ମାଆ ସମଲେଇ
ମାଆ ସମଲେଇ


କୁଳୁକୁଳୁ ହୋଇ ମହାନଦୀ ବହେ
ମଧୁର ସଙ୍ଗୀତ ଗାଇ
କୂଳେ ବିରାଜିତା ମାଆ ସମଲେଇ
ଅସୀମ ମହିମା ମୟୀ ।
ଜଗତର ରାଣୀ ଦୁଃଖ ହାରିଣୀ ମା
ମମତା ର ପାରାବାର
କରୁଣାମୟୀଙ୍କ କୃପା କଟାକ୍ଷ ରେ
ଅବସାଦ ହୁଏ ଦୂର ।
ମାଆଙ୍କୁ ଭଜିଲେ ମାଆଙ୍କୁ ପୂଜିଲେ
ମିଳଇ ଅପାର ଶାନ୍ତି
ଜୀବନ ଯାତନା ଦୂର ହୋଇଯାଏ
ମାଆ ନାମ ଗତି ମୁକ୍ତି ।
ମାଆଙ୍କ ନାମରେ ତାଙ୍କ ବିଜେସ୍ଥଳୀ
କ୍ଷାତ ଯେ ସମ୍ବଲପୁର
ମହାନଦୀ କୂଳେ ଶୋଭା ପାଉଅଛି
ମାଆଙ୍କ ଭବ୍ଯ ମନ୍ଦିର ।
ମାଆ ଙ୍କ ମନ୍ଦିରେ ପାଦ ଦେଉଦେଉ
ସବୁ ଦୁଃଖ ଯାଏ ଚାଲି
ଦୀପଟିଏ ଜାଳି ମାଆଙ୍କୁ ଡାକିଲେ
ମନ ପ୍ରାଣ ଯାଏ ପୁରି ।
ମାଆଙ୍କ ସିନ୍ଦୂର ମଥାରେ ନାଇଲେ
ନଥାଏ କାହାକୁ ଡର
ବାଟ ଭାଙ୍ଗି ଯାଏ ସବୁ ଝଡଝଞ୍ଜା
ବିପଦ ହୁଅଇ ଦୂର ।
ସମଲେଶ୍ଵରୀ ଙ୍କ କଥା ବଖାଣିଲେ
ପୋଥି ଟିଏ ହୋଇଯିବ
ଶୁଣୁଥିଲେ ଯମା ଶେଷ ହେବନାହିଁ
ନୂଆ ନୂଆ ଲାଗୁଥିବ ।
ଷୋଡ଼ଶ ଶତାବ୍ଦୀ କଥାଟି ଯେ ଏହା
ଚୌହାନ ବଂଶର ରାଜା
ରାଜ୍ୟ ରାଜଧାନୀ ପ୍ରତିଷ୍ଠା ପାଇଁକି
ଖୋଜୁଥିଲେ ଏକ ଜାଗା ।
ଶକ୍ତି ଉପାସକ ଥିଲେ ସେହି ରାଜା
ନାମ ବଳରାମ ଦେବ
ଯାହାଙ୍କ ଆଗରେ ଜଗତ ଜନନୀ
ହୋଇଥିଲେ ଆବିର୍ଭାବ ।
ରାଜା ଥିଲେ ଯେଣୁ ଶକ୍ତି ଉପାସକ
ମାଆ ତାଙ୍କୁ ଦେଖାଦେଲେ
ମାଆଙ୍କୁ ପ୍ରତିଷ୍ଠା କରି ବଳରାମ
ପୂଜାର ବ୍ୟବସ୍ଥା କଲେ ।
ମହାନଦୀ କୂଳେ ଗାଁ ଟିଏ ଥିଲା
ନାମ ତାର ଚର୍ତ୍ତପୁର
ପାତ୍ର ମନ୍ତ୍ରୀ ସାଥେ ରହିଥାନ୍ତି ରାଜା
ପକାଇ ତାଙ୍କ ଶିବିର।
ପ୍ରତିଦିନ ରାଜା ମହାନଦୀ କୂଳେ
ପ୍ରାତ ଭ୍ରମଣ କରନ୍ତି
ସାଥିରେ ତାଙ୍କର ଶିକାରୀ କୁକୁର
ଦଳଟିଏ ରହିଥାନ୍ତି ।
ଦିନେକ ଆଶ୍ଚର୍ଯ୍ୟ ଘଟଣା ଘଟିଲା
ରାଜା ହେଲେ ଆଶ୍ଚମ୍ବିତ
କୁକୁର ପହ୍ଲଙ୍କୁ ଠେକୁଆ ଟିଏତ
କରିଦେଲା ପରାହତ ।
ଠେକୁଆ କୁ ଦେଖି ଶିକାରୀ କୁକୁର
ପଛଘୁଞ୍ଚା ସବୁ ଦେଲେ
ଖାଦ୍ୟ ଖାଦକଙ୍କୁ ଡରାଉଛି ଦେଖି
ରାଜା ତ ଆଶ୍ଚର୍ଯ୍ୟ ହେଲେ ।
ମନେମନେ ରାଜା ହୋଇଲେ ନିଶ୍ଚିତ
ସ୍ଥାନର ମହିମା ସେତ
ଦୁର୍ବଳ ଯେଉଁଠି ସବଳକୁ କରେ
ସହଜରେ ପରାଜିତ।
ଜଙ୍ଗଲ ରେ ପୂର୍ଣ୍ଣ ସ୍ଥାନରେ ରାଜନ
ଏକାନ୍ତେ ଭାବିଲେ ବସି
ମହାଶକ୍ତି ଙ୍କର ବିଜେସ୍ଥଳୀ ତହା
ଶୂନ୍ୟ ବାଣୀ ହେଲା ଆସି ।
ତହୁଁ ବଳରାମ ଘେନି ଲୋକବଳ
ସ୍ଥାନଟିକୁ ସଫାକଲେ
କାହିଁ ରହିଛନ୍ତି ମାଆ ମହାମାୟୀ
ଖୋଜିବାରେ ଲାଗିଗଲେ ।
ନଦୀ କୂଳେ ଥିଲା ଶିମିଳି ଗଛଟି
ସବୁଜ ସୁନ୍ଦର ତୋରା
ସେହି ଗଛ ମୂଳେ ଶିଳା ମୂର୍ତ୍ତି ରୂପେ
ମାଆ ରହିଥିଲେ ପରା ।
ମାଆଙ୍କୁତ ପାଇ ରାଜା ବଳରାମ
ଆନନ୍ଦେ ଅଧୀର ହେଲେ
ଅସୀମ ମହିମା ମହିମା ମୟୀ ସେ
ରାଜା ଅନୁଭବ କଲେ ।
ଶିମିଳି ଗଛର ମୂଳରୁ ମାଆତ
ହୋଇଥିଲେ ଯେଣୁ ପ୍ରାପ୍ତ
ସେ ସମଲେଶ୍ଵରୀ ଭାବରେ ସେଦିନୁ
ଜଗତେ ହୋଇଲେ କ୍ଷାତ ।
ଶ୍ରଦ୍ଧା ରେ ଭକତେ&nbs
p;ମାଆଙ୍କୁ ଡାକନ୍ତି
ମାଆ ମାଆ ସମଲେଇ
ଭକତଙ୍କ ଡାକ ଭକତ ବତ୍ସଳା
କାନଡ଼େରି ଶୁଣିଥାଇ ।
ସ୍ନେହମୟୀ ମାଆ ମମତାଯୟୀ ସେ
ଆଦିମୂଳ ଆଦିମାତା
ବେଳ ଅବେଳରେ ଭକ୍ତି ରେ ଡାକିଲେ
ଶୁଣିଥାନ୍ତି ମନ କଥା ।
ମାଆଙ୍କ ପାଇଁକି ମନ୍ଦିର ପ୍ରତିଷ୍ଠା
ବଳରାମ ଦେବ କଲେ
ବର୍ଷ ସାରା ପୂଜା ଅରଚନା ପାଇଁ
ବ୍ୟବସ୍ଥା ସେ କରିଗଲେ ।
ମାଆଙ୍କ ପୂଜକ ଜାତିରେ କ୍ଷତ୍ରିୟ
ନିଷ୍ଠାରେ କରନ୍ତି ପୂଜା
ପିଢ଼ି ରୁ ପିଢ଼ିକୁ ବିଧି ପାଳୁଛନ୍ତି
ଉଡ଼ାଇ ମାଆଙ୍କ ଧ୍ଵଜା ।
ତେର ଫୁଟ ଉଚ୍ଚ ସମଲେଇ ଙ୍କର
ଅପୂର୍ବ ଶିଳା ମୂରତି
ଶୋଭା ସୁଶୋଭିତ ମନ୍ଦିରରେ ମାଆ
ପୂଜା ସେତ ପାଉଛନ୍ତି ।
ମାତାଙ୍କ ମୁଖରେ ସାରା ବରଷତ
ସିନ୍ଦୂର ହୁଅନ୍ତି ମାଖି
ରକ୍ତବର୍ଣ୍ଣା ତେଣୁ ଦିଶୁଥାନ୍ତି ମାଆ
ଧନ୍ୟ ହୁଏ ତାଙ୍କୁ ଦେଖି ।
ବ୍ରାହ୍ମ ମୂହୁର୍ତ୍ତ ରେ ଫିଟଇ ଦେଉଳ
ଆରମ୍ଭ ହୁଅଇ ପୂଜା
ସ୍ନାନ ବିଧି ପରେ ମାଆ ସମଲେଇ
ଫୁଲରେ ହୁଅନ୍ତି ସଜ୍ଜା ।
ବେଶ ସରିଗଲେ ବାଳଭୋଗ ଲାଗେ
ହୁଏ ଆଳତି ଅର୍ପଣ
ନିତି ମଧ୍ୟାହ୍ନ ରେ ମାଆଙ୍କର ଭୋଗ
ସୁସ୍ବାଦୁ ଅନ୍ନ ବ୍ୟଞ୍ଜନ ।
ସଞ୍ଜ ନଇଁଗଲେ ସଞ୍ଜ ଆଳତି ରେ
ତଉଦିଗ ଉଛୁଳଇ
ଦେଉଳ ଦୁଆରେ ହୁଅଇ ଗହଳି
ଆଳତି ଦର୍ଶନ ପାଇଁ।
ରାତିରେ ହୁଅଇ ପୁଣି ଅନ୍ନ ଭୋଗ
ଧୂପ ଦୀପ ବନ୍ଦାପନା
ପହୁଡନ୍ତି ମାଆ ରତ୍ନ ପଲଙ୍କ ରେ
ଦେଉଳେ ପଡ଼ଇ ତାଲା ।
ମାଆଙ୍କ ଦର୍ଶନ ପାଇଁକି ଦେଉଳେ
ଗହଳୀ ହୁଅଇ ନିତି
ସାରା ରାଜ୍ୟ ପୁଣି ରାଜ୍ୟ ବାହାରୁତ
ଭକ୍ତ ମାନେ ଆସିଥାନ୍ତି।
ବାରମାସେ ହୁଏ ତେର ପରବ ତ
ଉଛୁଳେ ମାଆଙ୍କ ପୀଠ
ନୂଆ ଖାଇ ଆଉ ମହାଳୟା ପୁଣି
ଦଶହରା ପୂଜା ଶ୍ରେଷ୍ଠ।
ପବିତ୍ର ଭାଦ୍ରବ ଶୁକ୍ଳ ପଞ୍ଚମୀରେ
ପଶ୍ଚିମ ରେ ନୂଆଖାଇ
ରାତି ନପାହୁଣୁ ସମଲେଇ ଙ୍କର
ପୀଠ ପରା ଉଛୁଳଇ ।
ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ
ମାଆଙ୍କୁ ଦର୍ଶନ କରି
ନବାନ୍ନ ଭକ୍ଷଣ କରନ୍ତି ସେମାନେ
ପ୍ରିୟ ପରିଜନ ଧରି ।
ମହାଳୟା ଦିନ ମାଆ ସମଲେଇ
ହୁଅନ୍ତି ଧବଳ ମୁଖୀ
ଧନ୍ୟ ହୋଇଥାନ୍ତି ଭକତ ସକଳେ
ସେ ଅପୂର୍ବ ରୂପ ଦେଖି ।
ପୂର୍ବ ରାତି ଠାରୁ ମନ୍ଦିର ମଧ୍ୟରେ
ଚାଲେ ସବୁ ଗୁପ୍ତ ନୀତି
ଚନ୍ଦନ ଚର୍ଚ୍ଚିତ ହୋଇ ସମଲେଇ
ହୁଅନ୍ତି ଧବଳମୁଖୀ ।
ସମଲେଇଙ୍କର ଧବଳ ମୁଖକୁ
ଦରଶନ କଲେ ଜାଣ
କଥା ଅଛି ଏହା ମିଳିଥାଏ ସେତ
ଗଙ୍ଗା ସ୍ନାହାନ ର ପୁଣ୍ୟ।
ଦୁଇଦିନ ଯାଏ ଧବଳ ମୁଖରେ
ଦର୍ଶନ ଦିଅନ୍ତି ମାତ
ଦେଶବିଦେଶରୁ ଭକ୍ତେ ଆସିଥାନ୍ତି
ଦେଖିବାକୁ ସେହି ରୂପ ।
ଭାଇ ଜିଉନ୍ତିଆ ଦିନରୁ ଆରମ୍ଭ
ପୀଠେ ପୀଠ ଦଶହରା
ହୁଅଇ ଷୋଡ଼ଶ ଉପଚାରେ ପୂଜା
ଭକ୍ତ ଦେଖି ଆତ୍ମହରା ।
ପ୍ରତିଦିନ ହୁଏ ବଳି ଅରପଣ
ହୁଅଇ ବିଶେଷ ପୂଜା
ମଙ୍ଗଳମୟୀଙ୍କ ମହିମା ଗାନ ରେ
ଚଉଦିଗେ ଉଡେ ଧ୍ବଜା ।
ମାଆ ସମଲେଇ ପ୍ରତି ଓଡ଼ିଆ ଙ୍କ
ହୃଦୟେ କରନ୍ତି ବାସ
ତାଙ୍କ କରୁଣା ରେ ଓଠରେ ଆମର
ଉକୁଟି ଉଠଇ ହସ ।
ଜୟଜୟଜୟ ମାଆ ସମଲେଇ
ଶତ ପ୍ରଣିପାତ ପଦେ
ଦୋଷ ଥିଲେ କ୍ଷମା କରିବ ଜନନୀ
ଏତିକି ମିନତି ପାଦେ ।