ଜୀବନ ତତ୍ତ୍ଵ ଓଗରୁଡ଼ ପୁରାଣ
ଜୀବନ ତତ୍ତ୍ଵ ଓଗରୁଡ଼ ପୁରାଣ


ଶୁଣ ସାଧୁଜନେ ହେ ଦେଇ ମନ ଧ୍ଯାନ
ଗରୁଡ଼ ପୁରାଣ କଥା ଗାଉଛୁ ଶୁଣ।
ବ୍ୟାସଦେବ କୃତ ସେହି ମହା ପୁରାଣ
ଜୀବନ ଦର୍ଶନ ତତ୍ତ୍ଵ ଯହିଁ ବର୍ଣ୍ଣନ ।
ପୁରାଣ ମଧ୍ୟରେ ସାର ପୁରାଣ ସେହି
ପୂଣ୍ୟ ଅରଜନ ମାର୍ଗ ଯାଏ ଦେଖାଇ ।
ପକ୍ଷୀରାଜ ଗରୁଡ଼ ବିନତା ନନ୍ଦନ
ସୃଷ୍ଟିକର୍ତ୍ତା ବିଷ୍ଣୁ ଙ୍କ ର ସେତ ବାହନ।
ବିଷ୍ଣୁ ଙ୍କୁ ବସାଇ ପୃଷ୍ଠେ ସେ ଖଗପତି
ସାରା ବିଶ୍ବ ବ୍ରହ୍ମାଣ୍ଡ କୁ ବୁଲାନ୍ତି ନିତି ।
ଭ୍ରମଣ ସମୟେ ସେହି ଗରୁଡ଼ ପକ୍ଷୀ
ମନେ ତାଙ୍କ ପ୍ରଶ୍ନ ଯାହା ମାରଇ ଉଙ୍କି,
ଗୋଟିଗୋଟି କରି ସେତ ପଚାରିଥାନ୍ତି
ପ୍ରଶ୍ନ ଶୁଣି ପ୍ରଭୁ ଉତ୍ତର ଦେଇଥାନ୍ତି ।
ଅଥଳ ଥଳ ଏ ଭବ ଜଳଧି ଜଳ
ପାପତାପ ଦୁଃଖ ପୁଣି ପୂଣ୍ୟ ର ଫଳ,
ଏଜନ୍ମ ଆରଜନ୍ମ ଭଲ ଆଉ ମନ୍ଦ
ନର୍କର ଯାତନା ପୁଣି ସ୍ବର୍ଗ ର ଆନନ୍ଦ।
ସୁଖ ପାଇବା ର ମାର୍ଗ ଦୁଃଖ ର କାରଣ
ବୁଝେଇ କୁହନ୍ତି ପ୍ରଭୁ ଶ୍ରୀ ନାରାୟଣ।
ଗରୁଡ଼ ପଚାରନ୍ତି ଆହେ ନାରାୟଣ
ସବୁ ମଣିଷଙ୍କ ଗୁଣ ନୁହେଁ ସମାନ।
କେଉଁ ଗୁଣ ମଣିଷକୁ ସୁଖ ଦିଅଇ
କେଉଁ ଗୁଣ ପାଇଁ ଜଣେ ନର୍କ ଭୋଗଇ ?
ଉତ୍ତର ଦେବାକୁ ଯାଇ ବିଷ୍ଣୁ କୁହନ୍ତି
ତିନି ପ୍ରକାର ଭୌତିକ ଗୁଣ ଅଟନ୍ତି।
ତାମସିକ ରାଜସିକ ସାତ୍ତ୍ୱିକ ଗୁଣ
ଗୁଣ ଅନୁସାରେ ଫଳ ମିଳଇ ଜାଣ।
ଅଳ୍ପ ଜ୍ଞାନ ଶକ୍ତି ହୀନ ଆଳସ୍ୟ ପଣ
ଏସବୁ ମଣିଷର ତାମସିକ ଗୁଣ ।
କାମନା ବାସନା ପାଇଁ ଚଞ୍ଚଳ ମନ
ରାଜସିକ ଗୁଣ ସବୁ ଦୁଃଖ କାରଣ ।
ପ୍ରଶାନ୍ତ ଜ୍ଞାନୋଦୀପ୍ତ ଧର୍ମ କର୍ମ ଧ୍ୟାନ
ସାତ୍ତ୍ୱିକ ଗୁଣର ସେ ଅଧିକାରୀ ଜାଣ।
ସତ୍ୟର ଦିଗବାରେଣି ସାତ୍ତ୍ୱିକ ଗୁଣ
ତାମସିକ ରାଜସିକ ଅନ୍ତର୍ଦହନ।
ସାତ୍ତ୍ୱିକ ସ୍ବଭାବଯୁକ୍ତ ସ୍ବର୍ଗେ ଯାଆନ୍ତି
ରାଜସିକ ପ୍ରବୃତ୍ତି ଯେ ମଧ୍ୟେ ରୁହନ୍ତି।
ତାମସିକ ଗୁଣ ଥିବା ମଣିଷ ସେତ
ନରକ ଯାତନା ତାଙ୍କ ଭାଗ୍ୟେ ଲେଖାତ ।
ନରକ ଯାତନା କଥା ଗରୁଡ଼ ଶୁଣି
ପଚାରନ୍ତି କୁହ ପ୍ରଭୁ ହେ ଚକ୍ର ପାଣି।
କେଉଁ କେଉଁ କୁକର୍ମ ରେ ହୋଇଲେ ଲିପ୍ତ
ନରକ ଯାତନା ନିଶ୍ଚେ ଭାଗ୍ୟେ ଲେଖାତ?
ଯମ ଲୋକକୁ ସେହି ମାନେ ଯାଇଥାନ୍ତି
ଯମଦୂତ ସେମାନଙ୍କୁ ଦଣ୍ଡ ଦିଅନ୍ତି।
ପ୍ରଶ୍ନ ଶୁଣି ନାରାୟଣ ଦେଲେ ଉତ୍ତର
ନର୍କଗାମି କଥା ଶୁଣ ହେ ଖଗେଶ୍ବର।
ଭୃଣ ନଷ୍ଟ ବ୍ରହ୍ମ ହତ୍ୟା ଗୁରୁଙ୍କ ନିନ୍ଦା
କଲେ ନିଶ୍ଚେ ଯମ ଦୂତ ହାତରେ ବନ୍ଧା।
ପିତାମାତା ଙ୍କ ର ଯିଏ ଦ୍ରୋହି ହୁଅନ୍ତି
ପରକିୟା ପିରତିରେ ଲିପ୍ତ ରୁହନ୍ତି,
ବିଶ୍ବାସ ଘାତକ ଯେ ଅହଙ୍କାରି ଜନ
କପଟେ ପର ଧନ କରନ୍ତି ହରଣ,
ପରଶ୍ରୀକାତର ଯେ ବ୍ୟଭିଚାରେ ଲିପ୍ତ
ନିର୍ଦ୍ଦୟ ପ୍ରତାରକ ସଦା ନିଶାସକ୍ତ ,
ମିଥ୍ୟାବାଦୀ ଧର୍ମ ଦ୍ରୋହି ଯେ ଅଟନ୍ତି
ନରକ ଯାତନା ସେହିମାନେ ଭୋଗନ୍ତି।
ଗରୁଡ଼ ପଚାରନ୍ତି ପ୍ରଭୁଙ୍କୁ ଯେ ପୁଣି
କଥାଟିଏ ଜମା ମୁଁ ବୁଝିତ ପାରୁନି,
କାହିଁକି ଗରିବ ଜଣେ ଭୋଗେ କଷଣ
ସୁଖେ ଚଳେ ଜଣେ କରି ଧନ ଅର୍ଜନ ?
ମଣିଷ ମଣିଷ ମଧ୍ୟରେ ବ୍ୟବଧାନ
କାହିଁକି ରହିଛି କୁହ ହେ ନାରାୟଣ।
ଗରୁଡ଼ ଙ୍କ କଥାଶୁଣି ହସିଲେ ପ୍ରଭୁ
ଧନ ଅରଜନ କଥା କହିଲେ ସବୁ ।
ମହା ଲକ୍ଷୀ ଯାହାଙ୍କୁ ଦୟା କରନ୍ତି
ଧନ ସମ୍ପଦ ତାହାକୁ ଭରି ଦିଅନ୍ତି ।
ମାଆ ତ କରିଲେ ଘୃଣା ଉଜୁଡେ ଘର
ଗରିବ ହୁଏ ମଣିଷ ଘୋଟେ ଅନ୍ଧାର।
ଯେଉଁ ଗୃହେ ସ୍ନାନ ସାରି ଖାଦ୍ୟ ରନ୍ଧନ
ରନ୍ଧା ଖାଦ୍ୟ ପ୍ରଭୁଙ୍କୁ ଆଗ ଅରପଣ,
ଗୃହରେ ନିତି ହୁଏ ପୂଜା ଅରଚନା
ପୁରାଣ ପାଠ ଆଉ ଧର୍ମ ଆଲୋଚନା,
ସାଧୁ ସନ୍ଥ ଙ୍କୁ ସଦା ମିଳେ ସମ୍ମାନ
ଦାନ ଧର୍ମେ ସମସ୍ତଙ୍କ ଥାଏ ଧିଆନ,
ଏପରି ଗୃହରେ ସଦା ଲକ୍ଷ୍ମୀ ରୁହନ୍ତି
ଧନଧାନ୍ଯେ ଭରେ ଘର ମିଳଇ ଶାନ୍ତି।
ମହାଲକ୍ଷ୍ମୀ ଯାହାଙ୍କୁ ଘୃଣା କରନ୍ତି
ସେମାନଙ୍କ କଥା ପ୍ରଭୁ ହସି କହନ୍ତି।
ଅଳୁସୁଆ, ଦୁରାଚାରୀ, କୁକର୍ମେ ମନ
ନିଶାଖୋର, ଅପବ୍ୟୟୀ ,ଚରିତ୍ର ହୀନ
ଏମିତି ଲୋକ ଯାହା ଆୟ କରିଥାନ୍ତି
ଅଧିକ ବ୍ୟୟ କରି ଦୁଃଖ ସେ ଭୋଗନ୍ତି।
ଦିନକୁ ଦିନ ସେତ ଗରିବ ହୁଅନ୍ତି
ଦୁଃଖ କଷଣରେ ନିତି ଘାଣ୍ଟି ହୁଅନ୍ତି।
ପୂର୍ବ ଜନ୍ମେ କର
ିଥିଲେ ପୂଣ୍ୟ ଅର୍ଜ୍ଜନ
ଏ ଜନ୍ମରେ ମିଳିଥାଏ ସୁଖ ସମ୍ମାନ।
ପୂର୍ବ ଜନ୍ମେ ଅପକର୍ମ କରିଥିଲେ ଟି
ଏ ଜନ୍ମରେ ପ୍ରତିଦିନ ଲୁହ ଢାଳନ୍ତି।
ଗରୁଡ଼ ପୁରାଣ ତେଣୁ କରେ ସତର୍କ
ଅନ୍ୟାୟ ଅନୀତି ପ୍ରତି ହୁଅ ବିମୁଖ ।
ପ୍ରଭୁଙ୍କ ପାଦରେ ସଦା ରଖିବ ଲୟ
ପୂଣ୍ୟ ଅରଜନେ ମନ ପାପକୁ ଭୟ ।
ମନ ନୁହେଁ ବିବେକର କଥା ମାନିବ
ଅନୀତି ଦୁର୍ନୀତି ଠାରୁ ଦୂରେ ରହିବ ।
ଏ ଜନ୍ମେ ସୁଖ ପୁଣି ଆର ଜନ୍ମ ପାଇଁ
ପାରିବ ପୂଣ୍ୟ ସଞ୍ଚି ସତ୍ୟ ପଥେ ରହି ।
ବିନତା ନନ୍ଦନ ନାରାୟଣଙ୍କୁ ଚାହିଁ
କୁହନ୍ତି ହେ ଦୟାମୟ ଜଗତ ସାଇଁ,
ସନ୍ତାନ ସନ୍ତତି ଯଦି ହୁଅନ୍ତି ଯୋଗ୍ୟ
ବାର୍ଦ୍ଧକ୍ୟ କାଳରେ ସାହା ହୁଅଇ ଭାଗ୍ୟ।
ପିତାମାତା ଙ୍କର ସେତ ନିଅନ୍ତି ଯତ୍ନ
ସୁଖରେ ବିତିଥାଏ ତାଙ୍କ ଜୀବନ।
ସୁଯୋଗ୍ୟ ସନ୍ତାନ ଟିଏ ପାଇବା ପାଇଁ
ଉପାୟ ଆହେ ପ୍ରଭୁ ଦିଅନ୍ତୁ ବତାଇ ।
ଶୁଭ ସମୟରେ ଗର୍ଭ ହେଲେ ସଞ୍ଚାର
ଯୋଗ୍ୟ ସନ୍ତାନ ଜାତ ନିଶ୍ଚୟ ଜାଣ ।
ଶୁଭ ସମୟର କଥା ଶ୍ରୀ ନାରାୟଣ
ବୁଝାଇ କହିଲେ ଶୁଣ ହେ ପକ୍ଷୀରାଣ ।
ସୋମବାର ବୁଧବାର ଗୁରୁ ଶୁକ୍ର ଟି
ଗର୍ଭ ସଞ୍ଚାର ପାଇଁ କି ଶୁଭ ଦିନଟି ।
ଅଷ୍ଟମୀ ଦଶମୀ ପୁଣି ଦ୍ବାଦଶୀ ତିଥି
ସନ୍ତାନ ସନ୍ତତି ପାଇଁ ସେ ଶୁଭ ଅତି ।
ଶୁଭ ଦିନ ଶୁଭ ତିଥି ଶୁଭ ନକ୍ଷତ୍ର
ଚରିତ୍ର ଗଠନରେ ଲୋଡା ହୁଅଇତ ।
ଏଥିପ୍ରତି ଯେଉଁ ଜନ ଦିଅନ୍ତି ଧ୍ୟାନ
ଉତ୍ତମ ସନ୍ତାନ ପ୍ରାପ୍ତି ନିଶ୍ଚୟ ଜାଣ।
ପ୍ରଶ୍ନ ର ଉତ୍ତର ପାଇ ଗରୁଡ଼ ଖୁସି
ପ୍ରଭୁଙ୍କୁ ପଚାରନ୍ତି ପୁଣି ସେ ହସି ।
ମଣିଷର କିଏ ପ୍ରଭୁ ବଡ଼ ବଇରୀ
ଯାହା ପାଖେ ନିତି ସିଏ ଯାଏତ ହାରି ।
ମଣିଷ ନିଜେ ନିଜର ଡଡ ବଇରୀ
ଗରୁଡ଼ ଙ୍କୁ ବୁଝାଇ କହିଲେ ଶ୍ରୀହରି।
କ୍ରୋଧ ଆଳସ୍ୟ ଆଉ ଚିନ୍ତା ଅବସାଦ
ତାଙ୍କ ଲାଗି ମଣିଷ ଭୋଗଇ ପ୍ରମାଦ ।
ରାଗରେ ମଣିଷଯାଏ ଭଲ ଭେଲ ଭୁଲି
ନିଜକୁ ନିଜେ ଦିଏ ବିପଦକୁ ଠେଲି ।
ରାଗ ପାଇଁ ହୋଇଥାଏ ଅଜସ୍ର କ୍ଷତି
ରାଗନିଏ ଓଠରୁ ହସ ସବୁ ଲୁଟି ।
ସମୟ ସାଥିରେ ତାର ପାଦ ମିଳାଇ
ପାରେନି ମଣିଷ ଚାଲି ଆଳସ୍ୟ ପାଇଁ।
ହାତ ପାହାନ୍ତା ରୁ ଯାଏ ସୁଯୋଗ ଖସି
ଆଲୁଅ କରଇ ବାଦ ଅନ୍ଧାର ନେସି ।
ଚିନ୍ତା ଅବସାଦ ସବୁ ଦୁଃଖ କାରଣ
କଲବଲ ହୋଇଥାଏ ମନ ଗହନ।
ପ୍ରଭୁଙ୍କର ନାମ ଜପତପ କରିଲେ
ଚିନ୍ତା ଅବସାଦ ରୁ ତ ମୁକତି ମିଳେ ।
ଉଡ଼ିବା ବେଳେ ଗରୁଡ଼ ନୀଳ ଆକାଶେ
ଅନେକ ପ୍ରଶ୍ନ ଏମିତି ମନକୁ ଆସେ ।
କାହାକୁତ ଭାବିବନି ଜମା ନିଜର
ପାପ ହେବ ତାଙ୍କ ଆଡେ ଦେଲେ ନଜର ।
ଗରୁଡ଼ ଙ୍କ କଥା ଶୁଣି ପୁରୁଷୋତ୍ତମ
କହିଲେ ସେ ପଚାରିଲ କଥା ଉତ୍ତମ।
ସେହି ମାନଙ୍କ ନାମ କହୁଛି ବୁଝାଇ
ତାଙ୍କ ସହ ସମ୍ପର୍କ ତ ରଖିବନାହିଁ ।
ସୁଧଖୋର ନିଶାଖୋର ଚୋର ତସ୍କର
ଦୁଶ୍ଚରିତ୍ରା ନରୀଙ୍କୁତ ଦୂରୁ ଯୁହାର।
ଧର୍ମ କର୍ମେ ଯାହାର ବିଶ୍ବାସ ନଥାଏ
ଆଚରଣ ଉଚ୍ଚାରଣେ ମେଳ ନରହେ,
କଥା କଥା ରେତ ଯିଏ କରନ୍ତି ଯୁକ୍ତି
ଗୁରୁ ଗୁରୁଜନେ ଜମା ନଥାଏ ଭକ୍ତି,
ଏମାନଙ୍କ ଠାରୁ ସଦା ଦୂରେ ରହିବ
ତାଙ୍କ ସାଥେ ଭାବ କଲେ ଲୁହ ଢାଳିବ ।
ଯେପର୍ଯ୍ୟନ୍ତ ଯାତ୍ରାର ନହୁଅଇ ଅନ୍ତ
ପଚାରୁଥାନ୍ତି ପ୍ରଶ୍ନ ପକ୍ଷୀରାଜ ସେତ।
ଦୁର୍ଲ୍ଲଭ ମଣିଷ ଜନ୍ମ ମିଳିଛି ଯେବେ
କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଏ ଭବେ,
ସୁଖ ଶାନ୍ତିରେ ବାତିବ ଏଇ ଜୀବନ
ଆର ଜନ୍ମ ପାଇଁ ପୁଣି ସଞ୍ଚିବ ପୂଣ୍ୟ।
ପୂଣ୍ୟ ଅରଜନ ପାଇଁ ସହଜ ପଥ
ଗରୁଡ଼ ଙ୍କୁ ବଖାଣନ୍ତି ପ୍ରଭୁ ଅନନ୍ତ।
ହରିନାମ ସବୁବେଳେ କରିଲେ ଜପ
ଦୂର ହୋଇଥାଏ ସବୁ ଦୁଃଖ ସନ୍ତାପ।
ଦୁଃଖୀ ରଙ୍କି ଙ୍କୁ ସଦା କରିବ ଦାନ
ଗୋ ସେବା ପ୍ରତି ନିଶ୍ଚେ ଦେବଟି ମନ ।
ବିବେକ ର କଥା ପ୍ରତି ଦେବ ଗୁରୁତ୍ଵ
ଦୁର୍ଜନ ଙ୍କ ଠାରୁ ସଦା ରଖ ଦୁରତ୍ଵ।
ଧର୍ମ ଚର୍ଚ୍ଚା ଆଲୋଚନା କରିଲେ ନିତି
ମନକୁ ମିଳିଥାଏ ଅପାର ଶାନ୍ତି।
ଏକାଦଶୀ ବ୍ରତ କଲେ ସୁଫଳ ବେଶି
ଏ ଜନମ ଆର ଜନ୍ମ ଉଠିବ ହସି ।
ଗରୁଡ ପୁରାଣ ର କଥା ଅମୃତ
ଧନ୍ୟ କରେ ମନ ପ୍ରାଣ ଜୀବନ ପଥ ।
ପ୍ରତିଟି ଜୀବନ ହେଉ ଅମୃତ ମୟ
ପ୍ରଭୁ ଙ୍କ ପାଦେ ସଭିଙ୍କ ରହୁ ଯେ ଲୟ ।।