STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମାଆ ସାରଳା

ମାଆ ସାରଳା

3 mins
366



ଜୟ ମା ସାରଳା ଝଙ୍କଡ଼ ବାସିନୀ

ଭକତ ବତ୍ସଳା ଦେବୀ

ନ ଆସିଲା ପଦ ବତାଇ ଦିଅ ମା

ତୁମକୁ ହୋଇଲେ ଭାବି ।

ତୁମରି ଦୟାରୁ ମୂର୍ଖ ବି ପଣ୍ଡିତ

ସହଜେ ପାଲଟି ଯାଏ

ମଧୁର ଛନ୍ଦରେ ମହାଭାରତ ଏ

ମହିମା ବଖାଣି ଯାଏ ।

                 

ଜୟ ବୀଣାପାଣି ପୁସ୍ତକ ଧାରିଣୀ

ବାକ୍ୟ ଦେବୀ ବିଦ୍ୟାଦାତ୍ରୀ

ଜୟ ମା ସାରୋଳ ଚଣ୍ଡୀ ସରସ୍ଵତୀ

ଶିଦ୍ଧିଦାତ୍ରୀ ଶୈଳପୁତ୍ରୀ।

ସିଂହବାହିନୀ ମା ମହିଷମର୍ଦ୍ଦିନୀ

ଦେବୀ ଦୁର୍ଗା ଅଷ୍ଟଭୂଜା

ତାନ୍ତ୍ରିକ ମନ୍ତ୍ର ରେ ନ୍ୟାସ ହୁଏ ମାଗୋ

ବୈଦିକ ମନ୍ତ୍ର ରେ ପୂଜା ।


ପରମ ବୈଷ୍ଣବୀ ମହାଲକ୍ଷ୍ମୀ ତୁମେ

ମହାକାଳୀ ମହାଶକ୍ତି

ତୁମ ବିଜେ କ୍ଷେତ୍ରେ ଯନ୍ତ୍ର ମନ୍ତ୍ର ତନ୍ତ୍ର

ଉଛୁଳଇ ଭାବ ଭକ୍ତି।

କବି ସାହିତ୍ୟିକ ପଣ୍ଡିତ ଲେଖକ

କଳାକାର ଅଭିନେତା

ତୁମରି ଆଶିଷେ ସାଧନା ରେ ସିଦ୍ଧି

ମିଳିଥାଏ ସଫଳତା।


ଯୁଗେ ଯୁଗେ ମାଆ ସାରା ସଂସାରରେ

ଜ୍ଞାନର ପ୍ରଦୀପ ଜାଳି

ତମସା ତିମୀର ଘନ ଅନ୍ଧକାର

ତୁମେତ ଦେଇଛ ଟାଳି ।

ଏ ଧରା ଧାମରେ ତୁମ ଆବିର୍ଭାବ

କଥା କେତେ କିମ୍ବଦନ୍ତୀ

ଦେବୀ ଭାଗବତ ସପ୍ତସତୀ ଚଣ୍ଡୀ

ବଖାଣେ ପୁରାଣ ପୋଥି।


ଦକ୍ଷ ଯଜ୍ଞକୁଣ୍ଡେ କନ୍ୟା ତାଙ୍କ ସତୀ

ଦେଇଥିଲେ ଆତ୍ମହୁତି

ଖଣ୍ଡ ବିଖଣ୍ଡିତ ଶରୀରରୁ ତାଙ୍କ

କେତେ ଶକ୍ତି ପୀଠ ସୃଷ୍ଟି।

ସତୀଙ୍କର ଜିହ୍ୱା ସାରଳା ରୂପରେ

ଧରଣୀ ରେ ହେଲେ ଜାତ

ସେଇଥି ପାଇଁକି ମାଆଙ୍କର ପୀଠ

ଜିହ୍ୱା କ୍ଷେତ୍ର ଭାବେ କ୍ଷାତ ।


ଜିହ୍ୱା ଯୋଗୁ ଆମେ କହୁଅଛୁ କଥା

ମାତା ତେଣୁ ବାକ୍ୟ ଦେବୀ

ଲେଖିବାକୁ ଅବା କହିବାକୁ ବଳ

ମିଳେ ତାଙ୍କୁ ହେଲେ ଭାବି ।

ଶିଦ୍ଧେଶ୍ବର ନାମେ ନିରକ୍ଷର ଜଣେ

ମାଆ ଙ୍କ ଚରଣ ଧ୍ୟାଇ

ଲେଖି ଗଲେ କେତେ ପୋଥି ପୁରାଣ ସେ

ମାଆଙ୍କର ନାମ ଗାଇ ।


ସମୟ ଚକ୍ରରେ ମାଆଙ୍କ ମୂରତି

ଭୂ ଗରଭେ ରହିଥିଲେ

କାଳ ଉହାଡରେ ଜଗତ ଜନନୀ

ନିଜକୁ ଲୁଚାଇ ଦେଲେ ।

ବୁଢ଼ା ନଈ ତହିଁ ବହିଯାଉଥିଲା

କୂଳରେ ଜଙ୍ଗଲ ଭରା

ସେହି ଠାରେ ମାଆ ଭୂଇଁ ତଳେ ରହି

ପାଳୁଥିଲେ ଏହି ଧରା ।


ବ୍ରହ୍ମାଣ୍ଡ ଭ୍ରମଣ କାଳେ ପର୍ଶୁରାମ        

ସେଠାରେ ଅଟକି ଗଲେ

ସ୍ଥାନର ରହିଛି ଅସୀମ ମହିମା

ଧ୍ୟାନ ବଳେ ସେ ଜାଣିଲେ ।

ସର ମୁନେ ବୀର ମାଟି ଖୋଳୁଖୋଳୁ

ପାଇଲେ ମାଆଙ୍କ ମୂର୍ତ୍ତି

ସର ମୁନେ ମାଆ ମିଳିବାରୁ ନାମ

ସାରଳା ରଖିଲେ ଯତି ।


ଇତିହାସ କହେ ମାଆ ସାରଳା ଙ୍କ

ଅପୂର୍ବ ସେ ଶିଳା ମୂର୍ତ୍ତି

ନବମ ଶତାବ୍ଦୀ କାଳରେ ଓଡ଼ିଆ

ଶିଳ୍ପୀ ମାନେ ଗଢ଼ିଛନ୍ତି ।

ଦୁଇ ଫୁଟ ଉଚ୍ଚ ମୁଗୁନି ପଥରେ

ମାଆ ହୋଇଛନ୍ତି ଗଢା

କାରୁକାର୍ଯ୍ୟେ ଭରା ପୀଣ୍ଡି ଉପରେ ତ

ମାତା ହୋଇଛନ୍ତି ଛିଡ଼ା ।


ପ୍ରଥମେ ସାରଳା ସାରୋଳ ଗ୍ରାମରେ

ପାଉଥିଲେ ପୂଜା ସେତ

କଳାପାହାଡ଼ ଯେ ମନ୍ଦିର ଭାଙ୍ଗିଲା

ଝଙ୍କଡ଼ ଆସିଲେ ମାତ ।

ଦେବୀଙ୍କ ମହିମା ଝଙ୍କାର ରୁ ହେଲା

ଝଙ୍କଡ଼ ପ୍ରଗଣା

ନାମ

ଜଗତସିଂହପୁର ଜିଲ୍ଲାରେ ରହିଛି

ମାଆଙ୍କ ର ଏହି ଧାମ ।     


ମାତା ସାରଳା ସେ ଅଷ୍ଟ ଭୂଜା ଦେବୀ

ସି‍ଂହପରେ ବିରାଜିତା

ଦକ୍ଷିଣ ହସ୍ତରେ ଖଣ୍ଡା ଶୂଳ ବୀଣା

ପୁସ୍ତକ ରେ ସୁଶୋଭିତା।

ମହିଷାସୁର ର କଟା ମୁଣ୍ଡ ସାଥେ

ଧନୁ ଖର୍ପର ଓ ଘଣ୍ଟି

ବାମ ହସ୍ତେ ମାତା ଧାରଣ କରି ସେ

ଅସୁର କୁ ମାରୁଛନ୍ତି।


ବହି ହାତେ ମାଆ ଧରିଛନ୍ତି ବୋଲି

ବିଦ୍ୟା ଦାତ୍ରୀ ଭାବେ କ୍ଷାତ

ମାଆଙ୍କ ଦୟାରୁ ସାରଳା ଦାସ ଯେ

ଲେଖିଲେ ମହାଭାରତ।

ଚଣ୍ଡୀ ପୁରାଣ ବିଲଙ୍କା ରାମାୟଣ

ପୁଣି ସେତ ଲେଖିଛନ୍ତି

ମାଆଙ୍କ ଦୟାରୁ ଲେଖିଛନ୍ତି ପୋଥି

ସ୍ବିକାର ସେ କରିଛନ୍ତି ।


ପୁରାଣ ବଖାଣେ ସାରଳା ମା ଦୁର୍ଗା

ମହିଷ ମର୍ଦ୍ଦିନୀ ସେ ଯେ

କିମ୍ବଦନ୍ତୀ କହେ ତନ୍ତ୍ର ଠାକୁରାଣୀ

 ହାତେ ବୀଣା ଘଣ୍ଟି ଶୋଭେ ।

ତନ୍ତ୍ର ହେଉ ଅବା ହେଉ ସିଏ ମନ୍ତ୍ର

ଭକତି ରେ ବନ୍ଧା ମାଆ

ଯେଉଁଠି ଡାକିଲେ ଯେମିତି ଡାକିଲେ

ଭକତେ ହୁଅନ୍ତି ସାହା ।


ଆହା କି ସୁନ୍ଦର ମାଆଙ୍କ ମନ୍ଦିର

ଭକ୍ତ ମନ ମୋହି ନିଏ

ମନ୍ଦିର ଶିଖରେ ଦୁର୍ଗାଙ୍କ ମୂରତି

ବହୁ ଦୂର ଦେଖାଯାଏ ।

ସିନ୍ଦୂରା ଫାଟିଲେ ମନ୍ଦିର ଖୋଲଇ

ମାଆଙ୍କ ପହୁଡ ଭାଙ୍ଗେ

ଚନ୍ଦନ ହଳଦୀ ଚୁଆ ବୋଳିହୋଇ

ମାଆଙ୍କ ସ୍ନାହାନ ରଙ୍ଗେ ।


ସ୍ନାନ ସରିଲେ ମା ପାଟ ଶାଢ଼ୀ ପିନ୍ଧି

ଫୁଲରେ ହୁଅନ୍ତି ବେଶ

ତାପରେ ଆଳତି ଧୂପଦୀପ ବାସ୍ନା

ମହକଇ ଦଶଦିଶ ।

ସକାଳେ ସନ୍ଧ୍ୟା ରେ ମାଆଙ୍କ ପାଖରେ

ଶୁଖିଲା ଭୋଗ ଅର୍ପଣ

ମଧ୍ୟାହ୍ନ ଆଉ ଯେ ରାତ୍ରି ଧୂପରେ ତ

ଲାଗଇ ଅନ୍ନ ବ୍ୟଞ୍ଜନ ।


ମାଆ ଯେ ବୈଷ୍ଣବୀ ମାଆ ମହାଶକ୍ତି

ମହା ମିଳନର କ୍ଷେତ୍ର

ମାଆଙ୍କ ପାଖରେ ଲାଗଇ ତୁଳସୀ

ଲାଗେ ପୁଣି ବେଲ ପତ୍ର ।

ବ୍ରାହ୍ମଣ କରନ୍ତି ମାଆଙ୍କୁ ତ ପୂଜା

ରାଉଳ ଯେ ସେବାକାରୀ

କାଳେସୀ ବୁଲନ୍ତି ରାଇଜଟା ସାରା

ମାଆଙ୍କର ଘଟ ଧରି ।


ବାର ମାସେ ତେର ପରବ ମାଆଙ୍କ

ଉଛୁଳି ପଡଇ ପୀଠ

ରାତି ପାହୁପାହୁ ଦେଉଳେ ଗହଳି

ନିଇତି ଲାଗଇ ଯାତ ।

ଫଗୁଣ ମାସରେ ମନ୍ଦିର ବେଢ଼ାରେ

ହୁଅଇ ଦୋଳ ମେଲଣ

ଗାଁ ମାନଙ୍କରୁ ଠାକୁର ଆସନ୍ତି

ଆସନ୍ତି ଦୋଳ ବିମାନ।


ବୈଶାଖ ମାସରେ ପଣା ସଙ୍କରାନ୍ତି

ହୁଅଇ ଝାମୁ ଯାତରା

ଘଣ୍ଟ ପାଟୁଆ ଙ୍କ ରଣପା ନାଚସେ

ଭାବ ଭକତିରେ ଭରା ।

ବିଷମ ଗ୍ରିଷମ ନିଆଁ ବରଷଇ

ସୂରୁଯ କରନ୍ତି କୋପ

ଦେଉଳକୁ ଲାଗି ଚନ୍ଦନ ପୋଖରୀ

ମାଆ ଯେ ଖେଳନ୍ତି ଚାପ ।


ସବୁଠାରୁ ବଡ଼ ପରବ ମାଆଙ୍କ

ଶାରଦୀୟ ଦଶହରା

ନିଇତି ସଞ୍ଜରେ ଅପୂର୍ବ ଆଳତି

ଭକ୍ତ ମନ ଆତ୍ମହରା ।

ମୂଳା ଅଷ୍ଟମୀରୁ ମହା ନବମୀ ଯେ

ଷୋଳ ଦିନ ଷୋଳ ରାତି

ଷୋଳ ଉପଚାରେ ମାଆଙ୍କର ପୂଜା

ଯାଗଯଜ୍ଞ ହୁଏ ନିତି ।


ଜୟ ମା ସାରଳା ସରୋଳ ଚଣ୍ଡୀ ଗୋ

ଅସୀମ ମହିମା ମୟୀ

ତୁମରି ମହିମା ଗାଉଥିଲେ ମାଆ

ରାତି ରାତି ଯାଏ ପାହି ।

ଠିକେ ଠିକେ ତୁମ କଥା ମୁଁ ଲେଖିଲି

ରହିଥିଲେ ଦୋଷ ତୃଟି

ତୁମ ବଡ ପଣେ କ୍ଷମା ଦେବ ମାଆ

ପାଦରେ କୋଟି ପ୍ରଣତି ।



Rate this content
Log in

Similar oriya poem from Classics