁ ରାଜା ସ୍ବୀକାର କଲେ।

ସସମ୍ମାନେ ବଡ଼ଦାଣ୍ଡ କୁ ତାଙ୍କୁ  ପାଛୋଟି ନେଲେ

ସିଂହ ଦ୍ୱାରେ ନନ୍ଦିଘୋଷ ଙ୍କୁ ଦାସେ ପ୍ରଣାମ କଲେ ।

ରଥକୁ ତ ଯେବେ ଭକ୍ତିରେ ଛୁଇଁ ଦେଲେତ ଦାସ

ଗଡିବା ଆରମ୍ଭ କରିଲା ରଥ ଶ୍ରୀ ନନ୍ଦିଘୋଷ।


ଦୁନିଆ ଜାଣିଲା ଭକତ ବନ୍ଧୁ ଶ୍ରୀଜଗନ୍ନାଥ

ଭକତ ହିତରେ ଗଡ଼ଇ ବଡ଼ଦାଣ୍ଡ ରେ ରଥ।

ଧନ୍ୟ ବଳରାମ ଦାସ ସେ ଧନ୍ୟ ତାଙ୍କର ଭକ୍ତି

ଇତିହାସ ଆଜି ଘୋଷଇ ତାଙ୍କ ଭକ୍ତିର ଶକ୍ତି।

ମତ୍ତ ବଳରାମ ଦାସ ସେ ଭାବ ଭକ୍ତିରେ ମତ୍ତ

ମହାପ୍ରଭୁ ଜଗନ୍ନାଥ ଙ୍କ ଦାସେ ପରମ ଭକ୍ତ।


ଚଉଦଶ ଚୌରାଅଶୀ ର ଫଗୁ ଦଶମୀ ଦିନ

ବଳରାମ କରିଥିଲେ ଯେ ସେତ ଜନ୍ମଗ୍ରହଣ।

ମତା ମହାମାୟା ଦେବୀଙ୍କ ଦାସେ ନୟନ ତାରା

ସୋମନାଥ ମହାପାତ୍ର ଯେ ପିତା ତାଙ୍କର ପରା ।

ବେଲେଶ୍ୱର ଶିବ ପୂଜିଣ ପୁତ୍ର ହୋଇଲା ଜାତ

ବଳରାମ ନାମ ରଖିଲେ ତେଣୁ ପିତାମାତା ତ।


ନାମ ସିନା ବଳରାମ ଯେ ଘରେ ବଳି ଡାକନ୍ତି 

ପିଲାଦିନୁ ଜଗନ୍ନାଥ ଙ୍କୁ ଦାସେ କରନ୍ତି ଭକ୍ତି ।

ବିଦ୍ଯା ଅଧ୍ୟୟନେ ଦାସେଙ୍କ ପିଲା ଦିନୁ ଆଗ୍ରହ

ପଢୁଥିଲେ ପୋଥି ପୁରାଣ ସେତ କରି ସଂଗ୍ରହ।

ବଳରାମଙ୍କର ସଂସ୍କୃତ ଶାସ୍ତ୍ରେ ପାଣ୍ଡିତ୍ୟ ଥିଲା

ଭକ୍ତ କବି ହେବା ପାଇଁକି ଜ୍ଞାନ ସାହାଯ୍ୟ କଲା ।


ଶୈଶବ କାଳରେ ଘଟିଲା ଏକ ଅଦ୍ଭୂତ କଥା

ଭାବିଲେ ଛାନିଆ ଲାଗଇ ଘୁରି ଯାଏରେ ମଥା।

ଘର ଅଗଣାରେ ବଳିଙ୍କୁ ମାଆ ଦେଲେ ପେଟେଇ

କରୁଥିଲେ ଘର ପାଇଟି ପୁତ୍ରେ ଛାଡି ତ ଦେଇ।

କାମ ସାରି ମାଆ ଦେଖିଲେ ଭୟଙ୍କର ଘଟଣା

ଦେଖି ମହାମାୟା ଦେବୀଙ୍କ ବୁଦ୍ଧି ହୋଇଲା ବଣା।


ନାଗ ସାପଟିଏ ବଳିଙ୍କ ପରେ ଫଣା ଟେକିଛି

ସାପର ଲାଞ୍ଜକୁ ଧରିଣ ଶିଶୁ ଖେଳୁ ଯେ ଅଛି ।

ମହାମାୟା ଦେଖି ଏ ଦୃଶ୍ୟ ସେତ କଲେ ଚିତ୍କାର

ଉଭେଇ ଗଲାଯେ ସାପଟି ହଜିଗଲା ନଜର।

ଶୁଣି ଏହି କଥା ସମସ୍ତେ ହେଲେ ସେ କୁହାକୁହି

ବଡ ହେଲେ ବାପା ମାଆଙ୍କ ନାଁଆ ରଖିବ ସେହି


ଅଳ୍ପ ବୟସରେ ଦାସ ଯେ ହେଲେ ସଂସାର ତ୍ୟାଗୀ

ମହାପ୍ରଭୁଙ୍କର ସେବାରେ ଦେଲେ ପ୍ରାଣ ଉତ୍ସର୍ଗୀ।

ଚକାଆଖି ରେ ତ ଆଖିକୁ ନପାରିଲେ ମିଶାଇ

ଅନ୍ନ ଜଳ ଶ୍ପର୍ଷ ଦାସ ଯେ ଜମା କରନ୍ତି ନାହିଁ।

ସୟନେ ସପନେ ତାଙ୍କର ପ୍ରଭୁ ଶ୍ରୀଜଗନ୍ନାଥ

ଧନ୍ୟ ବଳରାମ ପ୍ରଭୁଙ୍କ ତୁମେ ପରମ ଭକ୍ତ।


ଦାଣ୍ଡି ରାମାୟଣ ଦାସଙ୍କ ସେତ ଅମର କୃତି

ଶ୍ରବଣେ ପଠନେ ମିଳଇ ପ୍ରାଣେ ଅପୂର୍ବ ଶାନ୍ତି।

ମାଣବସା ଗୁରୁବାର ରେ ତାଙ୍କ ଲକ୍ଷ୍ମୀ ପୁରାଣ

ପ୍ରତି ଓଡ଼ିଆଙ୍କ ଗୃହରେ ହୋଇଥାଏ ପଠନ।

କମଳ ଲୋଚନ ଶ୍ରୀହରି ଚଉତିଶା ଟି ସେହି

ଲେଖିଛନ୍ତି ବଳରାମ ଯେ ନିଏ ମନକୁ ମୋହି ।


ବଳରାମ ଦାସଙ୍କର ଯେ ଯେତେ ଭକ୍ତି ରଚନା

ମହାପ୍ରଭୁ ଜଗନ୍ନାଥ ଙ୍କ କଥା ତହିଁ ବର୍ଣ୍ଣନା।

ବଟ ଅବକାଶ, ପଣସ ଚୋରୀ , ଭାବ ସମୁଦ୍ର

ବ୍ରହ୍ମାଣ୍ଡ ଭୂଗୋଳ, ବ୍ର'ହ୍ମ ଜ୍ଞାନ ଏକ ଅକ୍ଷର ।

ବଉଳା ଅଧ୍ୟାୟ,ବିରାଟ ଗୀତା , ମୃଗୁଣୀ ସ୍ତୁତି 

ମନୁ ଗୀତା, କାନ୍ତ କୋଇଲି କେତେ ଶାସ୍ତ୍ର ଏମିତି।


ଭକ୍ତି ଯୁଗ ପଞ୍ଚସଖା ଙ୍କ ମଧ୍ୟେ ଦାସେ ଅନନ୍ୟ

ଶ୍ରୀଚୈତନ୍ୟ ବଳରାମ ଙ୍କୁ କରୁଥିଲେ ସମ୍ମାନ।

ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା ଯେବେ ଦାସେ କରନ୍ତି

ନିଜର ଅସ୍ତିତ୍ଵ ଦାସଯେ ନିଜେ ଭୁଲି ଯାଆନ୍ତି।

ମହାପ୍ରଭୁଙ୍କର ଭକ୍ତିରେ ଯେଣୁ ହୁଅନ୍ତି ମତ୍ତ

ମତ୍ତ ବଳରାମ ବୋଲିଯେ ଦାସେ ହୋଇଲେ କ୍ଷାତ।


ପୁରୀ ସମଗରା ଶାସନ ଏରବଙ୍ଗ ଗ୍ରାମରେ

ରହିଅଛି ବଳରାମ ଙ୍କ ଆଶ୍ରମ ଯେ ସେଠାରେ।

ଆଷାଢ ମାସର ପବିତ୍ର ଶୁକ୍ଳ ତ୍ରୟୋଦଶୀ ରେ

ପ୍ରଭୁଙ୍କର ନାମ କିର୍ତ୍ତନେ ଦାସ ମଗ୍ନ ଥିଲେରେ।

ସେତେବେଳେ ମହାପ୍ରଭୁ ଙ୍କ ଦିବ୍ୟ ଆଦେଶ ପାଇ 

ଆତ୍ମା ତାଙ୍କ ଲୀନ ହୋଇଲା ପ୍ରଭୁ ପାଦରେ ଯାଇ।।


Rate this content
Log in

Similar oriya poem from Abstract