ରାଈ ଦାମୋଦର ବେଶ
ରାଈ ଦାମୋଦର ବେଶ
କାର୍ତ୍ତିକ ମାସ ତ ଧରମ ମାସ ଯେ
ପ୍ରତିଦିନ ଯେ ଉତ୍ସବ
ଶ୍ରୀମନ୍ଦିର ମଧ୍ୟେ କାଳିଆ ଠାକୁର
ରାଈ ଦାମୋଦର ବେଶ ।
ଆଶ୍ଵିନର ଶୁକ୍ଳ ଏକାଦଶୀ ଠାରୁ
କାର୍ତ୍ତିକ ଶୁକ୍ଳ ଦଶମୀ
ଏହି ବେଶେ ପ୍ରଭୁ ନିଜକୁ ସଜାନ୍ତି
ରାଈ ଦାମୋଦର କହି ।
କିମ୍ବଦନ୍ତୀ କହେ ବଡ଼ପଣ୍ଡା କରେ
ପିତୃ ଶ୍ରାଦ୍ଧେ ନିମନ୍ତ୍ରଣ
ଶ୍ରଦ୍ଧା ଓ ଭାବରେ ଦିବ୍ୟ ଭୋଜନରେ
ପ୍ରଭୁ ହୁଅନ୍ତି ସନ୍ତୁଷ୍ଟ ।
ବଡ଼ ପଣ୍ଡାଙ୍କର ଏକମାତ୍ର କନ୍ୟା
ଲକ୍ଷ୍ମୀ ଅଂଶେ ସେତେ ଜାତ
ତା ପାଣି ଗ୍ରହଣ କରିବାକୁ ପଣ୍ଡା
ମାରିଥିଲେ ଯେ ଆଶିଷ ।
ରାଈ ନାମ ତାର ତା ପାଣି ଗ୍ରହଣ
କରିଥିଲେ ଭାବଗ୍ରାହୀ
ହେଲେ ରାଈଙ୍କୁ ସେ ତାଙ୍କ ସଙ୍ଗେ ନେଇ
ଶ୍ରୀମନ୍ଦିରେ ଗଲେ ନାହିଁ ।
ଭକ୍ତି ଓ ଭାବରେ କମଳା ସନ୍ତୁଷ୍ଟ
ପ୍ରଭୁ ହେଲେ ଏଇ ବେଶ
କାର୍ତ୍ତିକ ମାସରେ ରାଈ ଦାମୋଦର
ବେଶ ପାଇଁ ଦେଲେ ଆଶ ।
ପୁରାଣ କହଇ ଭକତ ଅକ୍ରୁର
ମଥୁରା ଫେରିବା ବେଳେ
ଯମୁନା ଜଳକୁ ହାତରେ ଧରି ଯେ
ଏ ବେଶ ଦର୍ଶନ କଲେ ।
ସେ କଥାକୁ ଜନ ମାନସେ ଜଣାଇ
ହୋଇ ଦାମୋଦର ବେଶ
ଭକ୍ତ ଭଗବାନ ଭାବର ମହିମା
ଜଣାନ୍ତି ଯେ ଲକ୍ଷ୍ମୀ ଈଶ ।
ଏ ବେଶ ଆରମ୍ଭ ହୁଏ ପ୍ରଭୁଙ୍କର
ଅବକାଶ ନୀତି ପରେ
ଭକତ ଜନଙ୍କୁ ଦର୍ଶନ ଦିଅନ୍ତି
ବାଳଭୋଗ ପରି ଯନ୍ତେ ।
ନାନା ଅଳଙ୍କାରେ ଭୂଷିତ ପ୍ରଭୁ ଯେ
ଅପରୂପ ତାଙ୍କ ଶୋଭା
ଦ୍ଵାପର ଯୁଗର ସ୍ମୃତି ଚାରଣରେ
ଦାମୋଦର ବେଶେ ଉଭା ।
ସୂର୍ଣ୍ଣ ନଳୀଭୁଜ, ଫୁଲ ଗୁଣା, ଚିତା
କଟୀରେ ଯେ ଓଡ଼ିଆଣୀ
ହସ୍ତେ ବେଣୁ ପୁଣି ତ୍ରିକଚ୍ଛ ବସନ
କର୍ଣ୍ଣେ କୁଣ୍ଡଳ ମଣ୍ଡନୀ ।
ମସ୍ତକରେ ଚିତା ଚୂଳରେ ଚନ୍ଦ୍ରିକା
କଟୀରେ ସୁବର୍ଣ୍ଣ ଡୋର
ତଡ଼ଶୀ ପୁଷ୍ପର ଅଳଙ୍କାର ସଙ୍ଗେ
ପାଟବସ୍ତ୍ର ସୁଶୋଭିତ ।
ନାନା ଅଳଙ୍କାର ମଣ୍ଡିତ ପ୍ରଭୁ ଯେ
ଅଣ୍ଟାରେ ସୁବର୍ଣ୍ଣ ତୋର
ଯଶୋଦା ମାତାଙ୍କ ବନ୍ଧନ କଥାକୁ
ମନେ କରିଦିଏ ଠୁଳ ।
ଅଣ୍ଟାରୁ ଉଦର ଦଉଡ଼ିର ଦାମେ
ବନ୍ଧା ପ୍ରଭୁ ଜଗନ୍ନାଥ
ଦାମୋଦର ନାମ ଏ ଶବ୍ଦରୁ ଆସେ
ଦିଶ ପ୍ରଭୁ କି ସୁନ୍ଦର ।
ଭିନ୍ନ ବାରେ ତୁମେ ଭିନ୍ନ ରଙ୍ଗ ବସ୍ତ୍ର
କରିଥାଅ ପରିଧାନ
ଧଳା କଳାଛିଟ, ବାର ପାଟିଆ ଯେ
ନୀଳ, ହଳଦିଆ, ଶୁକ୍ଳ ।
କଳାରଙ୍ଗ ପୁଣି ଶନିବାରେ ପିନ୍ଧ
ନାଲି ରବିବାର ଦିନ
ଅପୂର୍ବ ସେ ଶୋଭା ଦିଶେ ମନୋଲୋଭା
ଆହେ ଭକତ ଜୀବନ ।
ପବିତ୍ର କାର୍ତ୍ତିକ ଶୁଦ୍ଧ ସାତ୍ତ୍ଵିକର
ପ୍ରେମ ରସ ଯେ ପାଶେ
ଅନନ୍ୟ ଚେତନା ନାହିଁ ଦୁର୍ଭାବନା
ମନେ ଯେ ଶାନ୍ତି ବିରାଜେ ।